ଅନ୍ୟତ୍ର ଉଠିଯିବ ଓୟୁଏଟି କୁକୁଡ଼ା ଗବେଷଣା କେନ୍ଦ୍ର! ୫ ବର୍ଷରେ ବାର୍ଡ ଫ୍ଲୁରେ ମଲେଣି ୧୦ହଜାର

ଭୁବନେଶ୍ବର: ଓୟୁଏଟିର କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଏହାକୁ ସହର ବାହାରକୁ ସ୍ଥାନାନ୍ତର କରିବା ପାଇଁ ଚିନ୍ତା କରାଯାଉଛି। ଏହି ଗବେଷଣା କେନ୍ଦ୍ର ଆଖପାଖରେ ଜନବସତି ଥିବାରୁ ଏଭଳି ପରିସ୍ଥିତି ଲାଗି ରହିଲେ ବାର୍ଡ ଫ୍ଲୁ ସଂକ୍ରମଣରେ ମଣିଷ ଜୀବନ ଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଯଦିଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ, ତଥାପି ଅଧିକାରୀସ୍ତରରେ ଏହାକୁ ନେଇ ଆଲୋଚନା ଜାରି ରହିଛି। ଓୟୁଏଟି ପରିସରରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ର ୬୦ ଦଶକରୁ ଆରମ୍ଭ ହୋଇଛି। ଏବେ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ୧୦ କିମି ପରିଧି ଭିତରେ କୁକୁଡ଼ା ବିକ୍ରିକୁ ବାରଣ କରାଯାଇଛି। ଆଜିଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ ହୋଇଛି।

ଏହି କେନ୍ଦ୍ର ନିକଟରେ ଛାତ୍ରାବାସଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ଶବ ବ୍ୟବଚ୍ଛେଦ ଗୃହ ଓ ନିକଟରେ ଏକ କଂସେଇଖାନା ମଧ୍ୟ ରହିଛି। ତେଣୁ କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ବ୍ୟାପିବାର ଅଧିକ ଆଶଙ୍କା ରହିଛି। ସହର ଭିତରେ ଏହି ଗବେଷଣା କେନ୍ଦ୍ର ଚାଲିବା ଦିନକୁ ଦିନ ଜନସାଧାରଣଙ୍କ ପାଇଁ ବିପଦ ଡାକି ଆଣୁଛି। ତେଣୁ ଏହାକୁ ସହର ବାହାରକୁ ଉଠାଇ ନେବା ପାଇଁ ବିଭାଗୀୟ ସ୍ତରରେ ଆଲୋଚନା କରାଯାଉଛି। ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଗତ ୪/୫ବର୍ଷ ଧରି ଓଡ଼ିଶାରେ ବାର୍ଡ ଫ୍ଲୁ ବ୍ୟାପୁଥିବା ନଜରକୁ ଆସୁଛି। କେରଙ୍ଗ, ପାରାଦୀପ, ଚିଲିକାରେ ବାର୍ଡ ଫ୍ଲୁ ବ୍ୟାପିଥିଲା। ୨୦୧୪ ମସିହାରେ ରାଜଧାନୀରେ ବାର୍ଡ ଫ୍ଲୁ ଦେଖାଯାଇଥିଲା। ଏହି ସମୟରେ ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳୀଠାରୁ ୩ କି.ମି ବ୍ୟବଧାନ ଭିତରେ ଥିବା କୁକୁଡ଼ାକୁ ମାରିବା ପାଇଁ ଯୋଜନା ହୋଇଥିଲା। ଓୟୁଏଟିର କୁକୁଡ଼ା ଗବେଷଣା କେନ୍ଦ୍ର ଏହି ପରିଧି ଭିତରେ ଆସୁଥିବାରୁ କେନ୍ଦ୍ରରେ କୁକୁଡ଼ାକୁ ମରା ଯାଇଥିଲା। ତେବେ ଓୟୁଏଟି ନିକଟରେ ଦିନକୁ ଦିନ ଜନବସତି ବଢ଼ି ଚାଲିଛି। ସହର ଭିତରର ଜନବସତି ଅଞ୍ଚଳରେ ଥିବା ଏହି ଗବେଷଣା କେନ୍ଦ୍ରକୁ ନେଇ ଏବେ ପ୍ରଶ୍ନ ଉଠିଛି। ଯଦିଓ ଦେଶର ଅନ୍ୟ ଅଞ୍ଚଳରେ ଏ ପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଜନିତ ମୃତ୍ୟୁ ଦେଖିବାକୁ ମିଳି ନାହିଁ, ଆଗକୁ ଏଭଳି ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କେତେକ ମତ ଦେଇଛନ୍ତି। ସହର ବାହାରେ ଅନେକ ଘରୋଇ ସଂସ୍ଥାମାନେ ସେମାନଙ୍କ କେନ୍ଦ୍ର ଖୋଲିଛନ୍ତି। ତେଣୁ ଅନ୍ୟତ୍ର ଏହି ଗବେଷଣା କେନ୍ଦ୍ରକୁ ପରିଚାଳନା କରିବାରେ କୌଣସି ସମସ୍ୟା ନାହିଁ। ଏବେ ବାର୍ଡ ଫ୍ଲୁ କୁ କିଭଳି ନିୟନ୍ତ୍ରଣ କରାଯିବ, ସେଥିପାଇଁ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ଯଦି ରାଜ୍ୟ ସରକାର ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ତେବେ ଏହାକୁ ସ୍ଥାନାନ୍ତର କରାଯାଇପାରେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ମସିହାରେ ରାଜଧାନୀରେ ହୋଇଥିବା ବାର୍ଡ ଫ୍ଲୁରେ ୧୦ ହଜାରରୁ ଅଧିକ କୁକୁଡ଼ାଙ୍କୁ ମରା ଯାଇଥିଲା। ଏହି ସମୟରେ ଓୟୁଏଟି ଗବେଷଣା କେନ୍ଦ୍ରରେ ୫ହଜାର କୁକୁଡ଼ା ରହିଥିଲେ। ବାର୍ଡ ଫ୍ଲୁ ଆଶଙ୍କାରେ ଏହି କୁକୁଡ଼ାଙ୍କୁ ମାରି ଦିଆଯାଇଥିଲା। ଏହି ଗବେଷଣା କେନ୍ଦ୍ରରୁ ବିକଶିତ ହୋଇଥିବା ‘ବନରାଜ’ ପ୍ରଜାତିର କୁକୁଡ଼ା ସେତେବେଳେ ସଂପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲା।

ସମ୍ବନ୍ଧିତ ଖବର