ବିଭାଗୀୟ ମୁଖ୍ୟଦପ୍ତର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ଖୁବଶୀଘ୍ର: ମୁଖ୍ୟମନ୍ତ୍ରୀ

ସେକ୍‌ସନ ଅଫିସର ସଂଘ ଓ ଅମଲା ସଂଘର ୨୯ତମ ମିଳିତ ସମ୍ମିଳନୀ

ଭୁବନେଶ୍ୱର: ବିଭାଗୀୟ ମୁଖ୍ୟଦପ୍ତର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ଖୁବଶୀଘ୍ର କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍‌ସନ ଅଫିସର ସଂଘ ଓ ଓଡ଼ିଶା ବିଭାଗୀୟ ମୁଖ୍ୟ ଅମଲା ସଂଘର ୨୯ତମ ମିଳିତ ସମ୍ମିଳନୀ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ସେକ୍‌ସନ ଅଫିସର ସଂଘର ସଭାପତି ମଧୁ ମଲ୍ଲିକଙ୍କ ସଭାପତିତ୍ୱରେ ଏହି ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟର ସଫଳ ରୂପାୟନରେ ସେକ୍‌ସନ ଅଫିସର ଓ ଅମଲା କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଧାରଣ ଲୋକ ଯେପରି ତା’ର ଅଧିକାରରୁ ବଞ୍ଚିତ ନ ହୁଏ ସେଥିପାଇଁ ଦୃଷ୍ଟି ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।

ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ, ସରକାରଙ୍କ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇଲେ ସେବା ଦ୍ୱିଗୁଣିତ ହେବ। ଫଳରେ ଦେଶରେ ଓଡ଼ିଶାର ସ୍ଥାନ ଆଗକୁ ବଢ଼ିବ। ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ବୈଷୟିକ ଜ୍ଞାନ କୌଶଳ ଓ ବ୍ୟବସ୍ଥା ସହିତ କର୍ମଚାରୀମାନଙ୍କୁ ଯୋଡ଼ି ହେବାକୁ ପଡ଼ିବ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ, ଏକ ଉତ୍ତରଦାୟୀ, କାର୍ଯ୍ୟକ୍ଷମ ଓ ସ୍ୱଚ୍ଛ ସରକାର ପ୍ରଦାନ କରିବା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସରକାରୀ କର୍ମଚାରୀ ଠିକଣା ଭାବେ କାର୍ଯ୍ୟ କଲେ କଲ୍ୟାଣକାରୀ ଯୋଜନାର ସୁଫଳ ରାଜ୍ୟବାସୀ ପାଇ ପାରିବେ। ସେକ୍‌ସନ ଅଫିସର ଓ ଅମଲାମାନେ ହେଉଛନ୍ତି ସରକାରଙ୍କ ମେରୁଦଣ୍ଡ। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଯୋଗୁଁ ଓଡ଼ିଶା ଦେଶରେ ପ୍ରତିଷ୍ଠା ଲାଭ କରିପାରିଛି ବୋଲି ଶ୍ରୀ ମହାନ୍ତି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ। ଅଭ୍ୟର୍ଥନା ସମିତିର ସଭାପତି ପ୍ରଭାତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅମଲା ସଂଘର ସଭାପତି ମହିର ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର