କମିସନରେଟ୍‌ ପୁଲିସର ନିୟମକୁ ବେଖାତିର : ଚାଲିଛି ବେଲଗାମ୍‌ ଚାନ୍ଦା ଆଦାୟ

ଅସହାୟ ସହରବାସୀ, ମୁଣ୍ତ ନୁଆଁଉଛନ୍ତି ବ୍ୟବସାୟୀ, ଥାନାକୁ ଆସୁନି ଅଭିଯୋଗ, ପୁଲିସ ନାଚାର

ଭୁବନେଶ୍ୱର : କଟକ-ଭୁବନେଶ୍ୱରରେ ପୂଜା ଚାନ୍ଦା ଆଦାୟ ଉପରେ ଏଥର କଟକଣା ଜାରି କରିଛି କମିସନରେଟ୍‌ ପୁଲିସ। କୌଣସି ପୂଜା ସଙ୍ଗଠନ ଜୋରଜବରଦସ୍ତ ଲୋକଙ୍କଠାରୁ ଚାନ୍ଦା ଆଦାୟ କରିପାରିବେ ନାହିଁ। ଯଦି କୌଣସି ପୂଜା ଅନୁଷ୍ଠାନ କିମ୍ବା ସଙ୍ଗଠନ ଏପରି କରୁଥିବା ନଜରକୁ ଆସିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ପୁଲିସ କମିସନର ଘୋଷଣା କରିବା ସହ ନିର୍ଦେଶନାମା ଜାରି କରିଛନ୍ତି। ହେଲେ କମିସନରେଟ୍‌ ପୁଲିସର ଏହି ନିର୍ଦେଶନାମାକୁ କେହି ଖାତିର୍‌ କରୁନାହାନ୍ତି।

ସହରର ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ପକ୍ଷରୁ ପୂର୍ବ ବର୍ଷଗୁଡ଼ିକ ଭଳି ଚାନ୍ଦା ଆଦାୟ କରାଯାଉଛି। ପୂଜା କମିଟି ସଦସ୍ୟଙ୍କ ମୁହଁରୁ ଯେତିକି ଟଙ୍କା ବାହାରୁଛି, ସେତିକି ଦେବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି। ଗଣେଶ ପୂଜାଠାରୁ ଏହି ଧାରା ଜାରି ରହିଥିବା ବେଳେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇପାରୁନି। ଯେଉଁଥିପାଇଁ ଚାନ୍ଦା ଆଦାୟ ସହ ଗୋଷ୍ଠୀ ସ˚ଘର୍ଷ ବଢ଼ିବାରେ ଲାଗିଛି। ଆଗକୁ ଦୁର୍ଗା ପୂଜା ଥିବାରୁ ତାହା ପୁଲିସ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବଡ଼ କଥା ହେଉଛି ଯେ ଲୋକେ ଭୟରେ ଥାନାରେ ମାମଲା ରୁଜୁ କରୁ ନ ଥିବାରୁ ପୁଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନି। ଥାନା ଅଧିକାରୀମାନେ ନିଜର ଅସହାୟତା ପ୍ରକାଶ କରୁଛନ୍ତି।

ଗତ ଗଣେଶ ପୂଜା ସମୟରେ ଚାନ୍ଦା ଆଦାୟକୁ ନେଇ ସମେଇଗାଡ଼ିଆ ଓ ମଞ୍ଚେଶ୍ବର ଅଞ୍ଚଳରେ ଭଙ୍ଗାରୁଜା, ଗଣ୍ଡଗୋଳ ଓ ଗୋଷ୍ଠୀ ସ˚ଘର୍ଷ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ପୁଲିସ ଘଟଣାକୁ ହାଲୁକା ଭାବେ ନେବାରୁ ତିନି ଦିନ ତଳେ ସମେଇଗାଡ଼ିଆ ଅଞ୍ଚଳରେ ଚାନ୍ଦା ଆଦାୟକୁ ନେଇ ପୁଣିଥରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ ସ˚ଘର ସଦସ୍ୟମାନେ ଗଣ୍ଡଗୋଳ କରିବା ସହ ଭଙ୍ଗାରୁଜା କରିଥିଲେ। ସେହିପରି ସହିଦନଗର ଥାନା ଅଞ୍ଚଳରେ ଚାନ୍ଦା ଆଦାୟକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିଏମ୍‌ସିର ଜଣେ କର୍ପୋରେଟର୍‌ ଓ ତାଙ୍କ ଭାଇଙ୍କୁ କେତେଜଣ ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। ଗଣ୍ଡଗୋଳ ଉଗ୍ରରୂପ ନେବାରୁ ପୁଲିସ ପ୍ରାୟ ୮ ଜଣଙ୍କୁ ଗିରଫ କରିଥିଲା।

ଚାନ୍ଦା ଆଦାୟ ଓ ଗଣ୍ଡଗୋଳ ଅଭିଯୋଗରେ ଦୁଇ ଦିନ ତଳେ ଇନ୍‌ଫୋସିଟି ଥାନା ପୁଲିସ ଜଳିସାହି ବସ୍ତିର ୮ଜଣଙ୍କୁ ଅଟକ ରଖିଛି। ଗଣେଶ ପୂଜାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଚାନ୍ଦା ମାଗିବା ଓ ମାଡ଼ ମାରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୂଜାରେ ଚାନ୍ଦା ଆଦାୟକୁୁ ନେଇ ଗତକାଲି ମଧ୍ୟ ଇନ୍‌ଫୋସିଟି ଥାନା ଅଧୀନରେ ଥିବା ଏକ ଯୁବକ ସ˚ଘର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷର ୪ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ଏହାବ୍ୟତୀତ ସହରର ନୟାପଲ୍ଲୀ, ଖାରବେଳ ନଗର, ଖଣ୍ଡଗିରି, ବଡ଼ଗଡ଼, ଲକ୍ଷ୍ମୀସାଗର, ସହିଦନଗର ଥାନା ଅଞ୍ଚଳରେ ବି ଏବେ ପୂଜା ଚାନ୍ଦା ଆଦାୟ ହେଉଥିଲେ ମଧ୍ୟ ରୋକ୍ ଲଗାଯାଇପାରୁନି। ବିଶେଷକରି ବ୍ୟବସାୟୀଙ୍କ ଉପରେ ଜୋରଜବରଦସ୍ତ ପୂଜା ଚାନ୍ଦା ଲଦି ଯାଉଥିଲେ ମଧ୍ୟ ସେମାନେ ଭୟରେ କିଛି କହିପାରୁନାହାନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ରାଜଧାନୀରେ ଚାନ୍ଦା ଆଦାୟ ଓ ଗୋଷ୍ଠୀ ସ˚ଘର୍ଷ ଉପରେ କମିସନରେଟ୍‌ ପୁଲିସ କାବୁ କରି ପାରି ନାହିଁ। ଚାନ୍ଦା ନଦେଲେ ଜୀବନ ପ୍ରତି ଭୟ ଥିବାରୁ ପୁଲିସ୍‌ ଉପରେ ଭରସା ନକରି ଦୁର୍ବୃତ୍ତଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଉଛନ୍ତି ରାଜଧାନୀବାସୀ।

ଚାନ୍ଦା ମାଗିଲେ ପୁଲିସ କମିସନରଙ୍କୁ ଫୋନ୍ କର

କେହି ଜବରଦସ୍ତ ଚାନ୍ଦା ମାଗିଲେ ମୋତେ ଫୋନ୍‌ କଲ୍‌ କରନ୍ତୁ ବୋଲି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି। ଆଜି ଏ ନେଇ ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟା ଦେଇ ପୁଲିସ କମିସନର ଶ୍ରୀ ମହାନ୍ତି ନିଜ ମୋବାଇଲ୍ ନମ୍ବର – ୮୨୮୦୩୩୮୩୦୦ରେ କଲ୍ କିମ୍ବା ଏସ୍ଏମ୍ଏସ୍ ପଠାଇବାକୁ କହିଛନ୍ତି। ସୂଚନା ପ୍ରଦାନକାରୀଙ୍କ ନାମ ଗୋପନ ରଖାଯିବା ସହ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର୍‌ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର