ଶ୍ରୀ ଲିଙ୍ଗରାଜଙ୍କ ଜମି ଉଦ୍ଧାର କରି ବିକାଶ କାର୍ଯ୍ୟରେ ଲଗାଯାଉ, ସାମାଜିକ କର୍ମୀ ସୁଶାନ୍ତ ସାହୁ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମୂଲ୍ୟବାନ ଜମି ହଡ଼ପ କରାଯାଇଛି। ଏହି ଜମି ବିବାଦକୁ ନେଇ ଠାକୁର ମଧ୍ୟ ଉପବାସରେ ରହୁଛନ୍ତି। ଏଣୁ ଏହାର ପୁନରୁଦ୍ଧାର କରି ବିକାଶ କାର୍ଯ୍ୟରେ ଲଗାଇବାକୁ ଦାବି ହୋଇଛି। ପ୍ରକାଶ ଯେ, ଠାକୁରଙ୍କ କୋଟି କୋଟି ଟଙ୍କାର ଜମି ପଡ଼ିଥିବା ବେଳେ ଏହାର ଜବରଦଖଲ ବୃଦ୍ଧି ପାଉଛି। କିଏ ନାଲି ଆଖି ଦେଖାଇ କୋଠା ନିର୍ମାଣ କରିଛି ତ କିଏ ମାଡ଼ି ବସିଥିବା ଜମିକୁ ଚଞ୍ଚକତା କରି ଅନ୍ୟକୁ ବିକ୍ରି କରିଦେଲାଣି। ଏପଟେ ମନ୍ଦିର ପ୍ରଶାସନ ଏ ସବୁ ଜମି ଉଦ୍ଧାର ପାଇଁ ନାକେଦମ ହୋଇଥିବା ବେଳେ ବର୍ଷ ବର୍ଷ ଧରି କୋର୍ଟ କଚେରିରେ ମାମଲା ଝୁଲି ରହୁଛି। ଏଣୁ ମହାପ୍ରଭୁଙ୍କ ନାମରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସମ୍ପତ୍ତିକୁ ଉଦ୍ଧାର କରି ଜମି ଚାରିପଟେ ବାଡ଼ ନିର୍ମାଣ କରାଯାଉ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ ମନ୍ଦିର ପ୍ରଶାସନ ପାଖରେ ଦାବି କରିଛନ୍ତି। ଶ୍ରୀ ସାହୁ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ଦାବିପତ୍ର ମାଧ୍ୟମରେ ବିଭିନ୍ନ ଗଠନମୂଳକ ପରାମର୍ଶ ଦେଇଥିବା ଜଣାଯାଇଛି। ଏହି ଜମିରେ ପୁଷ୍ପ ଉଦ୍ୟାନ, ଗୋଶାଳା, ଯାତ୍ରୀ ନିବାସ, ସଂଗ୍ରହାଳୟ, ଶୈବଶାକ୍ତ ଗବେଷଣା କେନ୍ଦ୍ର, ପାଠାଗାର, କୋରାଖଇ ଶିଳ୍ପ, ଗରିବଙ୍କ ପାଇଁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ବ୍ୟାୟାମଶାଳା, ଯୋଗକେନ୍ଦ୍ର, ବାତ୍ୟା ଆଶ୍ରୟସ୍ଥଳୀ ଆଦି ଉନ୍ନୟନ ପ୍ରକଳ୍ପ ନିର୍ମାଣ କରାଗଲେ ସାଧାରଣ ଜନତା ଓ ମନ୍ଦିରର ବିକାଶ ସମ୍ଭବ ହୋଇପାରନ୍ତା ବୋଲି ସୁଶାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର