ଅଧିକାର ଓ ସୁରକ୍ଷା ଉପରେ ସଚେତନତା ଲୋଡ଼ା

ଲିଙ୍ଗଭିତ୍ତିକ ସଚେତନତା ତଥା ମହିଳାଙ୍କ ଆଇନ ଓ ଯୋଜନା ଉପରେ କର୍ମଶାଳା

ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ଓ ବିକାଶ ପାଇଁ ସରକାର ଅନେକ ଆଇନ ଓ ଯୋଜନା ପ୍ରଣୟନ କରିଛନ୍ତି। ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଏଥିରେ ସମ୍ପୃକ୍ତ ସମସ୍ତ ଅଧିକାରୀ, ଜନପ୍ରତିନିଧିମାନେ ସକାରାତ୍ମକ ମାନସିକତା ନେଇ କାର୍ଯ୍ୟ କରିବା ଆବଶ୍ୟକ। କର୍ମ କ୍ଷେତ୍ର, ଶିକ୍ଷାନୁଷ୍ଠାନରେ ମହିଳା ଓ ବାଳିକାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସମସ୍ତଙ୍କ କର୍ତ୍ତବ୍ୟ। ଏଥିପାଇଁ ବ୍ଲକରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କର୍ମଶାଳା ଆୟୋଜନ କରିବାକୁ ମହିଳା ଓ ଶିଶୁ ବିକାଶ ଓ ମିସନଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପରାମର୍ଶ ଦେଇଛନ୍ତି।

ଆଜି ଓଡ଼ିଶା ରାଜ୍ୟ ମହିଳା କମିସନ୍‌ ପକ୍ଷରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର୍‌ଙ୍କ ପାଇଁ ଲିଙ୍ଗଭିତ୍ତିକ ସଚେତନତା ତଥା ମହିଳାଙ୍କ ସମ୍ପର୍କିତ ଆଇନ ଓ ଯୋଜନା ସମ୍ପର୍କିତ କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସାମଲ ଏହା କହିଛନ୍ତି। ହୋଟେଲ ମାରିଅନ୍‌ଠାରେ ଆୟୋଜିତ କର୍ମଶାଳାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳାଙ୍କ ସଶକ୍ତୀକରଣ ଓ ଅର୍ଥନୈତିିକ ପ୍ରଗତି ପାଇଁ ଯେଉଁ ସବୁ ଯୋଜନା ପ୍ରଣୟନ କରାଯାଉଛି ତାହାର ସୁଫଳ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ କର୍ପୋରେଟର୍‌ଙ୍କ ପ୍ର୍ରମୁଖ ଭୂମିକା ରହିଛି ବୋଲି କହିଥିଲେ।

ରାଜ୍ୟ ମହିଳା କମିସନର୍‌ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଯୋଗଦେଇ ସହରରେ ମହିଳା, ଯୁବତୀ, ଛାତ୍ରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ କର୍ପୋରେଟର୍‌ମାନେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ। କଟକ ମହାନଗର ନିଗମ ମେୟର ମୀନାକ୍ଷି ବେହେରା, ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା, ବ୍ରହ୍ମପୁର ମହାନଗର ନିଗମ ମେୟର କେ. ମାଧବୀ ଅତିଥି ଭାବେ ଯୋଗଦେଇ କର୍ପୋରେଟରମାନେ ଆଇନ ପରିସୀମା ଭିତରେ ରହି ନିଜ ଅଞ୍ଚଳରେ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ।
ଓଡ଼ିଶା ରାଜ୍ୟ ମହିଳା କମିସନ୍‌ର ସଦସ୍ୟା ସସ୍ମିତା ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ନେହାଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହିଳା ଆୟୋଗ ଦ୍ୱାରା ପ୍ରକାଶିତ ‘ମହିଳାଙ୍କ ସୁରକ୍ଷା ପାଇଁ ଆଇନ ସହାୟିକା ପୁସ୍ତିକା’ ଉନ୍ମୋଚିତ ହୋଇଥିଲା। ତିନି ମହାନଗର ନିଗମର ୧୫୦ରୁ ଅଧିକ କର୍ପୋରେଟର୍‌ ଏଥିରେ ଯୋଗ ଦେଇଥିଲେ।

ପରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ମହିଳା କମିସନ୍‌ର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ପ୍ରଫେସର ମଧୁମିତା ରାୟ, ପ୍ରଜ୍ଜ୍ୱାଳାର ନିର୍ଦେଶିକା ପଦ୍ମଶ୍ରୀ ସୁନିତା କ୍ରିଷ୍ଣନ୍‌, କ୍ରାଇମ୍‌ବ୍ରାଞ୍ଚର ଅଧିକାରୀ ଅକ୍ଷୟ ନାୟକ, କଳ୍ପନା ସାହୁ ଓ ଅମ୍ରିତା ପଟେଲ ପ୍ରମୁଖ ବକ୍ତବ୍ୟ ରହିଥିଲେ।

ସମ୍ବନ୍ଧିତ ଖବର