ଡରାଇଲା ଘଡ଼ଘଡ଼ି, ବଜ୍ରପାତରେ ଜଳିଗଲା ୨ ଗଛ

ଭୁବନେଶ୍ବର: ଦିନ ତମାମ୍‌ ଅସମ୍ଭାଳ ଖରା ହେଉଥିଲା। ଆଜି ତାପମା‌ତ୍ରା ୩୮.୬ଡିଗ୍ରି ଛୁଇଁଥିଲା। ଖରା ଓ ଗୁଳୁଗୁଳିରେ ରାଜଧାନୀବାସୀ ପୂରା କିଲବିଲ୍‌ ହୋଇଯାଇଥିଲେ। ହେଲେ ଅପରା‌ହ୍ନ ୫ଟା ବେଳକୁ ହଠାତ୍ ପାଗ ବଦଳିଲା। ଆକାଶ ମେଘାଛନ୍ନ ହୋଇଗଲା। କିନ୍ତୁ ସଂଧ୍ୟା ୬ଟା ବେଳକୁ ବର୍ଷା ଯେତିକି ହେଲାନି ତାହାଠାରୁ ଅଧିକ ଘଡ଼ଘଡ଼ି, ବିଜୁଳି ମାରିଲା। ସଂଧ୍ୟାରେ ପ୍ରାୟ ଦେଢ଼ ଘଣ୍ଟା କାଳ ପ୍ରବଳ ଘଡ଼ଘଡ଼ି ସହ ବିଜୁଳି ମାରିବାରୁ ‌ଲୋକ ଭୟଭୀତ ହୋଇଗଲେ। ଘଡ଼ଘଡ଼ିର ତୀବ୍ରତା ଏତେ ଥିଲା ଯେ, କାନ ତାବ୍‌ଜା କରିଦେଉଥିଲା। ଛାତିରେ ଛନକା ପଶେଇ ଦେଉଥିଲା। ଆକାଶ ପୂରା ଆଲୋକିତ ହେବା ସହ ଉପରେ ବଜ୍ର ପଡ଼ିଗଲା ଭଳି ଲାଗୁଥିଲା। ବିଜୁଳି ଓ ଘନଘନ ଘଡ଼ଘଡ଼ିର କମ୍ପନରେ ରାଜଧାନୀବାସୀ ପୂରା ଭୟଭୀତ ହୋଇଯାଇଥିଲେ। ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ବି ଘନ ଘନ ସତର୍କ ସୂଚନା ଦିଆଯାଇଥିଲା। ପ୍ରବଳ ଘଡ଼ଘଡ଼ି ଓ ବିଜୁଳି ମାରିବାର ଆଶଙ୍କା କରି ପାଣିପାଗ କେନ୍ଦ୍ର ସତର୍କ ବୁଲେଟିନ୍ ଜାରି କରିଥିଲା। ଘରୁ ନବାହାରିବାକୁ ପରାମର୍ଶ ଦେଇଥିଲା। ହେଲେ ଘରୁ ବାହାରି ଯାଇଥିବା ଲୋକ ବିଜୁଳି ଓ ଘଡ଼ଘଡ଼ି ଦେଖି କେଉଁଆଡ଼େ ଯିବେ ବାଟ ପାଇନଥିଲେ। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆଜି ସଂଧ୍ୟାରେ କାଳବୈଶାଖୀ ଜନିତ ବର୍ଷା ହୋଇଛି। ଅଳ୍ପ କିଛି ସମୟ ପାଇଁ ବର୍ଷା ହୋଇଥିବାରୁ ଭୁବନେଶ୍ବରରେ ୩.୬ମିମି ବର୍ଷା ରେକର୍ଡ ହୋଇଛି। ହେଲେ ଚନ୍ଦ୍ରଶେଖରପୁର ଏବଂ ନନ୍ଦନକାନନ ଆଦି ଅଞ୍ଚଳରେ ଭଲ ବର୍ଷା ହୋଇଥିବା ଜଣାପଡ଼ିଛି। କଟକରେ ୧୫.୮ମିମି ବର୍ଷର ରେକର୍ଡ ହୋଇଛି। ବଙ୍ଗୋପସାଗରରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ଏକ ଟର୍ଫ ଲାଇନ୍ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ଘଡ଼ଘଡ଼ି ଅଧିକ ହୋଇଥିଲା ବୋଲି କୁହାଯାଇଛି। ଆଜି ରାଜଧାନୀରେ କାଳବୈଶାଖୀ ଜନିତ ବର୍ଷା ହୋଇଥିଲେ ହେଁ ଜୋର୍‌ରେ ପବନ ହୋଇନି। ତେବେ ବଜ୍ରପାତ ଯୋଗୁଁ ବାଲିଅନ୍ତା ଥାନା ଅଧୀନ ବୁଢ଼ାଳ ଗ୍ରାମରେ ୫୦ ଫୁଟ ଉଚ୍ଚତାର ୨ଟି ନଡ଼ିଆ ଓ ତାଳ ଗଛ ଜଳି ଯାଇଛି। କାଳ ବୈଶାଖୀ ପ୍ରଭାବରେ ମେଘ ପବନ ସାଙ୍ଗକୁ ବଜ୍ରପାତ ହେବାରୁ ବୁଲେଇ ଭୋଇଙ୍କର ପାଳଗଦା ମଧ୍ୟ ପୋଡ଼ି ପାଉଁସ ହୋଇଯାଇଛି। ସୌଭାଗ୍ୟବଶତଃ ସେଠାରେ ଥିବା ପରିବାର ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏ ସଂପର୍କରେ ଖବର ପାଇ ବାଲିଅନ୍ତା ସ୍ଥିତ ଅଗ୍ନିଶମ ସେବା ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଳଗଦା ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ଗଛ ଜଳିଯାଇଥିଲା।

ସମ୍ବନ୍ଧିତ ଖବର