ଭାଇଚାରାକୁ ମଜବୁତ କରୁଛି ଭାଗବତ ଗୋସାଇଁଙ୍କ ମେଳଣ

ବାଲିପାଟଣା : ପଞ୍ଚୁଦୋଳ ମେଳଣ ଶେଷ ହେବା ପରେ ଗାଁ ଗହଳିରେ ଏବେ ଭାଗବତ ଗୋସାଇଁଙ୍କ ମେଳଣ ଆରମ୍ଭ ହୋଇଛି। ପ୍ରଭୁଙ୍କ ମେଳଣ ପାଇଁ ଗାଁଗଣ୍ଡା ଉତ୍ସବମୁଖର ହୋଇଉଠିଛି। ଗାଁରେ ପୂଜା ପାଉଥିବା ପ୍ରଭୁ ଭାଗବତ ଗୋସାଇଁଙ୍କୁ ବିମାନ ଶୋଭାଯାତ୍ରାରେ ମେଳଣ ମଣ୍ଡପକୁ ଅଣାଯିବା ସହ ବାଜା, ବାଣ, ରୋଷଣୀ ଓ ଘୋଡ଼ାନାଚରେ ଦୁଲୁକୁଛି ଗାଁ ପରିବେଶ। କର୍ମମୟ ଜୀବନରୁ କିଛି ମୁହୂର୍ତ୍ତ ବାହାର କରି ଗାଁ ଲୋକେ ଏହି ଉତ୍ସବରେ ସାମିଲ ହୋଇ ମଜା ନେଉଛନ୍ତି।

ବାଲିପାଟଣା ବ୍ଲକର ସରାଟ ଶାସନ, ମଧୁବନ, ନୂଆଗାଁ, ତୁରନ୍ତିରା, ରାଜସ, ଚଣାହଟ୍ଟା, ବନମାଳିପୁର ଆଦି ଅଞ୍ଚଳରେ ପ୍ରତିବର୍ଷ ଏହି ମେଳଣ ଅନୁଷ୍ଠିତ ହୋଇଥାଏ। ଗାଁର ଭାଗବତ ଟୁଙ୍ଗୀରେ ପୂଜା ପାଉଥିବା ଓଡ଼ିଆ ସଂସ୍କୃତିର ପ୍ରତୀକ ପ୍ରଭୁ ଭାଗବତ ଗୋସାଇଁ ମେଳଣର ପୁରୋଧା ସାଜନ୍ତି। ନିର୍ଦ୍ଦିଷ୍ଟ ତିଥିମାନଙ୍କରେ ମେଳଣ ଅନୁଷ୍ଠିତ ହୋଇଥାଏ। ମେଳଣ ପୂର୍ବ ରାତିରେ ଧୁମ୍‌ଧାମ୍‌ରେ ଜମାଣ ଅନୁଷ୍ଠିତ ହୋଇଥାଏ। ପ୍ରଭୁଙ୍କ ମେଳଣ ପ୍ରାୟତଃ ଦୁଇଦିନ ଧରି ଚାଲିଥାଏ। ଭାଇଚାରାକୁ ମଜବୁତ୍‌ କରି ସମ୍ପୂର୍ଣ୍ଣ ଗାଁ ଏକାଠି ହୋଇଯାଏ। ତେବେ ଭାଗବତ ଗୋସାଇଁଙ୍କ ଏହି ମେଳଣ କେଉଁଠି ପ୍ରାୟ ୭୦ ରୁ ୮୦ ବର୍ଷ ଧରି ଚାଲି ଆସୁଥିବା ବେଳେ ଆଉ କେଉଁଠି ଆବାହମାନ କାଳରୁ ଚାଲି ଆସୁଅଛି।

ସମ୍ବନ୍ଧିତ ଖବର