ବାଲିଅନ୍ତାରେ ୩୦୦୦ ପଟ୍ଟଚିତ୍ର କଳାକୃତି ପ୍ରଦର୍ଶିତ

ଦକ୍ଷତା ବୃଦ୍ଧି ନେଇ ହେବ ୨୩ କର୍ମଶାଳା, ଜାତୀୟସ୍ତରରେ ୨ ପଟ୍ଟଚିତ୍ର ଶିଳ୍ପୀ ସମ୍ମାନିତ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଜଗନ୍ନାଥପୁରସ୍ଥିତ ପାବନି ଉନ୍ନୟନ ପରିଷଦ କଳାକେନ୍ଦ୍ର, ଖମଙ୍ଗ ବଜାର, କାକରୁଦ୍ରପୁର ଜଗନ୍ନାଥ ମନ୍ଦିର ପରିସର ଓ ଜୟଦେବ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ପଟ୍ଟଚିତ୍ର ତାଲିମ କେନ୍ଦ୍ରରେ ଏକ ମେଗା ପଟ୍ଟଚିତ୍ର ପ୍ରଦର୍ଶନୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଆ, ନଡ଼ିଆ, ତାଳପତ୍ରରେ ଖୋଦିତ ଜଗନ୍ନାଥଙ୍କ କଳାକୃତିଠାରୁ ଆରମ୍ଭ କରି ଗଛ, ବଣ, ପାହାଡ଼ ଓ ଝରଣା ଭଳି ପ୍ରକୃତିର ବିଭିନ୍ନ ବିଭବକୁ ନେଇ ୩୦୦୦ ପଟ୍ଟଚିତ୍ର ପ୍ରଦର୍ଶିତ ହୋଇଛି। ଏହି ଅବସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ମଙ୍ଗଳବାର ପୂର୍ବାହ୍ନରେ ବାଲିଅନ୍ତା ବ୍ଲକ ଗସ୍ତ କରି ଉପରୋକ୍ତ ସମୂହ ପଟ୍ଟଚିତ୍ର ତାଲିମ୍‌ କେନ୍ଦ୍ର ବୁଲି ଦେଖିଥିଲେ। ଏହି ଅବସରରେ ଜଗନ୍ନାଥ ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ସଭାରେ ଶ୍ରୀମତୀ ଦିଆନ ୬୦ବର୍ଷରୁ ଅଧିକ ବୟସର କଳାକାରମାନଙ୍କ ଲାଗି ରାଜ୍ୟ ସରକାର ପେନ୍‌ସନ ବ୍ୟବସ୍ଥା କରୁଥିବା କହିଥିଲେ। ଜୟଦେବ ନିର୍ବାଚନମଣ୍ଡଳୀର ସମସ୍ତ କାରିଗର ପରିବାରଙ୍କ ଉନ୍ନତି ନେଇ ସ୍ଥାନୀୟ ବିଧାୟକ ଡ. ଅରବିନ୍ଦ ଢାଲି ଗୁରୁତ୍ବାରୋପ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ବସନ୍ତ ଦାଶ ପଟ୍ଟଚିତ୍ର ଓ ବୁଣାକାର କାରିଗରମାନଙ୍କ ଦ୍ବାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀଗୁଡ଼ିକର ବଜାର ସୁବିଧା ଓ ବିକ୍ରିବଟା ସୁବିଧା ପାଇଁ ଭୁବନେଶ୍ବରସ୍ଥିତ ତୋଷାଳୀ ମେଳା, ଶିଶିର ସରସ, ଢେଙ୍କାନାଳ ଲକ୍ଷ୍ମୀପୂଜା, ବରଗଡ଼ ଧନୁଯାତ୍ରା ବେଳେ ପ୍ରଦର୍ଶନୀ ମେଳା ଅନ୍ୟତମ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ। ବାଲିଅନ୍ତା ବ୍ଲକରେ ଫନିରେ ନଷ୍ଟ ହୋଇଯାଇଥିବା କଳାକୃତି ସାମଗ୍ରୀ କ୍ଷତିପୂରଣ ବାବଦ ଅର୍ଥ କାରିଗରଙ୍କୁ ମିଳିନଥିବାରୁ ସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଜାତୀୟସ୍ତରରେ ଶ୍ରେଷ୍ଠ ପଟ୍ଟଚିତ୍ର ଶିଳ୍ପୀ ଭାବେ ଜଗନ୍ନାଥପୁରର ଦ୍ବିଜବର ଦାଶ ଓ ଡିଜାଇନ ପାଇଁ କାକରୁଦ୍ରପୁର ଗ୍ରାମର ବ୍ରଜବନ୍ଧୁ ଦାଶ ସମ୍ମାନିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ରମେଶ ପାଳ, ସୂର୍ଯ୍ୟ ନାରାୟଣ ଦାସ, ପ୍ରଜ୍ଞା ପରମିତା ଜେନାମଣି, ବରିଷ୍ଠ ନେତା ଦୁର୍ଗାନନ୍ଦନ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ରଙ୍କ ସମେତ ବାଲିପାଟଣା ସଭାପତି ପ୍ରତାପ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅଚ୍ୟୁତାନନ୍ଦ ପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର