ପାର୍କିଂ ସୁବିଧା ପାଇଁ ବିଡିଏ କ’ଣ କରିପାରିବ : ଶିଶୁଭବନରୁ ବାଣୀବିହାର ମଧ୍ୟରେ ୫ଟି ବହୁତଳ କାର୍‌ ପାର୍କିଂ

ଭୁବନେଶ୍ୱର : ଯିଏ ନିୟମ ଅନୁଯାୟୀ ପାର୍କିଂ ପାଇଁ ଜାଗା ଛାଡ଼ିନାହାନ୍ତି, ସେମାନଙ୍କଠାରୁ ଜରିମାନା ଆଣି ସେହି ଟଙ୍କାରେ ବିଏମ୍‌ସି ଜନପଥ କଡ଼ରେ ମଲ୍ଟି ଲେଭେଲ କାର୍‌ ପାର୍କିଂ କରିପାରନ୍ତା। ଯେତିକି ବର୍ଗଫୁଟର କାର୍‌ ପାର୍କିଂ ହେବ ତାହାକୁ ବିଭିନ୍ନ ଦୋକାନ ପାଇଁ ଆବଣ୍ଟନ କରାଗଲେ ରାସ୍ତାରେ କି ବେଆଇନ ପାର୍କିଂ ଆଉ ହୁଅନ୍ତାନି। ଏବେ ଜନପଥରେ ଶିଶୁଭବନରୁ ରାଜମହଲ ଅଞ୍ଚଳ ପାଇଁ ଗୋଟିଏ ମଲ୍ଟି ଲେଭେଲ୍ କାର୍‌ ପାର୍କିଂ, ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଛକ, ମାଷ୍ଟରକ୍ୟାଣ୍ଟିନରୁ ଶ୍ରୀୟା ଛକ, ଶ୍ରୀୟା ଛକରୁ ମହର୍ଷି କଲେଜ ଛକ ଏବଂ ମହର୍ଷି କଲେଜ ଛକରୁ ବାଣୀବିହାର ମଧ୍ୟରେ ଗୋଟିଏ ଲେଖାଏଁ ମଲ୍ଟିଲେଭେଲ୍ କାର୍ ପାର୍କିଂ ବ୍ୟବସ୍ଥା କରିବା ଦରକାର। ଏଠାରେ ବିଭିନ୍ନ ସୋରୁମ୍ ଅନୁଯାୟୀ ପାର୍କିଂ ଅଞ୍ଚଳ ଆବଣ୍ଟନ ହୋଇପାରନ୍ତା। ଏଥିପାଇଁ ଜନପଥ କଡ଼ରେ ଥିବା କିଛି ସରକାରୀ କ୍ବାର୍ଟର୍ସ ଭାଙ୍ଗି ସେହି ସ୍ଥାନରେ ଏହି ସୁବିଧା ଉପଲବ୍ଧ କରାଯାଇପାରନ୍ତା।

ଯେମିତି ବିଏମ୍‌ସି ମୁଖ୍ୟାଳୟ ପାଇଁ ୧୦ରୁ ଅଧିକ ସରକାରୀ କ୍ବାର୍ଟର୍ସ ଭଙ୍ଗାଗଲା, ସେହିପରି ଏଥିପାଇଁ ସରକାରୀ କ୍ବାର୍ଟର୍ସ ଭଙ୍ଗାଯାଇପାରନ୍ତା। ଏବେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ସହିଦନଗର ଏବଂ ଏଜିରୁ ରାଜମହଲରୁ ମଧ୍ୟରେ ଦୁଇଟି ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା ହେଉଥିବା ବେଳେ ଏଥିପାଇଁ ପ୍ରାୟ ୩୦ କୋଟି ଲେଖାଏଁ ଖର୍ଚ୍ଚ କରୁଛି। ବିଡିଏ ଜରିମାନା ବାବଦକୁ ପ୍ରାୟ ୧୨୫ କୋଟି ଟଙ୍କା ଆଦାୟ କରିପାରିଲେ ଏହି ଟଙ୍କାରେ ଏହିଭଳି କାର୍‌ ପାର୍କିଂ ବ୍ୟବସ୍ଥା କରିପାରନ୍ତା। ହେଲେ ଏଥିପାଇଁ ସାଧାରଣ ପ୍ରଶାସନ ଏବଂ ବିଡିଏର ବରିଷ୍ଠ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେବା ଦରକାର।

ସମ୍ବନ୍ଧିତ ଖବର