‘ପ୍ରତିଭା’ର ବାର୍ଷିକ ଉତ୍ସବ ଛୋଟ ମୋର ଗାଁଟି ଗୀତରେ ବିଭୋର ଶ୍ରୋତା

ଭୁବନେଶ୍ୱର: ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତା’ର ନାଁ ଟି…..ଠୁ ନେଇ ‘ଆରେ ମୋ ଲଚକ ବାଲି ଋଷି ତୁ ଯାଆନା ଚାଲି.. ପରି ଅନେକ ସୁମଧୁର ଓଡ଼ିଆ ଏବଂ ହିନ୍ଦୀ ଗୀତ ଭାସି ଆସୁଥିଲା ଜୟଦେବ ଭବନରୁ। ଅବସର ଥିଲା ‘ପ୍ରତିଭା’ର ଷଷ୍ଠ ବାର୍ଷିକ ଉତ୍ସବ ଏବଂ ‘ପ୍ରତିଭା ସମ୍ମାନ-୨୦୧୮’ ସମାରୋହ। ଏହି କାର୍ଯ୍ୟକ୍ରମରେ ପ୍ରିୟା ବିନା ଝୁରେ ଖାଲି ପ୍ରୀତି ବିନା ଝୁରେ ଖାଲି, ହାଏରେ ଝରା ଫୁଲଟିଏ ମୁଁ, ରଜନୀ ଗୋ ମୋ ପ୍ରିୟା ନୟନେ ଦିଅ ଗୋ ସପନ, ଦିବାନା ମୁଝ୍‌ସା ନେହିଁ…ପରି ଅନେକ ମନଛୁଆଁ ଗୀତ ପରିବେଷିତ ହୋଇଥିଲା। ନୀଳମଣି ଓଝାଙ୍କ ପରିଚାଳନାରେ ଦୁର୍ଗାଶ୍ରୀ, ବିଦ୍ୟାଶ୍ରୀ, ରିଶ୍ରିତା, ଦେବାଂଶୁ, ସ୍ୱରାଜ, ମୋହିତ, ଶ୍ରୀନିବାସ ଏବଂ ଚିତ୍ତରଞ୍ଜନ ପ୍ରମୁଖ କଣ୍ଠଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ରବି ନାରାୟଣ ସେନାପତି ଓ ସମ୍ମାନିତ ଅତିଥି ଭାବେ ଗୀତିକାର ସଚ୍ଚି ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଆ ଶିଶୁ ସାହିତ୍ୟିକ ହଂସନାଥ ମୁଦୁଲିଙ୍କୁ ‘ପ୍ରତିଭା ସମ୍ମାନ-୨୦୧୮’ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ସଞ୍ଜୟ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଚିତ୍ତରଞ୍ଜନ ସାହୁ ଏବଂ ଅନୁଷ୍ଠାନର ସହ-ସମ୍ପାଦିକା ଦୀପ୍ତିବାଳା ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର