ସହିଦନଗର ହାଟ ଛିନ୍‌ଛତର୍‌: ଦିନରେ କାଁ ଭାଁ ଦୋକାନ, ରାତିରେ ବନ୍ଦ

ଭୁବନେଶ୍ବର: ବାତ୍ୟା ସହିଦନଗର ହାଟର ଚିତ୍ର ସଂପୂର୍ଣ୍ଣ ବଦଳାଇ ଦେଇଛି। ପୂର୍ବରୁ ଯେ ସେଠାରେ ସବୁଦିନିଆ ହାଟ ବସୁଥିଲା, ଏବେ ତାହା କେହି କହିପାରିବେ ନାହିଁ। ଚାରିଆଡ଼େ ନଜର ବୁଲାଇଲେ କେବଳ ଭଙ୍ଗା ବାଉଁଶ, ତାରପୋଲିନ୍ ଆଉ ଆଜବେଷ୍ଟସ୍‌। ପିଣ୍ଡି ଉପରେ ପରିବା ବଦଳରେ ଥୁଆ ହୋଇଛି ଭଙ୍ଗା ଜିନିଷ। ଦିନରେ କିଛି ହାତଗଣତି ଦୋକାନ ଖୋଲୁଥିବା ବେଳେ ସଂଧ୍ୟାରେ ସବୁ ବନ୍ଦ। ଆସନ୍ତା କିଛି ଦିନ ପାଇଁ ସହିଦ ନଗର ହାଟ ଏଭଳି ଖାଁ ଖାଁ ରହିବ ବୋଲି ଅନୁମାନ କରାଯାଉଛି। ସହିଦନଗର ହାଟରେ ୩ ଶହରୁ ଅଧିକ ଦୋକାନ ରହିଛି। ବାତ୍ୟାରେ ଶହେରୁ ଅଧିକ ଦୋକାନ ଭାଙ୍ଗି ଯାଇଛି। ଏଥିରେ ପରିବା ଦୋକାନଠାରୁ ଆରମ୍ଭ କରି ଫଳ ଓ ଅନ୍ୟ ତେଜରାତି ଦୋକାନ ରହିଛି। ଅଧିକାଂଶ ଦୋକାନୀ ଅସ୍ଥାୟୀ ଭାବେ ତିଆରି ହୋଇଥିବାରୁ ସବୁ ଛିନ୍‌ଛତର୍‌ ହୋଇଯାଇଛି। ଏଥିରେ ହାଟର ୧୦/୧୨ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ହାଟ କର୍ମକର୍ତା କହିଛନ୍ତି। କିଛି ବେପାରୀ ନିଜର ଭଙ୍ଗା ଦୋକାନକୁ ସଜାଡ଼ିବା ଆରମ୍ଭ କରିଥିଲେ ହେଁ ହାଟ ଅଣ୍ଟା ସଳଖି ଠିଆ ହେବାକୁ ଅନେକ ଦିନ ଲାଗିବ। ହାଟର ଜଣେ ବ୍ୟବସାୟୀ କହିଛନ୍ତି, ଘରଗୁଡ଼ିକ ଭାଙ୍ଗି ଯାଇଥିବାରୁ କାଁ ଭାଁ ବେପାରୀ ନିଜ ଦୋକାନ ଖୋଲୁଛନ୍ତି। ତେବେ ବିଜୁଳି ଯୋଗାଯୋଗ ନ ଥିବାରୁ ସଂଧ୍ୟାରେ ଦୋକାନ ବନ୍ଦ ରହୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର