ବିଷାକ୍ତ ଗ୍ୟାସ୍ ନିର୍ଗତ ଜନିତ ଦୁର୍ଘଟଣା ବଡ଼ ଚ୍ୟାଲେଞ୍ଜ

ଖଣ୍ଡଗିରି: ଓଡ଼ିଶା ଅଗ୍ନିଶମ ବିଭାଗ ନିଅାଁ ଲିଭା କାମରୁ ଆରମ୍ଭ କରି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ସଡ଼କ ଦୁର୍ଘଟଣା ଭଳି ବିତ୍ପତ୍ତି ବେଳେ ଦୁର୍ଗତଙ୍କୁ ଉଦ୍ଧାର କରିବାରେ ସିଦ୍ଧହସ୍ତ। ମାତ୍ର ଏବେ ବି ଏହି ବିଭାଗ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି ବିଷାକ୍ତ ଗ୍ୟାସ୍ ନିର୍ଗତ ଜନିତ ବିପର୍ଯ୍ୟୟ। ଏଥିପାଇଁ କର୍ମଚାରୀମାନେ ସ୍ବତନ୍ତ୍ର ତାଲିମ୍‌ ନେବାର ଆବଶ୍ୟକତା ରହିଛି। ଆଜି ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନି ଓ ବିତ୍ପତ୍ତି ନିସ୍ତାର ପ୍ରଶିକ୍ଷଣ କେନ୍ଦ୍ରରେ ରାଜ୍ୟର ଫାୟାର୍ ଅଧିକାରୀମାନଙ୍କୁ ନେଇ ଆୟୋଜିତ ଦିନିକିଆ ଏକ କର୍ମଶାଳାକୁ ଉଦ୍‌ଘାଟନ କରି ଫାୟାର୍ ଡିଜିପି ବିକେ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଶ୍ରୀ ଶର୍ମା କହିଲେ, କର୍ମଶାଳାରେ ନୂଆ ଫାୟାର୍ ନିୟମ ଉପରେ ଆଲୋକପାତ କରାଯିବ। ଦ୍ବିତୀୟରେ ରାଜ୍ୟରେ ଫାୟାର୍ ସେଫ୍‌ଟି ନିୟମକୁ କିଭଳି କଡ଼ାକଡ଼ି ଭାବେ ଲାଗୁ କରାଯିବ, ତାହା ଉପରେ ବିଚାରବିମର୍ଶ କରାଯିବ। କିଛି ସଂସ୍ଥା ଅଧିକ ପୁଞ୍ଜି ବିନିଯୋଗକୁ ଡରି ଫାୟାର୍ ସେଫ୍‌ଟି ନିୟମକୁ ଲାଗୁ କରୁନାହାନ୍ତି। ଫାୟାର୍ ଅଧିକାରୀମାନେ ମଧ୍ୟ ସେମାନଙ୍କୁ ନିୟମିତ ‌ନୋଟିସ୍ କରୁନାହାନ୍ତି। କିନ୍ତୁ ଏଣିକି ଏଥିରେ କାହାର ବି କୌଣସି ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ। ୧୫ ମିଟରରୁ ଅଧିକ ଉଚ୍ଚ ସମସ୍ତ ପ୍ରକାର ଅଟ୍ଟାଳିକାରେ ଫାୟାର୍ ସେଫ୍‌ଟି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।

ଏହି କର୍ମଶାଳାରେ ରାଜ୍ୟର ୧୧୦ଜଣ ଫାୟାର୍ ଅଫିସର ଯୋଗ ଦେଇଥିବା ବେଳେ କେରଳର ୬ଜଣିଆ ଏକ ଟିମ୍‌ ସାମିଲ୍ ହୋଇଛି। କେରଳ ଚିଫ୍ ଫାୟାର୍ ଅଫିସର୍‌ ରମେଶ ଏମ୍‌ଜିଙ୍କ କହିବା କଥା ଓଡ଼ିଶାର ଫାୟାର୍ ଟ୍ରେନିଂ ବେଶ୍ ଉନ୍ନତମାନର। ତେଣୁ ଓଡ଼ିଶାର ଏହି ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରିବା ସହ ଏଠାରେ ଦିଆଯାଉଥିବା ତାଲିମ ବାବଦରେ ଜ୍ଞାନ ଆହରଣ ପାଇଁ ତାଙ୍କ ଟିମ୍‌ ଆସିଛି। ଏହି ଅବସରରେ ଆଇଜି ରାଜେଶ କୁମାର, ରାଜ୍ୟ ପୁଲିସ ହାଉସିଂ କର୍ପୋରେସନ୍‌ର ସିଏମ୍‌ଡି ଲଳିତ ଦାସ, ବରମୁଣ୍ଡା ଓଫ୍‌ଡ୍ରାର ଅଧ୍ୟକ୍ଷ ମହେଶ୍ବର ସ୍ବାଇଁ, ଚିଫ୍ ଫାୟାର୍ ଅଫିସର ସୁକାନ୍ତ ସେଠୀ ଓ ଅଧିକାରୀ ରମେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର