ସରକନ୍ତରା-ସୁନ୍ଦରପଦା କେନାଲ ରାସ୍ତା ମରଣଯନ୍ତା: ଆଜି ଅନୁରୋଧ, ଆଗକୁ ଆନ୍ଦୋଳନ

ଖଣ୍ଡଗିରି: ସରକନ୍ତରା-ସୁନ୍ଦରପଦା କେନାଲ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଦାବିରେ ସୋମବାର ସ୍ଥାନୀୟ ଲୋକମାନେ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାମ କରୁଥିବା ଟାଟା ପ୍ରକଳ୍ପର ସୁନ୍ଦରପଦାସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏନେଇ ସେମାନେ ପ୍ରକଳ୍ପ ମ୍ୟାନେଜରଙ୍କୁ ଦାବିପତ୍ର ଦେଇଥିଲେ। ଆଗାମୀ ଦିନରେ ଟାଟା ପ୍ରକଳ୍ପ ରାସ୍ତା ମରାମତି ନକଲେ, ସେମାନେ ପ୍ରକଳ୍ପ କାମକୁ ଯାତାୟାତ କରୁଥିବା ଭାରୀଯାନ ବନ୍ଦ କରିବେ ବୋଲି ଚେତାବନୀ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଦାବି ପ୍ରତି ବିଚାର କରାଯିବ ବୋଲି ପ୍ରକଳ୍ପ ପକ୍ଷରୁ ମ୍ୟାଜେନର ପ୍ରତିଶ୍ରୁତି ଦେଇଛନ୍ତି।

ଅଭିଯୋଗ ଅନୁସାରେ ସୁନ୍ଦରପଦା-ସରକନ୍ତରା ୩ କିମି ଲମ୍ବର ‌କେନାଲ ରାସ୍ତାଟି ଦୀର୍ଘ ବର୍ଷ ହେବ ମରାମତି ହୋଇନାହିଁ। ଡେଲ୍‌ଟା ଦ୍ବାରା ନିର୍ମାଣ ହୋଇଥିବା ଏହି ରାସ୍ତା ଉପରେ ଏବେ ଦୈନିକ ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ଭୁବନେଶ୍ବର ଏମ୍‌ସକୁ ଯିବା ପାଇଁ ଜଟଣୀ ବ୍ଲକର ପଧାନସାହି, ଜାମୁକୋଳି ପଞ୍ଚାୟତର ଲୋକମାନଙ୍କ ସହ ଏକାମ୍ର ନିର୍ବାଚନ ମଣ୍ଡଳୀର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଏମିତିକି ବାଲିପାଟଣା ଓ ବାଲିଅନ୍ତା ବ୍ଲକର ଲୋକମାନେ କମ୍ ଦୂରତା ପାଇଁ ଭୁବନେଶ୍ବର ଏମ୍‌ସକୁ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ମାତ୍ର ଦୀର୍ଘ ବର୍ଷ ହେବ ମରାମତି ହୋଇନଥିବାରୁ ରାସ୍ତାଟି ଖାଲଖମାରେ ଭର୍ତି ହୋଇ ବିପଜ୍ଜନକ ହୋଇପଡ଼ିଛି। ତେବେ ସ୍ବେରେଜ୍ ବୋର୍ଡ ପକ୍ଷରୁ ଏରବଙ୍ଗ ମୌଜାରେ ନିର୍ମାଣ ହେଉଥିବା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପାଇଁ ଏହି ରାସ୍ତା ଅଧିକ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଠିକା ନେଇଥିବା ଟାଟା ପ୍ରକଳ୍ପର ଭାରୀଯାନ ଯାତାୟତ ଫଳରେ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ତେଣୁ ଏବେ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଏହି ରାସ୍ତା ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇପଡ଼ିଛି। ଏହି ବାଟ ଦେଇ ରାତିରେ ଯାତାୟାତ ସମ୍ଭବ ହେଉନାହିଁ।

ସମ୍ବନ୍ଧିତ ଖବର