ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟ: ନାକ୍‌ରେ ‘ବି+’ ଗ୍ରେଡ୍‌ ମାନ୍ୟତା

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟକୁ ଜାତୀୟସ୍ତରରେ ସଫଳତା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ(ନାକ୍) ପକ୍ଷରୁ ଭୁବନେଶ୍ବରର ଏହି କଲେଜକୁ ‘ବି+’ ଗ୍ରେଡ୍‌ ମାନ୍ୟତା ପ୍ରଦାନ କରାଯାଇଛି। ପ୍ରଥମ ଥର ଲାଗି କଲେଜକୁ ଏଭଳି ସଫଳତା ମିଳିଥିବାରୁ କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଆସନ୍ତା ୫ ବର୍ଷ ଲାଗି ମହାବିଦ୍ୟାଳୟର ଏହି ବଜାୟ ରହିବ ବୋଲି ନାକ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ନାକ୍‌ ଟିମ୍‌ ନିମନ୍ତ୍ରଣ କରିବାଠାରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଭିତ୍ତିଭୂମି ସଜାଡ଼ିବାରେ ଲାଗିପଡ଼ିଥିଲେ। କ୍ୟାମ୍ପସକୁ ଚକ୍କାଚକ୍‌ କରାଯିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଲାଗି ବିଭିନ୍ନ ପ୍ରଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଅତ୍ୟାଧୁନିକ ପାଠାଗାରଠାରୁ କମନ୍‌ ରୁମ୍‌ ଯାଏ ସୁବ୍ୟବସ୍ଥିତ ହୋଇଥିଲା। ଲାବରେଟୋରିର ବିକାଶ କରାଯାଇଥିଲା। କଲେଜ କର୍ତ୍ତୃପକ୍ଷଙ୍କ ନିମନ୍ତ୍ରଣକ୍ରମେ ଗତ ସପ୍ତାହରେ ରମେଶ ଚନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ସୁବାଶିନୀ ଆର୍ଯ୍ୟ, ଶୁଭରାଜ୍‌ ଶ୍ରୀନିବାସ ରାଘବନ୍‌କୁ ନେଇ ତିନି ଜଣିଆ ପ୍ରତିନିଧି ଦଳ ଗତ ସପ୍ତାହରେ ମହାବିଦ୍ୟାଳୟକୁ ପରିଦର୍ଶନ କରିଥିଲେ। ଦୁଇ ଦିନ ଧରି କ୍ୟାମ୍ପସ ଭିତ୍ତିଭୂମି ଯାଞ୍ଚ କରିବା ପରେ କଲେଜକୁ ‘ବି+’ ମାନ୍ୟତା ପ୍ରଦାନ କରିଛନ୍ତି। ଭିତ୍ତିଭୂମି, ଶିକ୍ଷାଦାନ ପ୍ରଣାଳୀ, ଅନୁସନ୍ଧାନ, ନବୀକରଣ, ବିସ୍ତୃତିକରଣ, ଶିକ୍ଷାଦାନର ଉତ୍ସ, ବିଦ୍ୟାର୍ଥୀ ପ୍ରଗତି ଓ ସହାୟତା, ପ୍ରବନ୍ଧନ, ଗବେଷଣା, ନେତୃତ୍ୱ ଓ ପ୍ରଶାସନ, ସଂସ୍ଥାଗତ ମୂଲ୍ୟବୋଧ ଏବଂ ଶ୍ରେଷ୍ଠ କାର୍ଯ୍ୟ ପଦ୍ଧତି ଆଦି ୭ଟି ଭିନ୍ନ ଭିନ୍ନ ବିଷୟକୁ ନେଇ ସେମାନେ ଅନୁଧ୍ୟାନ କରିଥିଲେ।

୧୯୯୩ରେ ପ୍ରତିଷ୍ଠା ହୋଇଥିବା ଏହି ମହାବିଦ୍ୟାଳୟ ପ୍ରଥମ ଥରରେ ଭଲ ଗ୍ରେଡ୍‌ ହାସଲ କରିଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଡିଗ୍ରି ପାଠ୍ୟକ୍ରମରେ ଏବେ ୧୨୩୫ ପିଲା ପଢ଼ୁଛନ୍ତି। ୧୩ଟି ଅନର୍ସ ବିଷୟ ଥିବା ବେଳେ ପଢ଼ାଇବାକୁ ୩୦ଜଣ ଅଧ୍ୟାପକ ଅଧ୍ୟାପିକା, ୧୫ଜଣ ଅଣ-ଶିକ୍ଷକ କର୍ମଚାରୀ ରହିଛନ୍ତି। କ୍ୟାମ୍ପସରେ ୧୦୦ ସିଟ୍‌ ବିଶିଷ୍ଟ ଇ-ଲାଇବ୍ରେରି, ୧୦ ହଜାରରୁ ଅଧିକ ପାଠ୍ୟପୁସ୍ତକ, ଛାତ୍ରୀଙ୍କ ପାଇଁ ଦୁଇଟି ସାନିଟାରି ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌, ଅର୍ଗାନିକ୍‌ ଫାର୍ମିଂ, ଡ.ପ୍ରାଣକୃଷ୍ଣ ପରିଜା ବଟାନିକାଲ ଗାଡେନ୍‌, ୪ ଏକର ପରିମିତ ‌ଖେଳ ପଡ଼ିଆ, ଇ-ଅଫିସ୍‌, ଦୁଇ କେଭିର ସୋଲାର ସିଷ୍ଟମ, ଏସି ଗେଷ୍ଟ ହାଉସ, ୩୦୦ ସିଟ୍‌ର ସମ୍ମିଳନୀ କକ୍ଷ, ୫ଟି ଲାବରେଟୋରି, କ୍ୟାଣ୍ଟିନ୍‌, ବ୍ୟାଙ୍କ, ଏନ୍‌ଏସ୍‌ଏସ୍‌, ୟୁଥ୍‌ ରେଡକ୍ରସ୍‌, ସ୍କାଉଟ୍‌ ଆଣ୍ଡ ଗାଇଡ୍‌, ମୋ କଲେଜ ଅଭିଯାନର ଆଲୁମିନି ଆସୋସେସନ୍‌ ରହିଛି। ପିଲାଙ୍କ ସୁରକ୍ଷା ଲାଗି ୬୪ଟି ସିସିଟିଭି ଲାଗିଥିବା ବେଳେ ମାଗଣା ୱାଇ-ଫାଇ ଉପଲବ୍ଧ କରାଯାଇଛି।

ମହାବିଦ୍ୟାଳୟ ଅଧକ୍ଷ ପ୍ରଶାନ୍ତ ରାଉତ କହିଛନ୍ତି ଯେ ଏହି ମାନ୍ୟତା ପରେ ରାଜଧାନୀରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ଅଗ୍ରଣୀ ମହାବିଦ୍ୟାଳୟରେ ପରିଣତ ହେବ। ପ୍ରଥମ ଥରରେ ‘ବି+’ ଗ୍ରେଡ୍‌ ମିଳିଛି। ପରବର୍ତ୍ତୀ ସମୟରେ ନାକ୍‌ ଟିମ୍‌ ଆସିଲା ବେ‌ଳକୁ ନିଶ୍ଚିନ୍ତ ଭାବେ ‘ଏ’ ଗ୍ରେଡ୍‌ ମାନ୍ୟତା ମିଳିବ ବୋଲି ଆଶା। ଆଗାମୀ ଦିନରେ ପିଜି ପାଠ୍ୟକ୍ରମ ଖୋଲିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏହି ସଫଳତା ପାଇଁ ପରିଚାଳନା ସମିତି ଅଧ୍ୟକ୍ଷ ତଥା ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ବିଦ୍ୟାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର