ଡୁମୁଡୁମା ନମକନି ପୋଖରୀ ପୁନରୁଦ୍ଧାର ଖୁବ୍‌ଶୀଘ୍ର: ଡ୍ରେନ ଉପରେ ରହିବନି ଜବରଦଖଲ

ଖଣ୍ଡଗିରି: ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଡୁମୁଡ଼ୁମା ଅଞ୍ଚଳର ନମକନି ମନ୍ଦିର ପୋଖରୀର ଖୁବ୍‌ଶୀଘ୍ର ପୁନରୁଦ୍ଧାର ହେବ। ପୁନରୁଦ୍ଧାର ପାଇଁ ଯୋଜନା ହେବା ସହ କାର୍ଯ୍ୟାଦେଶ ଦିଆ ସରିଥିଲେ ମଧ୍ୟ କାମ ହେଉନଥିବା ଅଭିଯୋଗ ହେବା ପରେ ଆଜି ମେୟର ସୁଲୋଚନା ଦାସ ଅଚାନକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଦୀର୍ଘ ସମୟ ଧରି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବ‌ା ସହ ଆସନ୍ତାକାଲି ଠାରୁ କାମ ଆରମ୍ଭ କରିବାକୁ ଅଭିରାମ ମହିଳା ମହାସଂଘକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପୋଖରୀକୁ ସ୍ଥାନୀୟ ବାସିନ୍ଦା ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ସହ କ୍ରିୟାକର୍ମ ଓ ନିତି ଦିନ କାମରେ ବ୍ୟବହାର କରନ୍ତି। କିନ୍ତୁ ବହୁ ଦିନ ହେବ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିବା ସହିତ ପାଣି ଶୁଖି ଯାଉଥିଲା। ଏଣୁ ଏହା ବ୍ୟବହାରଯୋଗ୍ୟ ହୋଇ ରହିନଥିଲା। ‘ମୁକ୍ତା’ ଯୋଜନାରେ ଏହାର ଉନ୍ନତୀକରଣ କରିବା‌ ପାଇଁ ବିଏମ୍‌ସି ଅଭିରାମ ମହିଳା ମହାସଂଘକୁ ଦାୟିତ୍ବ ଦେଇଥିଲା। କିନ୍ତୁ ବିଭିନ୍ନ କାରଣ ପାଇଁ ଏହାର ଉନ୍ନତୀକରଣ ବିଳମ୍ବ ହେଉଥିଲା। ଅଭିଯୋଗ ହେବା ପରେ ଆଜି ମେୟର ହସ୍ତକ୍ଷେପ କରିଥିଲେ। ଏହି ପୋଖରୀ ସମେତ ବିଭିନ୍ନ ସମସ୍ୟା ଉପରେ ମେୟର ଆଲୋଚନା କରିଥିଲେ। ପୋଖରୀକୁ ଯିବାପାଇଁ ଭଲ ରାସ୍ତା ନଥିବାରୁ ୮ଶହ ମିଟର ପର୍ଯ୍ୟନ୍ତ ମୋରମ ରାସ୍ତା କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ଉଭୟ ୱାର୍ଡର ବିଭିନ୍ନ ସ୍ଥାନରେ ଲାଇଟ୍‌ ଜଳୁନଥିବା ଅଭିଯୋଗ ହୋଇଥିଲା। ଲାଇଟ୍‌ ସବୁ ସଜାଡ଼ିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ ଠାରୁ ଯଦୁପୁର ଟାଙ୍ଗୀ ଗଳି ରାସ୍ତା ୪୦ ଫୁଟ୍‌ର ହୋଇଥିଲେ ମଧ୍ୟ ବର୍ତ୍ତମାନ ଜବରଦଖଲ ଯୋଗୁଁ ୨୦ ଫୁଟିଆ ହୋଇଯାଇଛି। ତା’ ସହ ରାସ୍ତା‌ ସମ୍ପୂର୍ଣ୍ଣ ନ‌ଷ୍ଟ ହୋଇ ଯାଇଛି। ଏହାକୁ ମରାମତି କରିବା ସହିତ ଏଥିରେ ଥିବା ଜବରଦଖଲ ହଟାଇ କାମ ଆରମ୍ଭ କରିବାକୁ ମେୟର ସ୍ଥାନୀୟ କର୍ପୋରେଟରଙ୍କୁ କହିଛନ୍ତି। ତେବେ ବିଭିନ୍ନ ଡ୍ରେନ ଉପରେ ଜବରଦଖଲ ହୋଇଥିବାରୁ ମେୟର ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରତି ଡ୍ରେନରୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୬୫ ନମ୍ବର ୱାର୍ଡର ଯୁଦୁପୁର ପା‌ଣିଟାଙ୍କି ପାଖ ଅଞ୍ଚଳର ସମସ୍ତ ଗଳିରେ ହୋଇଥିବା ଡ୍ରେନ୍‌ ରାସ୍ତା ଠାରୁ ଉଚ୍ଚା ହୋଇଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ। ତୁରନ୍ତ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ଇଞ୍ଜିନିୟରମାନଙ୍କୁ କୁହାଯାଇଛି।

ଏହି ଅଞ୍ଚଳରେ ଥିବା ଜାତୀୟ ରାଜପଥ ଓ ଡ୍ରେନ୍‌ ମରାମତି ବିଏମ୍‌ସି ଅଗୋଚରରେ ହେଉଛି। ବିନା ସୂଚନାରେ ରାସ୍ତା ଓ ଡ୍ରେନ୍‌ ଖୋଳି ଦେଉଥିବାରୁ ସମସ୍ୟା ଉପୁଜୁଛି। ଏମ୍‌ସ ଆସୁଥିବା ରୋଗୀ ଓ ସ୍ଥାନୀୟ ଜନସାଧାରଣ ମଧ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଡ୍ରେନ ନିମ୍ନମାନର ହେଉଥିବାରୁ ସମସ୍ୟା ହେଉଛି। ସମନ୍ବୟ ରକ୍ଷା କରିବା ପାଇଁ ଜନପ୍ରତିନିଧି ଓ ମେୟର ଏନ୍‌ଏଚ୍‌ଏଆଇକୁ ପତ୍ର ଲେଖିବେ ବୋଲି କହିଛନ୍ତି। ଆଜି ମେୟରଙ୍କ ସହ ୬୫ ନମ୍ବର ୱାର୍ଡ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ, ୬୪ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟ ମୁଜାହିଦ୍‌ ହୁସେନ୍‌ଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର