ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ

ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ଲୋୟର ପିଏମ୍‌ଜି

ଭୁବନେଶ୍ୱର: ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ସଂସଦରେ ଆଇନ କରନ୍ତୁ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏହା ହିଁ ଏକମାତ୍ର ପନ୍ଥା। ଲୋୟର୍‌ ପିଏମ୍‌ଜିରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଅନୁଷ୍ଠିତ ସଂକଳ୍ପ ସମାବେଶ‌ରେ ମୁଖ୍ୟ ଅତିଥି ଭାବେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକମଣ୍ଡଳୀ ସଦସ୍ୟ ତଥା ଗୋ-ସେବା ଆୟୋଗର ଅଧ୍ୟକ୍ଷ ସ୍ୱାମୀ ଅଖିଳେଶ୍ୱରାନନ୍ଦ ମହାରାଜ ଯୋଗଦେଇ ଆଜି ଏହା କହିଛନ୍ତି। ଭଗବାନ ଶ୍ରୀରାମ ଯେଉଁଠାରେ ବିରାଜମାନ ହୋଇଛନ୍ତି, ସେହି ସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବ। ଅଯୋଧ୍ୟାର ସାଂସ୍କୃତିକ ପରିସୀମା ମଧ୍ୟରେ କୌଣସି ମସଜିଦ୍ ରହିବ ନାହିଁ ବୋଲି ସେ ଦୃଢ଼ କଣ୍ଠରେ ଘୋଷଣା କରିଛନ୍ତି। ଡିସେମ୍ବର ୧୮ରୁ ୨୬ ତାରିଖ ମଧ୍ୟରେ ସମସ୍ତ ବ୍ଲକରେ ଭବ୍ୟ ସମାବେଶ ହେବା ସହ ଜାନୁଆରି ୩୧ ଓ ଫେବ୍ରୁଆରି ୧ରେ କୁମ୍ଭମେଳାରେ ଧର୍ମ ସଂସଦ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ପରିଷଦର ପୂର୍ବ ପ୍ରାନ୍ତର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ନଗେନ କୁମାର ଦେବତାଙ୍କ ଅଧ୍ୟକ୍ଷତା ଓ ପୁରୀ ବିଭାଗ ସଂପାଦକ ଉମାଶଙ୍କର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଶାଳ ସମାବେଶରେ ଅନ୍ୟତମ ଅତିଥି ଭାବେ କ୍ରିୟାଯୋଗ ଆଶ୍ରମ, ଭୁବନେଶ୍ୱର ମୁଖ୍ୟ ସ୍ୱାମୀ ଶଙ୍କରାନନ୍ଦ ଗିରି ଯୋଗ ଦେଇଥିଲେ। ସେ କହିଲେ, ଜନ ପ୍ରତିନିଧିମାନେ ସଂସଦରେ ଆଇନ ପ୍ରଣୟନ କରି ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବାରେ ସହଯୋଗ କରନ୍ତୁ। ପରିଷଦର ପ୍ରାନ୍ତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶରତ ଚନ୍ଦ୍ର ଷଡ଼ଙ୍ଗୀ ରାମ ଜନ୍ମଭୂମି ଆନ୍ଦୋଳନର ଇତିହାସ ସଂପର୍କରେ କହିଥିବା ବେଳେ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ସଂପାଦକ ମୋହିନୀ ମୋହନ ମିଶ୍ର ଭାରତୀୟ ଜୀବନ ଆଦର୍ଶରେ ପ୍ରଭୁ ଶ୍ରୀରାମଙ୍କ ମହତ୍ତ୍ୱ ଓ ପରିଷଦର ପ୍ରାନ୍ତ ଉପାଧ୍ୟକ୍ଷା ଟାଇଫନ୍‌ ଦାଶ ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନରେ ମହିଳାଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ରାମ ମନ୍ଦିର ନିର୍ମାଣ ପାଇଁ ହଜାର ହଜାର ରାମଭକ୍ତ ସଂକଳ୍ପ ନେଇଥିଲେ। ଜୟ ଶ୍ରୀରାମ ଧ୍ବନିରେ ‌ଲୋୟର ପିଏମ୍‌ଜି ପ୍ରକମ୍ପିତ ହୋଇ ଉଠିଥିଲା।

ବନବାସୀ କଲ୍ୟାଣ ଆଶ୍ରମ ସାଧାରଣ ସଂପାଦକ ଲକ୍ଷ୍ମୀକାନ୍ତ ଦାଶ, ସମ୍ ହସ୍ପିଟାଲ ଡାଇରେକ୍ଟର ଡ. ବସନ୍ତ ପତି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରାନ୍ତ ପ୍ରଚାର ପ୍ରମୁଖ ଶାରଦା ପ୍ରସାଦ ଶତପଥୀ, ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ଅଜିତ୍ ପଟ୍ଟନାୟକ ପ୍ରମୁଖ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ପ୍ରାନ୍ତ ପ୍ରଭାରୀ ସୁଧାଂଶୁ ଅଧିକାରୀ, ତେରାପନ୍ଥ ଜୈନ ସମାଜ ଅଖିଳ ଭାରତୀୟ ସମିତି ସଦସ୍ୟ ପ୍ରକାଶ ବେତାଲା ପ୍ରମୁଖ ହଜାର ହଜାର ଭକ୍ତଙ୍କୁ ସମ୍ବୋଧନ କରିଥିଲେ। ସତ୍ୟନାରାୟଣ ଦାଶ ଅତିଥି ପରିଚୟ ଦେଇଥିବା ବେଳେ ପରିଷଦର ରାଜ୍ୟ ପ୍ରବକ୍ତା ପ୍ରମୋଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଅଯୋଧ୍ୟାରେ ରଥଯାତ୍ରାକୁ ବିରୋଧ
ଭୁବନେଶ୍ୱର: ଗୋଟିଏ ପଟେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ଭିଏଚ୍‌ପି ଲୋୟର୍‌ ପିଏମ୍‌ଜି‌ରେ ଗର୍ଜନ କରିଥିବା ବେଳେ ଅପରପକ୍ଷେ ମାଷ୍ଟର କ୍ୟାଣ୍ଟିନ୍‌ରେ ସମାଜବାଦୀ ପାର୍ଟି ଏହାକୁ ବିରୋଧ କରିଛି। ଦିଲ୍ଲୀ-ଅଯୋଧ୍ୟାରେ ରାମ ରଥଯାତ୍ରା କରାଯିବା ସଦ୍‌ଭାବ ଓ ଭାଇଚାରା ବିରୋଧୀ ବୋଲି କହିଛନ୍ତି ରାଜ୍ୟ ସଭାପତି ରବି ବେହେରା। ଏ ‌ନେଇ ୫୦ରୁ ଊର୍ଦ୍ଧ୍ବ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାମ ନୁହେଁ, ରୁଟି ଚାହୁଁ ବୋଲି ସ୍ଲୋଗାନ୍‌ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ଶିବ ହାତୀ, ବେଣୁଧର ବେହେରା, ଗଙ୍ଗାରାମ ବନ୍‌ଛୋର୍‌, ତପନ ମିଶ୍ର, ରୀତା ପଟ୍ଟନାୟକ, ଲେଶଚନ ମାଝୀ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର