ସଟ୍‌ଡାଉନ୍‌ ମାନୁ ନାହାନ୍ତି ଲୋକେ, ଚିନ୍ତାରେ ପୁଲିସ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଦୁଇଦିନିଆ ସାପ୍ତାହିକ ସଟ୍‌ଡାଉନ୍‌। ପ୍ରଥମ ଦିନରେ ରାସ୍ତାଘାଟରେ କମ୍‌ ଗାଡ଼ି ଯାତାୟାତ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ସଟ୍‌ଡାଉନରେ ଯାହା ଆଶା କରାଯାଉଥିଲା ସେଭଳି ହୋଇନି। ଜରୁରୀକାଳୀନ ସେବା ବ୍ୟତୀତ ଅନେକ ଗାଡ଼ିମଟର ସହରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ସଟ୍‌ଡାଉନ୍‌ ସତ୍ତ୍ୱେ ୧୦୦୦ରୁ ଊର୍ଧ୍ବ ଉଲ୍ଲଂଘନକାରୀଙ୍କଠାରୁ ମାସ୍କ ଓ ସାମାଜିକ ଦୂରତା ବାବଦରେ ଜରିମାନା ଆଦାୟ କରାଯାଇଛି। ସଟ୍‌ଡାଉନ୍‌ ସତ୍ତ୍ୱେ ଏତେ ପରିମାଣର ଜରିମାନା ଆଦାୟ ହେବା ଉଲ୍ଲଂଘନକାରୀଙ୍କ ସଂଖ୍ୟା ବଢ଼ିଥିବା ପ୍ରମାଣିତ କରୁଛି। ଏହା ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଆଗକୁ କାର୍ଯ୍ୟାନୁଷ୍ଠାନ ଜୋରଦାର କରିବା ପାଇଁ ଯୋଜନା ହୋଇଛି।

ଶନିବାର ଓ ରବିବାର ଦୁଇଦିନ ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା ହୋଇଛି। ଏହାକୁ ନିଶ୍ଚିତ କରାଇବା ପାଇଁ କମିସନରେଟ୍‌ ଟ୍ରାଫିକ ପୁଲିସ୍‌ ତରଫରୁ ୪୧ଟି ଜାଗାରେ ନାକାବନ୍ଦୀ କରାଯିବା ସହ ୧୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ଓ ୯୮ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଆଜି ପୂର୍ବାପେକ୍ଷା ସହରରେ ଗହଳିଚହଳି ଲାଗି ରହିଥିଲା। ବିଶେଷକରି ଷ୍ଟେସନରୁ ବାଇକ୍‌ରେ ୩ ଜଣ ଲେଖାଏଁ ଆସିଥିବା ଦେଖିବାକୁ ମିଳିଥିଲା। ଅନେକଙ୍କର ମାସ୍କ ମଧ୍ୟ ନଥିଲା। ସେହିଭଳି ଅନେକ ଦୋକାନରେ ସାମ୍ନା ବନ୍ଦ ଥିଲେ ମଧ୍ୟ ପଛପଟୁ ବେପାର ଚାଲିଥିଲା। କେଉଁଠି ଦୋକାନ ଆଗରେ ଦୋକାନୀ ବୁଲୁଥିବା ବେଳେ ଆଉ କେଉଁଠି ସେଲସମ୍ୟାନ୍ ଚଉକି ପକାଇ ବାହାରେ ବସିଥିଲା। ଏଭଳି ବିଭିନ୍ନ ସ୍ଥାନରେ ପିସିଆର ଭ୍ୟାନ୍ ବୁଲି ବନ୍ଦ କରାଇଥିଲା। କେତେକ ଜାଗାରେ ଲୋକମାନେ ଚଢ଼େଇକୁ ଖାଇବାକୁ ଦେଇ ମଜା ନେଉଥିଲେ। ଉଲ୍ଲଂଘନକାରୀଙ୍କ ସଂଖ୍ୟା କିଭଳି କମିବ, ସେନେଇ କମିସନରେଟ୍‌ ପୁଲିସ୍‌ର ମାନସମନ୍ଥନ ପରେ ଚଢ଼ଉ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର