ବିବାହ ବେଦିରୁ ବରକନ୍ୟାଙ୍କୁ ଉଠାଇ ନେଲା ପୁଲିସ

ବାଲିଅନ୍ତା: ମା’ ଦୁଲ୍ଲା ଦେବୀ ମନ୍ଦିରରେ ବିବାହ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଏକ ପ୍ରେମୀଯୁଗଳଙ୍କୁ ଉଭୟ ବାଳକାଟି ଫାଣ୍ଡି ଓ ବାଲିଅନ୍ତା ଥାନା ପୁଲିସ ବେଦିରୁ ଉଠାଇ ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ଥାନାରେ ପୁଲିସ ସେମାନଙ୍କ କିଛି ସମୟ ଅଟକ ରଖି ଜନ୍ମ ପ୍ରମାଣପତ୍ର ଯାଞ୍ଚ କରିବା ସହ ଉଭୟଙ୍କ ସମ୍ମତି ରେକର୍ଡ କରିଥିଲା। ଏହାପରେ ଉଭୟଙ୍କୁ ବିବାହ କରିବା ପାଇଁ ଅନୁମତି ଦେଇ ଅପରାହ୍‌ଣରେ ଛାଡ଼ିଦେଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ ଗତ ସପ୍ତାହରେ ଏହି ପ୍ରେମୀଯୁଗଳ ଗାଁରୁ ଫେରାର ହୋଇଯାଇଥିଲେ। ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକ ସେମାନଙ୍କ ବିବାହକୁ ବିରୋଧ କରୁଥିଲେ। ବେଣ୍ଟପୁର ଅଞ୍ଚଳର ଜଣେ ଯୁବକ ଝିଅକୁ ଅପହରଣ କରି ନେଇଥିବା ସଂପର୍କରେ ତାଙ୍କ ବାପା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଥାନାରେ ଯୁବକଙ୍କ ବିରୋଧରେ ଏକ ଅପହରଣ ମାମଲା ରୁଜୁ କରିଥିଲା। ଆଜି ପୂର୍ବାହ୍ନରେ ଏହି ପ୍ରେମୀଯୁଗଳ ଲୁଚିଛପି ଦୁଲ୍ଲା ଦେବୀ ମନ୍ଦିରରେ ବିହାହ କରିବା ନେଇ ଯୋଜନା କରିଥିଲେ। ଏ ସଂପର୍କରେ ପୂର୍ବରୁ ଖବର ପାଇ ବାଲିଅନ୍ତା ଥାନା ପୁଲିସ ମନ୍ଦିରରେ ଅତର୍କିତ ଚଢ଼ଉ କରି ଉଭୟଙ୍କୁ ବେଦିରୁ ଉଠାଇ ନେଇଥିଲା। ପରେ ବୟସ ପ୍ରମାଣପତ୍ର ଯାଞ୍ଚ କରି ଛାଡ଼ିଦେଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର