ଧାରଣାରୁ ଯନ୍ତ୍ରଣା: ଆସିପାରିଲାନି ୨ ଲକ୍ଷ ଲିଟର ଓମ୍‌ଫେଡ କ୍ଷୀର

ବୋହି‌ନେଲେ ପେଟ୍ରୋଲ୍‌, ଗାନ୍ଧୀ ପଦଯାତ୍ରା ସ୍ମାରକୀ ସମ୍ମୁଖରେ ଚାଳକ ସଂଘ

ଭୁବନେଶ୍ବର: ସାତପଡ଼ାର ଅମିତ ବେହେରା। ନୂଆପଲ୍ଲୀର ଏକ ଘରୋଇ ହଷ୍ଟେଲ୍‌ରେ ରୁହନ୍ତି। ସକାଳ ୭ଟା ବେଳେ ଖବର ମିଳିଲା ରୋଗାକ୍ରାନ୍ତ ମା’ ଆରପାରିକୁ ଚାଲିଗଲେ। ସେ ଗୋଟିଏ ନିଶ୍ବାସରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପହଞ୍ଚିଲେ। ବରମୁଣ୍ଡାରେ ପହଞ୍ଚିବା ବେଳକୁ ଜାଣିଲେ ବସ୍‌ ବନ୍ଦ। ଏଣେ କିନ୍ତୁ ସେ ଘରେ ପହଞ୍ଚିଲେ ହିଁ ମା’ର ଶବ ଉଠିବ। ତାଙ୍କ ଦୁଃଖ ଦେଖି ଅନ୍ୟମାନେ ଜ୍ଞାନ ଦେବାକୁ ଲାଗିପଡ଼ିଥିଲେ। କିଏ କହୁଥିଲା କାର୍‌ କରି ପଳାଅ। କିଏ କହୁଥିଲା ମାଷ୍ଟରକ୍ୟାଣ୍ଟିନ୍ ଯାଇ ‘ମୋ ବସ୍‌’ ଧର। କିଏ କହୁଥିଲା କଳ୍ପନା ଯାଇ ପୁରୀକୁ ‘ଡାଉନ୍‌ ଟାକ୍ସି’ ଧର। ସେ କଣ କରିବେ କିଛି ଭାବି ପାରୁନଥିଲେ। ଚାରିଆଡ଼େ ତାଙ୍କୁ ଅନ୍ଧାର ଦେଖା ଯାଉଥିଲା‌। ଯେତେ ଚାପିବାକୁ ସେ ଚେଷ୍ଟା କରୁଥିଲେ ଲୁହ ଆପେ ଆପେ ବୋହି ଆସୁଥିଲା। ଅଶୋକ ଭୂୟାଁ। ଝାରପଡ଼ା ବୈରାଗୀନଗରରୁ ଅଟୋ ଧରି ବରମୁଣ୍ଡାରେ ପହଞ୍ଚିଲେ। ସପରିବାର ପୁରୀ ଯିବା ଯୋଜନା ଥିଲା। ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ଦେଇ ଅଟୋ ଫେରିଗଲା। ପୁଅ ଓ ପତ୍ନୀଙ୍କ ସହ ସେ ପୁରୀ ବସ୍‌ ଖୋଜିବା ବେଳେ ବସ୍ ବନ୍ଦ ବୋଲି ଜାଣିବାକୁ ପାଇଲେ। ପୁଣି ଅଟୋ ଭଡ଼ା ଦେଇ ଘରକୁ ଫେରିଲେ।

ଏହି ଦୁଇଟି ଘଟଣା କେବଳ ଉଦାହରଣ ମାତ୍ର। ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ଶହ ଶହ ‌ଯାତ୍ରୀଙ୍କର ଅନୁରୂପ ସ୍ଥିତି ଥିଲା। ଗୋଟିଏ ପଟେ ବସ୍‌ଚାଳକମାନେ କେନ୍ଦ୍ର ସରକାରଙ୍କ ନୂଆ ନୀତି ବିରୋଧରେ ଧାରଣା ଦେଇଥିବା ବେଳେ ବସ୍‌ଷ୍ଟାଣ୍ଡରେ ଏଭଳି ଯନ୍ତ୍ରଣା ଭୋଗିଥିଲେ ସାଧାରଣ ଯାତ୍ରୀ। ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁ ଭୁବନେଶ୍ବରରୁ ଗୋଟିଏ ବସ୍‌ ଯାଇ ନଥିଲା କିମ୍ବା ଭୁବନେଶ୍ବରକୁ ଗୋଟିଏ ହେଲେ ବସ୍‌ ଆସିନଥିଲା। କେବଳ ସରକାରୀ ବସ୍‌କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରୁଟ୍‌ରେ ଘରୋଇ ବସ୍‌ ବନ୍ଦ ରହିବାରୁ ଯାତ୍ରୀ ପରିବହନ ବ୍ୟବସ୍ଥା ଠପ୍‌ ହୋଇ ଯାଇଥିଲା। ସକାଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ୪ରୁ୫ ହଜାର ଯାତ୍ରୀ ଅପେକ୍ଷା କରି ରହିଥିଲେ। ଏମାନଙ୍କ ମଧ୍ୟରୁ କେବଳ ୨ ହଜାରଙ୍କର ଅଗ୍ରିମ ବୁକିଂ ରହିଥିଲା। ଏମ୍‌ସ, ସମ୍‌, କ୍ୟାପିଟାଲ ଡାକ୍ତରଖାନା ସମେତ ଭୁବନେଶ୍ବରସ୍ଥିତ ବିଭିନ୍ନ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରୁଥିବା ରୋଗୀଙ୍କ ଦୁଃଖ କାହିଁରେ କେତେ ଥିଲା। ବିକଳ୍ପ ବ୍ୟବସ୍ଥା ନଥିବାରୁ ସେମାନେ ବାଧ୍ୟ ହୋଇ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ଆଉ କିଛି ରୋଗୀ ଅଟୋରିକ୍ସା କିମ୍ବା ବ୍ୟକ୍ତିଗତ କାର ଜରିଆରେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବାହାରି ପଡ଼ିଥିଲେ।

ସବୁଠାରୁ କଷ୍ଟ ହୋଇଥିଲା ରାତିରେ। ପରିବହନ କମିସନରଙ୍କ ଘୋଷଣା ପରେ ରହିଥିବା ବସ୍‌ ଚଳାଚଳକୁ ନେଇ ରହିଥିବା ଦ୍ବନ୍ଦ୍ବ ସଂଘ ଆନ୍ଦୋଳନ ସ୍ଥଗିତ ବୋଲି ଘୋଷଣା କରିବା ପରେ ସ୍ପଷ୍ଟ ହୋଇଥିଲା। ଦୂର ଜାଗାକୁ ଯିବା ପାଇଁ ନାଇଟ୍‌ କୋଚ୍‌ରେ ‌କେତେଜଣ ଅଗ୍ରିମ ବୁକିଂ କରିଥିଲେ। ସେଥିପାଇଁ ପ୍ରସ୍ତୁତ ହୋଇ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ହେଲେ ଅଧିକାଂଶ ବସ୍‌ ଆସିନଥିଲା। କେତେକ ବସ୍‌ଷ୍ଟାଣ୍ଡ ନ ଯାଇ ବରମୁଣ୍ଡାରୁ ରସୁଲଗଡ଼ ପର୍ଯ୍ୟନ୍ତ ବିଭିନ୍ନ ଛକରେ ଅପେକ୍ଷା କରି ରହିଥିଲେ। ହେଲେ ବସ୍‌ ସମୟ ଅତିକ୍ରାନ୍ତ ହେବା ପରେ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ। ସବୁଠାରୁ ଅଧିକ ଯନ୍ତ୍ରଣା ପାଇଥିଲେ ପିଲାଛୁଆ ଧରି ଷ୍ଟାଣ୍ଡରେ ପହଞ୍ଚିଥିବା ମହିଳା। ରାତିରେ ବସ୍‌ ଚାଲିବ ଭାବି ପ୍ରତୀକ୍ଷାଗୃହରେ ସମୟ କାଟିବା ତାଙ୍କ ପାଇଁ ଯନ୍ତ୍ରଣା ପାଲଟି ଯାଇଥିଲା। ଗୋଟିଏ ପଟେ ରାତିରେ ବସ୍‌ ଚାଲିବ କି ନାହିଁ ତାହାର ନିଶ୍ଚିତତା ନଥିଲା। ଅନ୍ୟପଟେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ୍‌ ପ୍ରସ୍ତୁତ ହେଉଥିବାରୁ ଏହି ପୁରୁଣା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କରିନଥିଲା। ଏଣୁ ଏଠାରେ ଥିବା ମୌଳିକ ସମସ୍ୟା ଅପେକ୍ଷାରତ ଯାତ୍ରୀମାନଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା। ପ୍ରତୀକ୍ଷାଗୃହ ଚଟାଣ ପ୍ଲାଷ୍ଟର ହୋଇନଥିବାରୁ ଗୋଡ଼ି ଓ ଇଟାରେ ଚାଲିବା ବେଳେ ପିଲା ପଡ଼ି ଯାଇ ଖଣ୍ଡିଆଖାବରା ହେଉଥିଲେ। ଏଣେ ବସ୍‌ଷ୍ଟାଣ୍ଡ ଭିତରୁ ଧୂଳି ଉଡ଼ୁଥିଲା, ପାଇଖାନାରୁ ପାଣି ବାହାରି ଏହି ପ୍ରତୀକ୍ଷା ଗୃହ ଭିତରେ ପଶୁଥିଲା। ବସ୍‌ ବନ୍ଦ ଯୋଗୁ ହତାଶ ହୋଇଥିବା ଯାତ୍ରୀଙ୍କ ପାଇଁ ଆଜି ‘ମୋ ବସ୍‌’ ଭରସା ପାଲଟିଥିଲା। ବିଶେଷକରି ପୁରୀ, ଖୋର୍ଦ୍ଧା, କଟକ ପ୍ରଭୃତି ଜାଗାକୁ ଯିବା ପାଇଁ ମୋ ବସ୍‌ରେ ଭିଡ଼ ହୋଇଥିଲା। ସାଧାରଣତଃ ଦିନକୁ ‘ମୋ ବସ୍‌’ ୨.୯୦ ଲକ୍ଷ ଯାତ୍ରୀ ବ୍ୟବହାର କରୁଥିବା ବେଳେ ଆଜି ଯାତ୍ରୀ ସଂଖ୍ୟା ସାଢ଼େ ତିନିଲକ୍ଷ ଆକଳନ କରାଯାଇଥିଲା।

ବୋହି‌ନେଲେ ପେଟ୍ରୋଲ୍‌
ଆଜି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। କାର୍‌, ବାଇକ୍‌ ଆଦି ଗାଡ଼ି ଶହଶହ ସଂଖ୍ୟାରେ ଲମ୍ବା ଧାଡ଼ିରେ ପଟ୍ରୋଲ ଭରିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ‌ଲୋକେ ବାଇକ୍‌, ସ୍କୁଟି ଭଳି ଦୁଇ ଚକିଆ ଗାଡ଼ିଗୁଡ଼ିକରେ ନିହାତି କମ୍‌ରେ ୫ ଲିଟର ପେଟ୍ରୋଲ୍ ଭର୍ତ୍ତି କରୁଥିଲେ। ଅନେକ ମଧ୍ୟ ୧୦ ଲିଟର ପେଟ୍ରୋଲ୍‌ ଭରୁଥିବା ଦେଖାଯାଇଥିଲା। ଗୋଟିଏ ଗୋଟିଏ ଗାଡ଼ିକୁ ଘଣ୍ଟାଏରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। ତଥାପି ପେଟ୍ରୋଲ୍ ଭରିବା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରୁଥିଲେ। ପମ୍ପ କର୍ମଚାରୀମାନେ କିଛି ଲୋକଙ୍କୁ କମ୍‌ ତେଲ ପକାଇବାକୁ ବୁଝାଇବାକୁ ଯାଇ ପାଲଟା ଗାଳି ଖାଇଥିଲେ। ସନ୍ଧ୍ୟା ବେଳକୁ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରହିବା ନେଇ ଖବର ପ୍ରଚାରିତ ହେବା ପରେ ଏହି ଭିଡ଼ କମିବା ଆରମ୍ଭ ହୋଇଥିଲା। କିନ୍ତୁ ସେତେବେଳକୁ ପ୍ରାୟ ସବୁ ପେଟ୍ରୋଲ ପମ୍ପରୁ ୭୦ ଶତକଡ଼ା ପେଟ୍ରୋଲ୍ ବିକ୍ରି ହୋଇସାରିଥିଲା। ଆଜି ରାତି ସୁଦ୍ଧା ସବୁ ଟାଙ୍କିକୁ ପେଟ୍ରୋଲ ଗାଡ଼ି ନ ଆସି‌ଲେ, ଆସନ୍ତାକାଲି ପାଇଁ ସମସ୍ୟା ହେବ ବୋଲି ଆଶଙ୍କା କରାଯାଉଛି।

ନନ୍ଦନକାନନରେ କମିଲେ ପର୍ଯ୍ୟଟକ
ଆଜି ଗାଡ଼ିଚାଳକଙ୍କ ଆନ୍ଦୋଳନ ଯୋଗୁଁ ନନ୍ଦନକାନନକୁ କମ୍ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି। କିଛି ସ୍କୁଲ୍‌, କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ ହିଁ ଆଜି ନନ୍ଦନକାନନ ବୁଲିଆସିଥିଲେ। ରାଜ୍ୟ ତଥା ଜିଲ୍ଲା ବାହାର ପର୍ଯ୍ୟଟକମାନେ ଆସିପାରିନଥିଲେ। ପ୍ରାଣୀ ଉଦ୍ୟାନକୁ ୧୧ ହଜାର ୩୩୯ ଓ ଉଦ୍ଭିଦ ଉଦ୍ୟାନକୁ ୮୮୯ ଜଣ ପର୍ଯ୍ୟଟକ ଆସିଥିବା ଟିକଟ ବିକ୍ରିରୁ ଜଣାପଡ଼ିଛି। ଏହି ଆନ୍ଦୋଳନର ପ୍ରଭାବ ବାରଙ୍ଗ ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା। ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିବା ଆଶଙ୍କାରେ ଲୋକେ ଦୋକାନରେ ପ୍ରବଳ ଭିଡ଼ କରିଥିଲେ। ସେହିଭଳି ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗିଥିଲା।

ଗାନ୍ଧୀ ପଦଯାତ୍ରା ସ୍ମାରକୀ ସମ୍ମୁଖରେ ଚାଳକ ସଂଘ

ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ଆଜି ବାଲିଅନ୍ତା ଚାଳକ ସଂଘ ପକ୍ଷରୁ ଟଙ୍କପାଣି ବ୍ରିଜ୍‌ ନିକଟ ଗାନ୍ଧୀ ପଦଯାତ୍ରା ସ୍ମାରକୀ ପୀଠ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ସଂଘର ସଭାପତି କ୍ରିଷ୍ଣା ନାୟକ ଓ ସଂପାଦକ ଦୀପକ ନାୟକଙ୍କ ନେତୃତ୍ବରେ ଏହି ଧାରଣା ଚାଲିଥିଲା। ଶାନ୍ତିପୂର୍ଣ୍ଣ ଧାରଣା ଚାଲିଥିଲେ ମଧ୍ୟ ସ୍ଥାନୀୟ ଲୋକେ ପ୍ରଭାବିତ ହୋଇଥିଲେ। ମଣ୍ଡିରୁ ଧାନ ନେବାକୁ ଜଟଣୀରୁ ଆସିଥିବା ଟ୍ରକ୍‌ଗୁଡ଼ିକ ଦୀର୍ଘ ସମୟ ଧରି ଅଟକି ରହିଥିଲା। ତେଣୁ ମଣ୍ଡିରେ ଧାନ କିଣା ବିଳମ୍ବିତ ହୋଇଥିଲା। ଏଥିପାଇଁ ମଣ୍ଡିରେ ଅସନ୍ତୋଷ ଦେଖାଦେଇଥିଲା।

ଆସିପାରିଲାନି ୨ ଲକ୍ଷ ଲିଟର ଓମ୍‌ଫେଡ କ୍ଷୀର

ଗାଡ଼ି ଚାଳକ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ‌ଯୋଗୁଁ ରାଜଧାନୀରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଣରେ ଆଜି ବ୍ୟାପକ ସମସ୍ୟା ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ୨ଲକ୍ଷ ଲିଟର ଓମଫେଡ କ୍ଷୀର ଆସି ପାରି ନଥିଲା। ପେଟ୍ରୋଲ ପମ୍ପରେ ପେଟ୍ରୋଲ ଅଭାବ ନଥିଲେ ମଧ୍ୟ ଲୋକେ ଆତଙ୍କିତ ହୋଇ ଗତକାଲି ଠାରୁ ଆଗୁଆ ପେଟ୍ରୋଲ ଓ ଡିଜେଲ ନେଇ ଯାଇଥିଲେ। ଗତ ରାତିରୁ ବାହାର ରାଜ୍ୟରୁ ଆସିଥିବା ପରିବା ଭୁବନେଶ୍ବରରେ ପହଞ୍ଚି ଯାଇଥିବାରୁ ଆଜି ପରିବା ଯୋଗାଣ ବାଧାପ୍ରାପ୍ତ ହୋଇନାହିଁ। କିନ୍ତୁ ଆନ୍ଦୋଳନ ବାବଦରେ ସଂଧ୍ୟା ସୁଦ୍ଧା ପୂରା ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ ସମସ୍ତେ ଦ୍ବନ୍ଦ୍ବରେ ଥିବ‌ା କହିଥିଲେ ବ୍ୟବସାୟୀ ସଂଘର ସୁଧାକର ପଣ୍ଡା। ଘରୋଇ ବସ ମାଲିକ ସଂଘର ବରଦା ଆଚାର୍ଯ୍ୟଙ୍କ ଅନୁସାରେ, ବରମୁଣ୍ଡା ବସଷ୍ଟାଣ୍ଡରେ ପ୍ରତିଦିନ ୧୨୦୦ରୁ ୧୩୦୦ ଘରୋଇ ବସ୍‌ରେ ପ୍ରାୟ ୬୦ ହଜାରରୁ ଊର୍ଧ୍ବ ଯାତ୍ରୀ ବ୍ରହ୍ମପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, କୋରାପୁଟ, ସୁନ୍ଦରଗଡ଼ ସମେତ ରାଜ୍ୟ ତଥା ରାଜ୍ୟ ବାହାର ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ଯାଇଥାଆନ୍ତି। ଏଥିରେ ସାଧାରଣ, ଏକ୍ସପ୍ରେସ, ଡିଲକ୍ସ, ସୁପର ଡିଲକ୍ସ ଆଦି ବସ୍‌ ରହିଛି। ରାତି ପର୍ଯ୍ୟନ୍ତ ବସ ଚଳାଚଳ ନେଇ ସ୍ପଷ୍ଟ ସୂଚନା ବସ ମାଲିକମାନଙ୍କ ପାଖରେ ନଥିବା ସେମାନେ କହିଥିଲେ। ସଂଘ ପକ୍ଷରୁ କୁହା ଯାଇଥିଲା, ଚାଳକଙ୍କ ଦାବିକୁ ବସ ମାଲିକ ସଂଘ ସମର୍ଥନ କରୁଛି। କିନ୍ତୁ ୩୬ ଘଣ୍ଡା ପୂର୍ବରୁ ସୂଚନା ନ ଦେଇ ଅଚାନକ ଯେଉଁଭଳି ଭାବରେ ଆନ୍ଦୋଳନ କରାଗଲା ଏବଂ ଲୋକେ ଯେଉଁଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ ଏହା ଗ୍ରହଣୀୟ ନୁହେଁ। ଆସନ୍ତାକାଲି ସୁଦ୍ଧା ବସ ଚଳାଚଳ ସ୍ବାଭାବିକ ହେବ ବୋଲି ଆଶା ରହିଥିବା ସେମାନେ କହିଛନ୍ତି।

ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଭୁବନେଶ୍ବରରେ ୪୨ଟି ସମେତ ସମଗ୍ର ରାଜ୍ୟରେ ୨୧୫୯ଟି ପେଟ୍ରୋଲ ପମ୍ପ ରହିଛି। ପ୍ରତ୍ୟେକ ଦିନ ୮୪ ଲକ୍ଷ ୯୦ ହଜାର ଲିଟର ଡିଜେଲ, ୩୬ ଲକ୍ଷ ୭ ହଜାର ଲିଟର ପେଟ୍ରୋଲ କାରବାର ହୁଏ। ପାରାଦୀପ, ଜଟଣୀ, ବାଲେଶ୍ବର ଓ ଝାରସୁଗୁଡ଼ା ଅଏଲ ଡିପୋରୁ ଟ୍ରକ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନର ପେଟ୍ରୋଲ ପମ୍ପକୁ ଯୋଗାଣ ହୁଏ। ଚାଳକ ଆନ୍ଦୋଳନ ଯୋଗୁଁ ଡିପୋରୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ହୋଇପାରି ନାହିଁ। ଏହା ସତ୍ତ୍ବେ କୌଣସି ସ୍ଥାନରେ ମଧ୍ୟ ତେଲ ସଙ୍କଟ ସୃଷ୍ଟି ହୋଇନାହିଁ। ଏହାକୁ ନେଇ ଶ୍ରୀ ଲାଠ କହିଲେ, ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ୩ ଦିନର ଆବଶ୍ୟକତା ଗଚ୍ଛିତ ଥାଏ। ତେଣୁ କାଲି ସଂଧ୍ୟା ପୂର୍ବରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଗଲେ ଅସୁବିଧା ହେବନାହିଁ। କିନ୍ତୁ ଯେଉଁଭଳି ଭାବରେ ଲୋକେ ଆତଙ୍କିତ ହୋଇ ଆବଶ୍ୟକତା ନଥାଇ ତେଲ କ୍ରୟ କରୁଛନ୍ତି ଏହା ସମସ୍ୟା ସୃଷ୍ଟି କରୁଛି।

ବ୍ୟବସାୟୀ ସଂଘର ସୁଧାକର ପଣ୍ଡାଙ୍କ ଅନୁସାରେ, ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଅତ୍ୟାବଶକୀୟ ସାମଗ୍ରୀ ରାଜ୍ୟ ବାହାରୁ ଆସିଥାଏ। ୧୫ ଦିନର ଆବଶ୍ୟକତା ଅନୁସାରେ ସବୁ ଗଚ୍ଛିତ ରହିଛି। ଡାକ୍ତରଖାନା ଆଦିକୁ ଯେଉଁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରତିଦିନ ଯାଏ ତାହା ପହଞ୍ଚିନଥିବାରୁ ଅସୁବିଧା ହୋଇଥିଲା। ସାମୟିକ ସମୟ ପାଇଁ ଏହା ସମାଧାନ କରାଯାଇଥିଲେ ମଧ୍ୟ ସରକାର ଏଥିପ୍ରତି ଆଗୁଆ ପଦକ୍ଷେପ ନ ନେଲେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଆଜି କ୍ଷୀର ଯୋଗାଣ ହୋଇନପାରିବା ଯୋଗୁଁ ଚା’ ଦୋକାନରେ ନାଲି ଚା’ ବିକ୍ରି ହୋଇଥିଲା। ଅନ୍ୟପକ୍ଷରେ ଅନ୍ୟଦିନ ଅପେକ୍ଷା ଆଜି ଅଟୋରିକ୍ସା ଚାଳକମାନେ ଭଲ ବ୍ୟବସାୟ କରିଥିବା କହିଛନ୍ତି। ପରିବା ଯୋଗାଣ ସ୍ବାଭାବିକ ରହିଥିଲେ ମଧ୍ୟ ଦଶପଲ୍ଲାରେ ରାୟପୁରରୁ ପିଆଜ ନେଇ ଆସୁଥିବା ଗାଡ଼ି ଅଟକି ରହିବା ସୂଚନା ଆସିଥିଲା।

ପାହାଳ ଓ ହଂସପାଳ ଛକରେ ଖାଇବାକୁ ମିଳିଲାନି

ଆଜି ଡ୍ରାଇଭରମାନଙ୍କ କାମ ବନ୍ଦ ଆନ୍ଦୋଳନ ପାଇଁ ହଂସପାଳ ଓ ପାହାଳ ବଜାରରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘରୋଇ ବସ୍‌, ଟାକ୍ସି ଓ ଅଟୋ ଚଳାଚଳ ପ୍ରାୟ ବନ୍ଦ ଥିବାରୁ ଶହଶହ ସଂଖ୍ୟାରେ ଯାତ୍ରୀ ବଜାରରେ ଅପେକ୍ଷା କରି ରହିଥିଲେ। ମୋ’ ବସ ଚଳାଚଳ ସ୍ବାଭାବିକ ଥିଲା। କିନ୍ତୁ ସବୁ ମୋ’ ବସ୍‌ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଯାତ୍ରୀମାନେ ଲଦାଲଦି ହୋଇ ଯିବାକୁ ବାଧ୍ୟ ହୋଇଥିଲେ। ମହିଳା ଓ ବରିଷ୍ଠ ନାଗରିକମାନେ ବେଶି ହନ୍ତସନ୍ତ ହୋଇଥିଲେ। ସେହିଭଳି ଏହି ଅଞ୍ଚଳରେ କାମ କରିବାକୁ ବାହାରୁ ଆସୁଥିବା ଶ୍ରମିକମାନେ ଓ ଫେରି ବ୍ୟବସାୟୀମାନେ ମଧ୍ୟ ଏଠିସେଠି ବସି ରହିଥିବା ଦେଖିବାକୁ ମିଳିଥିଲା। ଦୁଇ ବଜାରଠାରୁ ଅନତି ଦୂରରେ ଜାତୀୟ ରାଜପଥ କଡ଼ରେ ଶହଶହ ଟ୍ରକ୍‌ ଅଟକି ରହିଥିଲା। ହଠାତ୍ ଏତେ ସଂଖ୍ୟାରେ ବାହାର ଲୋକଙ୍କ ଭିଡ଼ ହେବାରୁ ସବୁ ହୋଟେଲ ଓ ଜଳଖିଆ ଦୋକାନରୁ ଖାଦ୍ୟ ସରିଯାଇଥିଲା। ତେଣୁ ବହୁ ଯାତ୍ରୀ ବିସ୍କୁଟ୍‌, ପାଉଁରୁଟି ଭଳି ଶୁଖିଲା ଖାଦ୍ୟରେ ଭୋକ ମେଣ୍ଟାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର