ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି: ଯୁବପିଢ଼ି ନବକୃଷ୍ଣଙ୍କ ଜୀବନୀ ପଢ଼ନ୍ତୁ

ଭୁବନେଶ୍ବର: ଆଜିର ଯୁବପିଢ଼ି ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କର ଜୀବନୀ ନିହାତି ପଢ଼ିବା ଦରକାର। ଏଥିରୁ ନୀତି ଶିକ୍ଷା ଲାଭ କରିବାର ସୁଯୋଗ ମିଳିବ। ସେହି ମହାପୁରୁଷମାନଙ୍କୁ ଅନୁସରଣ କରିବା ଦରକାର ଯେଉଁ ମାନଙ୍କ ଠାରୁ ଭଲ ଶିକ୍ଷା ଲାଭ କରିହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟିକା ଆଶାଲତା ଦାସ କହିଛନ୍ତି।

ସୂଚନା କମିସନର ଦିଲ୍ଲୀପ ବିଶୋଇଙ୍କ ସଭାପତିତ୍ବରେ ଜୟକିରଣ ଟ୍ରଷ୍ଟ, ସେବା ପ୍ରତିଷ୍ଠାନ ଓ ଅକ୍ଷର ପକ୍ଷରୁ ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ନିବେଦିତା ଆଚାର୍ଯ୍ୟ ଯୋଗ ଦେଇ ୧୯୯୨ ମସିହାରେ ବୋଇତରେ ବାଲିଯାତ୍ରାର ଅନୁଭୂତି ବର୍ଣ୍ଣନା କରି କହିଥିଲେ ଜୀବନରେ ନିଜ ଅପେକ୍ଷା ଅନ୍ୟମାନଙ୍କ ପାଇଁ କିଛି କରିବା ଦରକାର। ଯାହା ନିଜର ଆତ୍ମାକୁ ବହୁତ ଖୁସି ଆଣିଦେବ। ସବୁବେଳେ ସାହସ ଓ ନିଜର କୌଶଳକୁ ପ୍ରଦର୍ଶିତ କରିବା ପାଇଁ ସାହସର ସହ କାର୍ଯ୍ୟ କରିବା ଦରକାର ବୋଲି ଶ୍ରୀମତୀ ଆଚାର୍ଯ୍ୟ କହିଥିଲେ।
କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଡ. ସଚ୍ଚିକାନ୍ତ ନାୟକଙ୍କ ନିର୍ଦ୍ଦେଶନାରେ ଯୁବ କଳାକାର ମାନେ ‘ବୈଷ୍ଣବ ଜନ ତୋ’ ଓ ‘ଦେଶ ଲାଗି ଯାହାର ଥରି ଉଠେ ଦେହ’ ସଂଗୀତ ଗାନ କରିଥିଲେ। ଜୟକିରଣ ଟ୍ରଷ୍ଟର ସଂପାଦିକା ସୁମିତ୍ରା ଜେନା ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକା ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, କସ୍ତୁରୀ ମହାପାତ୍ର, ମିତାଲି ଚିନ୍ନାରା, ଅକ୍ଷରର ସଂପାଦକ ଅମୀୟ ପାଣ୍ଡବ, ମାନବାଧିକାର କର୍ମୀ ମନୋଜ ଜେନା, ବୀରକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଡ. ଗୀତାଞ୍ଜଳି ବସ୍ତିଆ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର