ଫୁଲ ଏବେ ରଙ୍ଗୋଲିରେ

ଆରମ୍ଭ ହେଲା ପ୍ରଦର୍ଶନୀ ‘ଫୁଲରେ ଫୁଲରେ’

ଭୁବନେଶ୍ୱର: ଫୁଲ କହୁଥିଲା କଥା, ଦେଇ ଚାଲିଥିଲା ଜୀବନର ବାର୍ତ୍ତା। କେବେ ଏହା ମଣିଷର ଶୈଶବ, କୈଶୋର, ଯୁବା ଓ ବୃଦ୍ଧାବସ୍ଥାର କାହାଣୀ କହୁଥିଲା ତ’ କେଉଁଠି କଳସରୁ ଖସି ଯାଉଥିବା ଫୁଲ ଜରିଆରେ ଜୀବନର ସ୍ରୋତ କଥା ବୟାନ କରୁଥିଲା। ପୁଣି ମାଣବସା ଝୋଟି ଚିତାରୁ ଆରମ୍ଭ କରି ପଶାପାଲି କଥା ମନେ ପକାଇ ଦେଉଥିଲା। ଅବସର ଥିଲା ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଫୁଲ ରଙ୍ଗୋଲି ଚିତ୍ରକଳା ପ୍ରଦର୍ଶନୀ ‘ଫୁଲରେ ଫୁଲରେ’। ଫୁଲର ରଙ୍ଗୋଲି ଭଳି ଏକ ଆକର୍ଷଣୀୟ କଳାର ବିନ୍ଧାଣି ଜାହ୍ନବୀ ବେହେରାଙ୍କ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ଆଜି ସ୍ଥାନୀୟ ଲଳିତ କଳା ଏକାଡେମିଠାରେ ଉଦ୍‌ଘାଟିତ ହୋଇଯାଇଛି। ଗେଣ୍ଡୁଠାରୁ ଆରମ୍ଭ କରି ଗୋଲାପ, ରଜନୀଗନ୍ଧା, କନିଆରି, ହେନା ଫୁଲ ପୁଣି ଚାଉଳ, ଧାନ, ରଙ୍ଗିନ ମୁରୁଜ, ଖଇ, ଦେବଦାରୁ ପତ୍ର, ବର ପତ୍ର ଆଦି ୩୦ରୁ ଊର୍ଧ୍ୱ ସରଞ୍ଜାମକୁ ନେଇ ପ୍ରସ୍ତୁତ ହୋଇଥିଲା ୧୦ଟି ଭିନ୍ନ ଧରଣର ରଙ୍ଗୋଲି। ପ୍ରଦର୍ଶନୀରେ ଫୁଲକୁ ନେଇ ଏମିତି ଚିତ୍ର ଓ ମନୋରମ ରଙ୍ଗୋଲି ଦେଖାଣାହାରୀଙ୍କୁ ସେଠାରେ କିଛି ସମୟ ଅଟକି ଯିବାକୁ ବାଧ୍ୟ କରୁଥିଲା।

ଏହି ପ୍ରଦର୍ଶନୀକୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଉଦ୍‌ଘାଟନ କରି କହିଲେ, ମୁଁ ବହୁ କଳା ଦେଖିଛି। ନିଜେ ନିହାଣ ମୁନରେ ପଥରରେ ସୁନ୍ଦର କାରୁକାର୍ଯ୍ୟ କରିଛି। ମାତ୍ର ଫୁଲକୁ ନେଇ ନିଖୁଣ ଭାବେ ଏପରି ସୁନ୍ଦର ଓ ଆଖି ଝଲସା କାମ କରାଯାଏ ତାହା ମୁଁ ପ୍ରଥମେ ଦେଖିଲି। ଉତ୍ସବରେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଅରୁଣା ମହାନ୍ତି, ସମାଜସେବୀ ମିନିତା ମହାନ୍ତି ଓ ନୃତ୍ୟଗୁରୁ ରମେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀ ଆସନ୍ତାକାଲି ମଧ୍ୟ ଦର୍ଶକଙ୍କ ପାଇଁ ଖୋଲା ରହିବ।

ସମ୍ବନ୍ଧିତ ଖବର