ଥାନାରେ ନାହିଁ ଭିନ୍ନକ୍ଷମଙ୍କ ଉପଯୋଗୀ ଭିତ୍ତିଭୂମି : ସମସ୍ୟା ବୁଝିବା ପାଇଁ ନାହାନ୍ତି ଇନ୍‌ଷ୍ଟ୍ରକ୍ଟର, ଭିନ୍ନକ୍ଷମ ଅନୁକୂଳ ଥାନା ପାଇଁ ପୁଲିସ କମିସନରଙ୍କୁ ଚିଠି

ଭୁବନେଶ୍ବର : ରାଜଧାନୀର କୌଣସି ବି ଥାନା ଭିନ୍ନକ୍ଷମଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ନୁହେଁ। କେବଳ ଭିତ୍ତିଭୂମି ଦୃଷ୍ଟିରୁ ନୁହେଁ, ଥାନାରେ ଭିନ୍ନକ୍ଷମଙ୍କ ଅଭିଯୋଗ ଶୁଣିବା, ସେମାନଙ୍କୁ ବୁଝାଇବା ପାଇଁ ଲାଙ୍ଗୁଏଜ୍‌ ଇନ୍‌ଷ୍ଟ୍ରକ୍ଟର୍‌ ନାହାନ୍ତି। କମିସନରେଟ୍‌ ପୁଲିସର ଏୟାରପୋର୍ଟ, ଖଣ୍ଡଗିରି ଓ ଏୟାରଫିଲ୍ଡ; ୩ଟି ଥାନାରୁ ଏଭଳି ତଥ୍ୟ ରାଜ୍ୟ ଭିନ୍ନକ୍ଷମ କମିସନଙ୍କ ହାତରେ ଲାଗିଛି।

ମଡେଲ୍‌ ଥାନା କୁହାଯାଉଥିବା ଏୟାରପୋର୍ଟ ଥାନାରେ ଭିନ୍ନକ୍ଷମଙ୍କ ପାଇଁ ଯେଉଁ ଲିଫ୍ଟ ବ୍ୟବହାର ହେବା କଥା, ତାହା କରାଯାଉ ନାହିଁ। ଭିନ୍ନକ୍ଷମମାନଙ୍କ ପାଇଁ ଶୌଚାଳୟ ମଧ୍ୟ ନାହିଁ। ଖଣ୍ଡଗିରି ଥାନାର ମଧ୍ୟ ସମବସ୍ଥା। ଯଦିଓ ଉଭୟ ଥାନାରେ ରୢାମ୍ପ ଓ ଭିନ୍ନକ୍ଷମଙ୍କ ପାଇଁ ବ୍ୟବହୃତ ଟାଇଲ୍ସ୍‌ ରହିଛି, କିନ୍ତୁ ଏୟାରଫିଲ୍ଡ ଥାନାରେ ଭିନ୍ନକ୍ଷମଙ୍କ ଆଦୌ କୌଣସି ସୁବିଧା ସୁଯୋଗ ନାହିଁ। ୩ଟି ଥାନାରେ ଭିନ୍ନକ୍ଷମଙ୍କ ଅଭିଯୋଗ ଶୁଣିବା କି‌ ସେମାନଙ୍କୁ ବୁଝାଇବା ପାଇଁ ଇନ୍‌ଷ୍ଟ୍ରକ୍ଟର ନାହାନ୍ତି। କମିସନରେଟ୍‌ ପୁଲିସର ମଡେଲ୍‌ ଥାନା‌ରେ ଯଦି ଅବସ୍ଥା ଏପରି, ତେବେ ଅନ୍ୟ ଥାନାରେ ଭିନ୍ନକ୍ଷମଙ୍କ ପାଇଁ କିଭଳି ସୁବିଧା ସୁଯୋଗ ଥିବ, ତାହା ଅନୁମାନ କରାଯାଇପାରେ। ଥାନାଗୁଡ଼ିକରେ ଏଭଳି ଅବସ୍ଥା ପାଇଁ ରାଜ୍ୟ ଭିନ୍ନକ୍ଷମ କମିସନ୍‌ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଭିନ୍ନକ୍ଷମ ଆଇନ ୨୦୧୬ ଲାଗୁ ପରଠାରୁ ୫ବର୍ଷ ମଧ୍ୟରେ ସବୁ ଥାନାକୁ ଭିନ୍ନକ୍ଷମ ଅନୁକୂଳ କରିବା କଥା। ନିୟମ ଲାଗୁ ହେବାର ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଥାନାରେ ଏଭଳି ବ୍ୟବସ୍ଥା ଦେଖି ଭିନ୍ନକ୍ଷମ କମିସନ୍‌ ଅଧ୍ୟକ୍ଷ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ତୁରନ୍ତ କମିସନରେଟ୍‌ ପୁଲିସର ସମସ୍ତ ଥାନାକୁ ଭିନ୍ନକ୍ଷମ ଅନୁକୂଳ କରିବା ପାଇଁ ପୁଲିସ କମିସନରଙ୍କୁ ଚିଠି ଲେଖିଛନ୍ତି।

ଅଧ୍ୟକ୍ଷା ସୁଲୋଚନା ଦାସ କହିଛନ୍ତି ଯେ ଏନେଇ ସେ କମିସନରେଟ୍‌ ପୁଲିସ ଅଧୀନ କେତୋଟି ଥାନା ପରିଦର୍ଶନ କରିଛନ୍ତି। ଯେଉଁ ସବୁ ଥାନାର ଭିତ୍ତିଭୂମିରେ ସମସ୍ୟା ରହିଛି, ସେଗୁଡ଼ିକୁ ଚିହ୍ନଟ କରି ଥାନା ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି। ବଡ଼ କଥା ହେଲା, ଭିନ୍ନକ୍ଷମଙ୍କ କଥା ବୁଝିବା ଓ ତାଙ୍କୁ ବୁଝାଇବା ପାଇଁ ଇନ୍‌ଷ୍ଟ୍ରକ୍ଟର ନାହାନ୍ତି। ବାହାରୁ ଇନ୍‌ଷ୍ଟ୍ରକ୍ଟର ଡକାଯାଇ ସେମାନଙ୍କ କଥା ବୁଝାଯାଉଥିବା କେତେକ ଥାନା ଅଧିକାରୀ କହିଛନ୍ତି। ‌ତେବେ ଭିନ୍ନକ୍ଷମଙ୍କ ପାଇଁ କାହିଁକି ସ୍ଥାୟୀ ଇନ୍‌ଷ୍ଟ୍ରକ୍ଟର ରଖାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସ୍ଥାୟୀ ଇନ୍‌ଷ୍ଟ୍ରକ୍ଟର ରଖିଲେ ଭିନ୍ନକ୍ଷମମାନେ ବି ନିଯୁକ୍ତି ସୁଯୋଗ ପାଇପାରନ୍ତେ ବୋଲି ସେ କହିଛନ୍ତି।

ଅପରପକ୍ଷେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଏ ଦିଗରେ ଆମେ ସଚେତନ ଅଛୁ। ଥାନାଗୁଡ଼ିକର ଭିତ୍ତିଭୂମି ପୁରୁଣା ହୋଇଯାଇଥିବାରୁ ସମସ୍ୟା ଥାଇପାରେ। ଖୁବ୍‌ଶୀଘ୍ର ତାହାର ସମାଧାନ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥ ମଞ୍ଜୁର ପାଇଁ ଆବେଦନ କରିଛୁ। ଭିନ୍ନକ୍ଷମ କମିସନ୍‌ ଆଇନ୍‌ ମୁତାବକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର