ରଥ ଗଢ଼ା ମହାରଣାଙ୍କ ଅନୁଭୂତିରୁ…ଜଗା ନ ଚାହିଁଲେ ଆମେ କିଏ ?

ଭୁବନେଶ୍ୱର : ଦିନେ ଓୟୁଏଟି କଲୋନି ଜଗନ୍ନାଥ ମନ୍ଦିର କଡ଼ରେ ପ୍ରଭୁଙ୍କ ପାଇଁ ରଥ ଗଢ଼ା ଚାଲିଥାଏ। ମତେ ଭୀଷଣ ଜ୍ୱର ଆସିଲା। ଦେହ ହାତରେ ଯେମିତି ଖଇ ଫୁଟୁଥିଲା। ଭାବିଲି ଆଉ ପାରିବିନି। ତେଣୁ କାମ ବନ୍ଦ କରି ସେଇ ଅଧାଗଢ଼ା ରଥ ତଳେ ଶୋଇ ପଡ଼ିଲି। କିଛି ସମୟ ଯାଇଛି, ହଠାତ୍‌ ଜଣେ ମହାରଣା ଆସି କହିଲେ, ମହାରଣା ଉଠ। ମୁଁ ପଚାରିଲି ତମେ କିଏ? ସେ କହିଲେ, ଆମେ ବାପ ପୁଅ ଆଜିଠୁ ତମ ସାଙ୍ଗେ ରଥ ଗଢ଼ିବୁ। ମୁଁ କହିଲି ତୁମକୁ ତ ମୁଁ କହିନି। ସାମ୍ନାରେ ଥିବା ବ୍ୟକ୍ତି ଜଣକ(ଦୟାନିଧି ମହାରଣା) କହିଲେ, ମତେ ପ୍ରଭୁଙ୍କ ସ୍ୱପ୍ନ ହୋଇଛି। ସେଇଥିପାଇଁ ବାପପୁଅ ଆସିଛୁ। ତମେ ଆଉ ବ୍ୟସ୍ତ ହୁଅନି। ୪୭ ବର୍ଷ ହେଲା ଓୟୁଏଟି କଲୋନିରେ ରଥ ନିର୍ମାଣ କରୁଥିବା ବୀରେନ ମହାରଣା ଯେବେ ଆମ ସାଙ୍ଗରେ ତାଙ୍କର ଏହି ଅଭୁଲା ସ୍ମୃତିକୁ ବାଣ୍ଟୁଥିଲେ ତାଙ୍କ ଦେହରେ ରୁମ ଠିଆ ହୋଇଯାଉଥିଲା। ସେ ବାର୍ତାଳାପ ଭିତରେ ଅନେକଥର ମୁଣ୍ଡିଆ ବି ପକାଉଥିଲେ।

ଖାଲି ବୀରେନ ନୁହନ୍ତି, ଇସ୍କନ୍‌ ରଥ ଗଢ଼ୁଥିବା ଲଡ଼ୁ ମହାରଣା ହୁଅନ୍ତି କି ବିରଞ୍ଚି ମହାରଣା ସଭିଙ୍କ ମୁହଁରେ ସେଇ ଗୋଟିଏ କଥା। ଶ୍ରଦ୍ଧାର କାଠରେ ଭକ୍ତି ଓ ଆବେଗର କଣ୍ଟା ଯୋଖି ହିଁ ସେମାନେ ପ୍ରସ୍ତୁତ କରନ୍ତି ରଥ। କାହିଁକି ନା, ଜ୍ୱରରୁ ଉଠିଲେ ପ୍ରଭୁ ଯିବେ ମାଉସୀ ଘର। ଘଣ୍ଟ ମାଡ଼ରେ ଘୁଁ ଘୁଁ କରି ରଥରେ ଗଡ଼ିଯିବେ ଗୁଣ୍ଡିଚା ବାଡ଼ି। ଏଣୁ ପ୍ରଭୁଙ୍କ ମନ ଜାଣି ମହାରଣା ପୁଅମାନେ ରଥ ଗଢ଼ିବାରେ ନିମଗ୍ନ। ମହାରଣା କୁଳର ବିଶ୍ୱକର୍ମାମାନଙ୍କ ହାତରେ କାଠ ହୁଏତ ରଥର ରୂପ ନେଉଛି, କିନ୍ତୁ ସେମାନେ କୁହନ୍ତି ଆମେ କିଏ ଯେ, ରଥ ଗଢ଼ିବୁ। ଯାହା ହୁଏ ତାଙ୍କରି ଆଜ୍ଞାରେ। ଆମେ ତ କେବଳ ମାଧ୍ୟମ। ରାଜଧାନୀରେ ରଥ ଗଢ଼ୁଥିବା ପ୍ରତିଟି ମହାରଣା ପୁଅର ମୁହଁରେ ଏହିଭଳି ଭକ୍ତି ଓ ଆବେଗର ଭାଷା।

ଇସ୍କନ୍‌ରେ ଦୀର୍ଘ ୧୬ବର୍ଷ କାଳ ରଥ ଗଢ଼ିବାରେ ନିମଜ୍ଜିତ ଲଡ଼ୁ ମହାରଣାଙ୍କର ମଧ୍ୟ ସେଇ ସମାନ କଥା। କାଳିଆର ବରାଦ ଅଛି ବୋଲି ଆସିଛି। ମୋ ବାପା ଓ ଜେଜେବାପା ପୁରୀରେ ପ୍ରଭୁଙ୍କ ରଥ ତିଆରି କରନ୍ତି ବୋଲି ପିଲାଦିନୁ ମୋ’ର ବି ଆଗ୍ରହ ଥିଲା। ତେବେ ବୟସ ଆସି ୭୪ ଛୁଇଁଥିଲେ ବି ଜଗନ୍ନାଥ ଏ ଅଣ୍ଟାରେ ଦିନକୁ ଦିନ ବଳ ଖଞ୍ଜି ଦେଉଛନ୍ତି। ପ୍ରତି ବର୍ଷ ରଥଯାତ୍ରା ପାଖେଇଲେ ମନ କୁହେ ଆଉ ପାରିବିନି। ହେଲେ କେଜାଣି କେମିତି ପୁଣି ଠିକ୍‌ ଏଇ ସମୟ ଆସିଲେ ଶରୀର ଦମ୍ଭ ହୋଇଯାଏ। ମନ ବି ବ୍ୟାକୁଳ ହୁଏ। ମୋ ହାତରେ ଗଢ଼ା ରଥରେ ଯେ ପ୍ରଭୁ ହଜାର ହଜାର ଭକ୍ତଙ୍କ ଗହଣରେ ଲୀଳା ରଚି ଯାତ୍ରା କରିବେ ତାହା ମନେ ପଡ଼ିଯିବା ମାତ୍ରେ ନାହିଁ ନାହିଁ କରୁଥିବା ମନଟା ବି କୁହେ, ନା ମୁଁ ଅଲବତ ଯିବି…

ସମ୍ବନ୍ଧିତ ଖବର