ତେଜୁଛି ମହାସୁଲ ଆଦାୟ ବନ୍ଦ ଦାବି

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ଆଖପାଖରେ ଆଦାୟ ହେଉଥିବା ଦାଣ୍ଡ ମହାସୁଲକୁ ନେଇ ଦେଖା ଦେଇଥିବା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ବାରମ୍ବାର ଅଭିଯୋଗ, ଧାରଣା, ବିକ୍ଷୋଭ ପରେ ବି ମନ୍ଦିର ଓ ଦେବୋତ୍ତର ପ୍ରଶାସନ ଚୁପ୍‌ ରହୁଛି। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ସହ ଏ ସଂପର୍କରେ ଆଲୋଚନା କରିବାକୁ ଦେବୋତ୍ତର କମିସନର୍‌ ଆଜିକୁ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ଆଜି ଏ ବାବଦରେ କୌଣସି ଆଲୋଚନା ନ ହେବାରୁ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ନିରବତା ଅବଲମ୍ବନ କରୁଥିବାରୁ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଏକାମ୍ର ଜନଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ସମେତ ଜୁଲୁମ୍‌ର ଶିକାର ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।

ମଞ୍ଚର ଅଭିଯୋଗ ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିର ଆଖପାଖ ୫ ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଗରିବ ବ୍ୟବସାୟୀଙ୍କଠୁ ମନ୍ଦିର ପ୍ରଶାସନ ପକ୍ଷରୁ ଦାଣ୍ଡ ମହାସୁଲ ଆଦାୟ କରାଯାଉଛି। ଦିନକୁ ୧୦ ଟଙ୍କା ନିୟମ ଥିବା ବେଳେ ୨୦ଟଙ୍କା ନଚେତ୍‌ ମାସକୁ ୫ଶହ ଟଙ୍କା ଆଦାୟ କରାଯାଇ ଜୁଲମ କରାଯାଉଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମନ୍ଦିର ପ୍ରଶାସନକୁ ଏହି ମହାସୁଲ ଜୁଲମ ନେଇ ଦିନକୁ ୧୦ରୁ ଊର୍ଧ୍ୱ ଅଭିଯୋଗ ଆସୁଛି। ମହାସୁଲ ଜୁଲମର ଶିକାର ହୋଇଥିବା ବ୍ୟବସାୟୀମାନେ ଏହାକୁ ବନ୍ଦ କରିବାକୁ ଦାବି କରୁଛନ୍ତି। ସେହିପରି ଶ୍ରୀଲିଙ୍ଗରାଜ ଥାନାରେ ଚଳିତ ସପ୍ତାହରେ ୪ଟି ଅଭିଯୋଗ କରାଯାଇଛି। ଏନେଇ ମନ୍ଦିର କାର୍ଯ୍ୟନିର୍ବହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହନ୍ତି, ଏ ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ବୈଠକରେ ଆଲୋଚନା କରାଯିବ।

ସମ୍ବନ୍ଧିତ ଖବର