ମୃତ୍ୟୁ ପରେ ବି ଅଲୋଡ଼ା ନୁହନ୍ତି ଅଟ୍ଟମୁରୀ

ଭୁବନେଶ୍ୱର : ଯେବେ ନିଜ ଲୋକ ହାତ ଛାଡ଼ିଦେଲେ ସେବେ ବାହାର ଲୋକ ତାଙ୍କୁ ହାତ ବଢ଼େଇ କୋଳେଇ ନେଲେ। ଯେବେ ଜିଇଁବାର ସବୁ ଆଶା ତୁଟି ଯାଇଥିଲା ସେତେବେଳେ ସେମାନେ ବଞ୍ଚିବାର ରାହା ଦେଖାଇଲେ। ଆଉ ମୃତ୍ୟୁ ପରେ ବି ସେ ଅଲୋଡ଼ା ହୋଇଗଲେନି। ବରଂ ଅପରମାନେ ନିଜ ଲୋକ ଭଳି ତାଙ୍କ ପାଇଁ ଏକଦଶାହ ପାଳିଲେ। ନିଜ ପରିବାର ତାଙ୍କୁ ପର କରି ଦେବା ପରେ ବିଏମ୍‌ସି ପରିଚାଳିତ ଗଙ୍ଗନଗରସ୍ଥିତ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ରହୁଥିବା ବିଶାଖାପାଟଣାର ରମେଶ ଅଟ୍ଟମୁରୀଙ୍କ ମୃତ୍ୟୁ ପରେ ଦେଖିବାକୁ ମିଳିଛି ଏଇଭଳି ମର୍ମସ୍ପର୍ଶୀ ଘଟଣା।

ବିଏମ୍‌ସି ଓ ପତିତ ଉଦ୍ଧାର ସମିତି ପକ୍ଷରୁ ଏନେଇ ଆଜି ସମ୍ପୃକ୍ତ ଆଶ୍ରୟସ୍ଥଳୀରେ ଏକାଦଶାହ ଭୋଜିରେ ଶହଶହ ଲୋକଙ୍କୁ ଆପାୟିତ କରାଯାଇଥିଲା। ଦିନରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଥିଲା। ପୁଣି ସନ୍ଧ୍ୟାରେ ସାଇ ଭଜନ ଆୟୋଜନ କରି ସ୍ୱର୍ଗତ ରମେଶଙ୍କୁ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଥିଲେ ଅନ୍ତେବାସୀମାନେ। ଅନେକ ନିରାଶ୍ରିତ ଏଠାରେ ଦିନ କାଟୁଥିବା ବେଳେ ଏଭଳି ଆୟୋଜନ ଦେଖି ସେମାନଙ୍କ ଭିତରେ ଯେମିତି ନୂଆ ଆଶା ଜାଗି ଉଠୁଥିଲା। ପତିତ ଉଦ୍ଧାର ସମିତି ଏମିତି ଏକ ନିଆରା କାର୍ଯ୍ୟକ୍ରମ କରି ଉଦାହରଣ ସୃଷ୍ଟି କରିଛି। ଏହି ଅବସରରେ ହାଉସିଂ ଓ ଅର୍ବାନ ଡେଭଲପ୍‌ମେଣ୍ଟ୍‌ ବିଭାଗର ସ୍ୱତନ୍ତ୍ର ସଚିବ ସୁରେନ୍ଦ୍ର ପ୍ରସାଦ ଦାସ, ସନ୍ତୋଷ କୁମାର ମହାପାତ୍ର, ଦେବାଶିଷ ମହାପାତ୍ର, ନିହାର ରଂଜନ ପାତ୍ର ଏବଂ ଅମ୍ରିତା ଦାସଗୁପ୍ତା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଥିଲେ। ଆଭାରାଣୀ ଚୌଧୁରୀ, ମାତୃମୟୀ ପ୍ରିୟଦର୍ଶିନୀ, ପ୍ରିୟମ୍ବଦା ବିଶ୍ୱାଳ ଓ ଗୌରହରି ପଲାଇ ନିଜର ଲୋକ ଭଳି ସମଗ୍ର ଉତ୍ସବକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର