ରସୁଲଗଡ଼ରୁ ସାଢ଼େ ୪କୋଟି ଟଙ୍କାର ବ୍ରାଉନସୁଗାର ଜବତ ଘଟଣା: ୨୦୦ କିମି ପିଛା କରିଥିଲା ଏସ୍‌ଟିଏଫ୍

ବାଲେଶ୍ବରରେ ଡେରା ପକାଇଛି ଟିମ୍‌, ଗିରଫ ୩ ଗଲେ ଜେଲ୍, ରିମାଣ୍ଡରେ ଆସିବେ

ଭୁବନେଶ୍ବର: ରସୁଲଗଡ଼ ଛକ ନିକଟ‌ରେ ସାଢ଼େ ୪ କୋଟି ଟଙ୍କାର ବ୍ରାଉନସୁଗାର ସହ ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅଧିକ ଜେରା ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍‌ ଖୁବ୍‌ଶୀଘ୍ର ଆବେଦନ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏହି କାରବାରର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏସ୍‌ଟିଏଫ୍‌ ଗତକାଲି ଅଭିଯୁକ୍ତମାନଙ୍କୁ ବାଲେଶ୍ବରରୁ ଭୁବନେଶ୍ବର ପର୍ଯ୍ୟନ୍ତ ପାଖାପାଖି ୨୦୦ କିଲୋମିଟର ପିଛା କରିଥିଲା। କିନ୍ତୁ ମାଷ୍ଟରମାଇଣ୍ଡକୁ ଧରିବାରେ ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌କୁ ସଫଳତା ମିଳି ପାରିନାହିଁ। ଅପରପକ୍ଷେ ବିପୁଳ ପରିମାଣର ଏହି ବ୍ରାଉନସୁଗାର ପଶ୍ଚିମବଙ୍ଗରୁ ବାଲେଶ୍ବର ଓ ପରେ ଭୁବନେଶ୍ବର ଆସିଥିବା ଏସଟିଏଫ୍ ଜାଣିବାକୁ ପାଇଛି। ରୢାକେଟ୍‌ ସଂପର୍କରେ ଅଧିକ ତଥ୍ୟ ମିଳିବା ଆଶାରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ବାଲେଶ୍ବରରେ ଡେରା ପକାଇଥିବା ଜଣାଯାଇଛି।

ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏସ୍‌ଟିଏଫ
ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ୍ କରିବା ପାଇଁ ଦୀର୍ଘ ଦିନ ଧରି ଜାଲ ବିଛାଇଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଏଥିପାଇଁ ଏକ ବ୍ଲୁ-ପ୍ରିଣ୍ଟ ବି ପ୍ରସ୍ତୁତ କରିଥିଲା। ଖୁଚୁରା ବେପାରୀ ଓ ଏଜେଣ୍ଟଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କ ମୋବାଇଲ୍‌ ଟ୍ରାକିଂ କରିବା ଆରମ୍ଭ କରିଦେଇଥିଲା। ସେଥିରୁ ଏସ୍‌ଟିଏଫ୍‌କୁ ଆଗୁଆ ସୂଚନା ମିଳିଯାଇଥିଲା‌ ଯେ ଏଇ ନିକଟ ଭବିଷ୍ୟତରେ ବଡ଼ଧରଣର ଏକ ଡିଲ୍‌ ହେବାକୁ ଯାଉଛି। ତେଣୁ ସେହି ଅନୁଯାୟୀ ପ୍ଲାନିଂ କରିଥିଲା ଏସ୍‌ଟିଏଫ୍‌। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏସ୍‌ଟିଏଫର ୩ଟି ଟିମ୍‌ରେ ୧୦ରୁ ଅଧିକ କର୍ମଚାରୀ ଅପରେସନରେ ସାମିଲ ହୋଇଥିଲେ। ଗତକାଲି ୩ ଅଭିଯୁକ୍ତ ବୋଲେରୋ (ଓଆର୧୧-ଜି-୧୪୧୧)ରେ ବାଲେଶ୍ବରରୁ ବ୍ରାଉନସୁଗାର ଧରି ବାହାରିବା ଖବର ଏସଟିଏଫ୍‌ ପାଖରେ ପହଞ୍ଚି ଯାଇଥିଲା। ତେଣୁ ବାଲେଶ୍ବର, ଜଗତପୁର, ରସୁଲଗଡ଼ ଏମିତି ଭାବରେ ୩ଟି ଟିମ୍‌ ପ୍ରସ୍ତୁତ ହୋଇ ରହିଥିଲେ। ବାଲେଶ୍ବରରୁ ତିନି ଏଜେଣ୍ଟ ବାହାରିବା ପରେ ସେମାନଙ୍କୁ ଗୋଟିଏ ଗାଡ଼ି ପିଛା କରିଥିଲା। ସେମାନେ ଜଗତପୁର ଅତିକ୍ରମ କରିବା ପରେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଆଉ ଗୋଟିଏ ଟିମ୍ ମଧ୍ୟ ସେମାନଙ୍କୁ ପିଛା କରିଥିଲା। ପରେ କଟକ ଓଏମ୍‌ପି ଛକରୁ ଆଉ ଗୋଟିଏ ଗାଡ଼ି ସେମାନଙ୍କୁ ଭୁବନେଶ୍ୱର ଯାଏଁ ପିଛା କରିଥିଲା। ପିଛା କରିବାର ଉଦ୍ଦେଶ୍ୟ ଥିଲା, ସେମାନେ କାହା ପାଖକୁ ଯାଉଛନ୍ତି? ତେବେ ୩ ଅଭିଯୁକ୍ତ ରସୁଲଗଡ଼ ଛକରୁ କଳ୍ପନା ଅଭିମୁଖେ ଯାଇ କୋଚିଲେଇ ହାଟଠାରୁ କିଛି ଦୂରରେ ଗାଡ଼ି ଛିଡ଼ା କରିଥିଲେ। ହୁଏତ ସେଠାରେ ଡିଲ୍ ହୋଇଥା’ନ୍ତା। କିନ୍ତୁ କିଛି ସମୟ ଅପେକ୍ଷା କରିବା ପରେ କେହି ନ ଆସିବାରୁ ଏସଟିଏଫ୍ ସେମାନଙ୍କୁ ମାଡ଼ି ବସିଥିଲା।

ସଟଡାଉନ୍ ପୂର୍ବରୁ ଖଲାସ କରି‌ଦେବାକୁ ବସିଥିଲେ
ଏସଟିଏଫ୍ ହାତରେ ଧରା ପଡ଼ିଥିବା ବାଲେଶ୍ବରର ଦେବାଶିଷ ବେହେରା ଓରଫ୍ ରିଙ୍କୁ, ଶେଖ୍ କୌଶର ଅଲ୍ଲୀ ଓ ପ୍ରବୀର ସିଂ ଓରଫ୍ ସିତୁ ତିନି ଜଣ ସାଙ୍ଗ ବୋଲି ଜଣାପଡ଼ିଛି। ସେମାନେ ଏକାଠି ସାଙ୍ଗ ହୋଇ ପଢୁଥିବା ଏସଟିଏଫ୍ ଜାଣିବାକୁ ପାଇଛି। ମାତ୍ର ଦୁଇ ବର୍ଷ ତଳେ ଧଳାଜହର କାରବାରରେ ପାଦ ଦେଇଥିବା ବେଳେ ଖୁବ୍‌ କମ୍‌ ସମୟ ମଧ୍ୟରେ ପାରଙ୍ଗମ ହୋଇଯାଇଥିଲେ। ଶନି ଓ ରବିବାର ଦୁଇଦିନ ସଟ୍‌ଡାଉନ୍‌ ଥିବାରୁ ଏହା ପୂର୍ବରୁ ସେମାନେ ନିଜ ପାଖରୁ ଏହି ବିପୁଳ ପରିମାଣର ବ୍ରାଉନସୁଗାର ଖଲାସ କରିଦେବାକୁ ଲକ୍ଷ୍ୟ ରଖିଥିଲେ।

ଗଡଫାଦର୍‌କୁ ଖୋଜୁଛି ଏସଟିଏଫ୍
ଏହି କାରବାରର ମାଷ୍ଟରମାଇଣ୍ଡକୁ ଧରିବା ଲାଗି ଏସ୍‌ଟିଏଫ୍‌ ତନାଘନା ଆରମ୍ଭ କରିଦେଇଛି। ପୂର୍ବରୁ କେତେଥର ଏମାନେ ରାଜଧାନୀକୁ ବ୍ରାଉନସୁଗାର ଧରି ଆସିଛନ୍ତି, ଏମାନଙ୍କ ନିଶା କାରବାର ନେଟଵର୍କରେ ଆଉ କେତେ ଜଣ ଏଜେଣ୍ଟ ରହିଛନ୍ତି, ସେ ନେଇ ବି ଖୋଳତାଡ଼ ଚଲାଇଛି।

କାହିଁକି ମିଳୁନି ଚେର?
ଗତ ୬ ମାସ ଭିତରେ ୧୨କେଜି ଓଜନର ବ୍ରାଉନସୁଗାର ଧରି ଏସଟିଏଫ୍ ବାହାବା ନେଉଛି। ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରି ଗୋଟିଏ ପରେ ଗୋଟିଏ ରେକର୍ଡ ତିଆରି କରୁଛି ଏସଟିଏଫ୍। ପ୍ରଥମ ଚଢ଼ଉରେ ଯେତିକି ଧରାପଡ଼ୁଛି, ସେତିକିରେ ଖୁସି ହୋଇଯାଉଛି ଏସଟିଏଫ୍। କିନ୍ତୁ ପରେ ତଦନ୍ତ ଆଉ ଆଗକୁ ବଢ଼ିପାରୁନାହିଁ। ତେଣୁ ଏହି ନେଟ୍‌ଵର୍କରେ କିଏ ସାମିଲ ଅଛନ୍ତି, ତାହାର ପର୍ଦ୍ଦାଫାସ୍ ହୋଇପାରୁନାହିଁ।

ବସ୍ତି ଯୁବକ, ଇଞ୍ଜିନିୟରିଂ ଛାତ୍ର ଗ୍ରାହକ
ରାଜଧାନୀରେ ବ୍ରାଉନସୁଗାର ସେବନ କରୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ବସ୍ତିର ଯୁବକ ଓ ଇଂଜିନିୟର୍‌ ଛାତ୍ର ଏହି ଧଳା ଜହର ମାୟାରେ ପଡ଼ି ବାୟା ହେଉଛନ୍ତି। ଏକ ଅସମର୍ଥିତ ସୂତ୍ରରୁ ଜଣାଯାଇଛି ଯେ ରାଜଧାନୀରେ ଦିନକୁ ସାଢ଼େ ୩ କେଜିରୁ ୪ କେଜି ପର୍ଯ୍ୟନ୍ତ ବ୍ରାଉନସୁଗାରର ଆବଶ୍ୟକତା ପଡ଼ୁଛି। ଏହି ଚାହିଦା ମେଣ୍ଟାଇବା ଲାଗି ବାଲେଶ୍ବରରୁ ବିପୁଳ ପରିମାଣର ବ୍ରାଉନସୁଗାର ରାଜଧାନୀକୁ ଆସୁଛି। ଏଜେଣ୍ଟଙ୍କ ଜରିଆରେ ବାଲେଶ୍ବରର ବଡ଼ ବେପାରୀ ବ୍ରାଉନସୁଗାର ଭୁବନେଶ୍ୱରରେ ପହଞ୍ଚାଉଛନ୍ତି। ଏଠାରେ ପହଞ୍ଚିବା ପରେ ପୁଲିସ ହାବୁଡ଼ରେ ପଡ଼ିବା ପୂର୍ବରୁ ବେପାରୀ ଓ ଡିଲର ଖୁବ୍‌ଶୀଘ୍ର ତାକୁ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି।

ଗଳିକନ୍ଦିରେ ନିଶା, ଯିଏ ଖାଉଛି ସିଏ ବିକୁଛି
ଉତ୍ତର ଓଡ଼ିଶା ସମେତ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ନୟାଗଡ଼ରେ ମାଡ଼ି ଗଲାଣି ଧଳାଜହର ଜାଲ। ଗଳିକନ୍ଦିରେ ନିଶା ବେପାରୀ ଆଡ଼ା ଜମାଇଲେଣି। ଦୁଇ ଦିନ ତଳେ ବ୍ରାଉନସୁଗାର କାରବାରକୁ କେନ୍ଦ୍ର କରି ୟୁନିଟ୍-୮ ଅଞ୍ଚଳରେ ହଣାକଟା ହୋଇଥିଲା। ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ବ୍ରାଉନସୁଗାର ଖାଉଥିବା ଯୁବକ, ବେପାରୀ ଭର୍ତ୍ତି ହୋଇଗଲେଣି। ଯେଉଁମାନେ ବ୍ରାଉନସୁଗାର ଖାଉଛନ୍ତି, ସେମାନେ ବେପାର କରୁଥିବା ଜଣାପଡ଼ିଛି। ବ୍ରାଉନସୁଗାର ଖାଉଥିବା ଯୁବକ ଖୁଚୁରା ବେପାରୀଙ୍କଠାରୁ କିଣି ପୁଡ଼ିଆ କରି ବିକ୍ରି କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର