ବିପିଏସ୍‌ପିଏରେ ଦୀକ୍ଷାନ୍ତ ସମାରୋହ, ‘ଦେଶଭକ୍ତି ପୁଲିସକୁ କାମ କରିବାର ମାର୍ଗଦର୍ଶନ ଦିଏ’

ଖଣ୍ଡଗିରି: ଜଣେ ପୁଲିସ କର୍ମଚାରୀ ପ୍ରଥମେ ନିଜକୁ ଭାରତର ସନ୍ତାନ ବୋଲି ମନେ କରି କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। କାରଣ ପ୍ରଗାଢ଼ ଦେଶଭକ୍ତି ହିଁ ତାକୁ ସାଧାରଣ ଲୋକଙ୍କ ପାଇଁ ଠିକ୍ କାମ କରିବାର ମାର୍ଗଦର୍ଶନ କରିଥାଏ। ସାଧାରଣ ଲୋକଙ୍କୁ ଉପଯୁକ୍ତ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରି ଭାରତକୁ ବିଶ୍ବର ଏକ ଶ୍ରେଷ୍ଠ ଦେଶ ଭାବେ ଗଢ଼ିବା ପାଇଁ କାମ କରିବାକୁ ପଡ଼ିବ। ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି (ବିପିଏସ୍‌ପିଏ)ରେ ୯ମ ବ୍ୟାଚ୍ କ୍ୟାଡେଟ୍‌ ସବ୍‌ଇନ୍‌ସ୍ପେକ୍ଟର (ଏସ୍‌ଆଇ) ପାସିଂ ଆଉଟ୍ ପରେଡ୍‌ ଓ ଦୀକ୍ଷାନ୍ତ ସମାରୋହର ମୁଖ୍ୟ ଅତିଥି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହି ବାର୍ତା ଦେଇଛନ୍ତି। ଏହି ଅବସରରେ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ନିଜର ବକ୍ତବ୍ୟରେ ଏହି ପାସ୍ ଆଉଟ୍‌ ଏସ୍‌ଆଇମାନଙ୍କ ଉଦ୍ଦେଶ୍ୟରେ କହିଲେ, ପୁଲିସର ସୁସ୍ଥ ଭାବମୂର୍ତ୍ତି ଗଢ଼ିବା ହେଉଛି ବଡ଼ ଚ୍ୟାଲେଞ୍ଜ୍। ଦୁର୍ବବ୍ୟହାର ପ୍ରଦର୍ଶନ ଓ ଖରାପ ଭାଷା ପ୍ରୟୋଗ ନ କରି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିପିଏସ୍‌ପିଏର ନିର୍ଦେଶକ ଅରୁଣ ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପ୍ରଥମଥର ପାଇଁ ଏକାଥରକେ ୬୦୬ଜଣ ପୁଲିସ ଏସ୍‌ଆଇଙ୍କୁ ତାଲିମ୍ ଦିଆଯାଇ ପାରିଥିବାରୁ ଅତିଥିମାନେ ବିପିଏସ୍‌ପିଏକୁ ସାଧୁବାଦ ଅର୍ପଣ କରିଥିଲେ। ତାଲିମରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠସ୍ଥାନ ଅଧିକାର କରିଥିବା ଦେବଦତ୍ତ ସାମନ୍ତରାୟ, ସୂଚିସ୍ମିତା ପାଣ୍ଡେ, ଅରୁନ୍ଧତୀ ପରିଡ଼ା, ନିରଂଜନ ବେହେରା, ଗାୟତ୍ରୀ ଗୋଛାୟତ, ମନ୍ଦାକିନୀ ଗୁରୁ, ସସ୍ମିତା ମଲ୍ଲିକ, ସିମ୍‌ରନ ସିଂହ, ମୁକେଶ ସାହାଣୀ, ଅଭିନବ ମିଶ୍ର, ସୁନୀଲ ଯାଦବ ଓ ରାକେଶ କୁମାର ସାମଲଙ୍କୁ ପଦକ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ୯ମ ବ୍ୟାଚ୍‌ରେ ମୋଟ୍‌ ୬୦୬ ଜଣ ପୁଲିସ ଏସ୍‌ଆଇଙ୍କ ମଧ୍ୟରୁ ୩୯୪ ଜଣ ପୁରୁଷ ଓ ୨୧୨ ଜଣ ମହିଳା କ୍ୟାଡେଟ୍‌ ଉତ୍ତୀର୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର