ସିଲ୍‌ କରି ଭୁଲିଗଲେ : ଲକ୍ଷ୍ମୀ ରେସିଡେନ୍ସି ବାସିନ୍ଦା ହନ୍ତସନ୍ତ, ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ୱାର୍ଡ ନମ୍ବର ୪ର ରୁଦ୍ରପୁରସ୍ଥିତ ଲକ୍ଷ୍ମୀ ରେସିଡେନ୍ସିକୁ ଗତ ୧୦ ତାରିଖ ଦିନ ସିଲ୍‌ କରି ଦିଆଯାଇଥିଲା। ଏହି ରେସିଡେନ୍ସିରେ ରହୁଥିବା ଅନୁଗୁଳ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ରେସିଡେନ୍ସିକୁ ପ୍ରଶାସନ ପକ୍ଷରୁ ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଛି। ୭୫ ପରିବାର ତଥା ୨୩୦ ଜନସଂଖ୍ୟା ବିଶିଷ୍ଟ ଏହି ଆପାର୍ଟମେଣ୍ଟ୍‌କୁ ବିଏମ୍‌ସି ସିଲ୍‌ କରି ଦେଲା ସତ, କିନ୍ତୁ ଏମାନଙ୍କୁ ମୌଳିକ ସୁବିଧା ଦେବାକୁ ଭୁଲିଗଲା। ରେସିଡେନ୍ସି ସିଲ୍‌ ହେବାର ୭ଦିନ ହୋଇଯାଇଥିଲେ ବି ସେମାନଙ୍କୁ ପରିବା, ରାସନ୍‌ଠାରୁ ଆରମ୍ଭ କରି ଆତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ବିଏମ୍‌ସି ନା କୌଣସି ତତ୍ପରତା ଦେଖାଉଛି ନା ଆପାର୍ଟମେଣ୍ଟ୍‌କୁ ବିଶୋଧନ କରିବା ନେଇ ଆଗ୍ରହ ପ୍ରକାଶ କରୁଛି। ଫଳରେ ରାଜଧାନୀ ଉପକଣ୍ଠରେ ରହି ମୌଳିକ ସୁବିଧା ବିନା ଗୃହବନ୍ଦୀ ଭଳି ଜୀବନ କାଟୁଛନ୍ତି ରେସିଡେନ୍ସିରେ ରହୁଥିବା ୭୫ ପରିବାର।

ରାଜଧାନୀରେ ଏବେ ହାତଗଣତି କେତେଜଣ କରୋନା ସକ୍ରିୟ ରୋଗୀ ରହିଥିବା ବେଳେ ମାତ୍ର ଗୋଟିଏ ହିଁ ସ୍ଥାନ ଲକ୍ଷ୍ମୀ ରେସିଡେନ୍ସିକୁ ସିଲ୍‌ କରି ରଖାଯାଇଛି। କିନ୍ତୁ ସେହି ଗୋଟିଏ ସ୍ଥାନକୁ ବି ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି ବିଏମ୍‌ସି। ଲକ୍ଷ୍ମୀ ରେସିଡେନ୍ସି ଓନର୍ସ ୱେଲ୍‌ଫେୟାର ଆସୋସିଏସନ୍‌ର କର୍ମକର୍ତ୍ତା କହିଛନ୍ତି, ଦୁର୍ଭାଗ୍ୟବଶତଃ ୨୮ ଦିନ ପାଇଁ ଆମ ଆପାର୍ଟମେଣ୍ଟକୁ ସିଲ୍‌ କରି ଦିଆଯାଇଛି। ଆମ ଆପାର୍ଟମେଣ୍ଟ୍‌ରେ ରହୁଥିବା ଜଣେ ଅନୁଗୁଳ ବାସିନ୍ଦା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ସିଲ୍‌ କରାଯାଇଛି। ଆମର ତଥା ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସିଲ୍‌ କରାଯାଇଥିବାରୁ ଆମେ ଏହାକୁ ସମର୍ଥନ ଜଣାଇଥିଲୁ।

କିନ୍ତୁ ଆମକୁ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ, ସେ ବ୍ୟବସ୍ଥା ବିଏମ୍‌ସି କରିନାହିଁ। ନିଜ ସମ୍ପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ କହି ଏସବୁ ଯୋଗାଡ଼ କର କହି କର୍ତ୍ତୃପକ୍ଷ ନିଜ ଦାୟିତ୍ବ ଛଡ଼ାଇଦେଲେ। ଏଠି ଆମେ ୭୫ଟି ପରିବାର ରହୁଛୁ। ଏତେ ଜଣଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବା ପ୍ରଶାସନ ଉଚିତ ମନେ କଲାନି। ସିଲ୍‌ ଅଞ୍ଚଳ ହୋଇଥିବାରୁ କେହି ଏଠାକୁ ଆସିବାକୁ ରାଜି ହେଉନାହାନ୍ତି। ଅନ୍ୟପଟେ ରେସିଡେନ୍ସିର ବିଶୋଧନ ଠିକ୍‌ ଭାବେ ହୋଇନାହିଁ। କିଛି ଦିନ ତଳେ ବିଶୋଧନ ପାଇଁ ଗାଡ଼ି ଆସିଥିଲା। କିନ୍ତୁ ‌ଆପାର୍ଟମେଣ୍ଟ ଗେଟ୍‌ ଛୋଟ ଥିବାରୁ ତାହା ବାହାରୁ ହିଁ ସ୍ପ୍ରେ’ କରି ଚାଲିଯାଇଥିଲା। ରାସ୍ତାଠାରୁ ୧୨୦ ମିଟର ଭିତରକୁ ଆ‌ପାର୍ଟମେଣ୍ଟ ହୋଇଥିବାରୁ ଠିକ୍‌ ଭାବେ ଏହା ବିଶୋଧିତ ହୋଇପାରିଲା ନାହିଁ। ପଛରେ ଆମେ ଆସୋସିଏସନ୍‌ ପକ୍ଷରୁ ନିଜ ଉଦ୍ୟମରେ ରେସିଡେନ୍ସିକୁ ବି‌ଶୋଧିତ କରିଛୁ। ଅନ୍ୟପକ୍ଷେ ଗତକାଲି ୬ ଜଣିଆ ଡାକ୍ତରୀ ଦଳ ଆସି ସଦସ୍ୟମାନଙ୍କର ସମସ୍ତ ତଥ୍ୟ ନେବା ସହ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଶନିବାର ଏମାନଙ୍କର ସ୍ବାବ୍‌ ଟେଷ୍ଟ୍‌ ହେବ ବୋଲି କହିଥି‌ଲେ ମଧ୍ୟ ତାହା ମଧ୍ୟ ହୋଇନାହିଁ ବୋଲି ଆସୋସିଏସନ୍ ପକ୍ଷରୁ ଅଭି‌ଯୋଗ ହୋଇଛି।

ସମ୍ବନ୍ଧିତ ଖବର