ସେଣ୍ଟ୍‌ ଜାଭିଅର୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ ନାଁରେ ସଂଗିନ ଅଭିଯୋଗ, ଜାଣିଶୁଣି ପିଲାଙ୍କ ମାର୍କ କାଟିଦେଲେ!

ଭୁବନେଶ୍ବର ସିବିଏସ୍‌ଇ କର୍ଯ୍ୟାଳୟ ଘେରିଲେ କ୍ଷୁବ୍ଧ ଅଭିଭାବକ, ରେ‌ଫରେନ୍ସିଅର କରିବାକୁ ସିବିଏସ୍‌ଇ କହିବାରୁ ମାର୍କ କମିଗଲା: ସ୍କୁଲ ଚେୟାରମ୍ୟାନ୍‌

ଭୁବନେଶ୍ବର: ‘ଆମ ସ୍କୁଲରେ ଏକାଦଶ ଶ୍ରେଣୀରେ ତୁମ ପିଲାଙ୍କ ନାମ ଲେଖାଅ। ଦଶମରେ ୯୦ରୁ ୯୫% ମାର୍କ ଦେବୁ। ନ ହେଲେ ମାର୍କ କମାଇ ଦେବୁ। ପ୍ରି-ଟେଷ୍ଟ ପରୀକ୍ଷାରେ ଯେତେ ଅଧିକ ନମ୍ବର ପାଇଥିଲେ ମଧ୍ୟ ଆମେ କାଟିଦେବୁ। ଅନ୍ୟ କେଉଁ ଭଲ ସ୍କୁଲରେ ପଢ଼ିବା ପାଇଁ ପିଲାମାନେ ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ। ସେତେବେଳେ ଆମକୁ କିଛି କହିବ ନାହିଁ।’ ସିବିଏସ୍‌ଇ ଦଶମ ମୂଲ୍ୟାୟନ ଚାଲିଥିବାବେଳେ ଭୁବନେଶ୍ବର ପଟିଆସ୍ଥିତ ସେଣ୍ଟ୍‌ ଜାଭିଅର୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ କର୍ତୃପକ୍ଷ ଦଶମ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଏଭଳି କହିଥିବା ଅଭିଯୋଗ ହୋଇଛି। ଯେଉଁ ଅଭିଭାବକମାନେ ସ୍କୁଲ କର୍ତୃପକ୍ଷଙ୍କ କଥା ମାନି ନ ଥିଲେ ସେମାନଙ୍କ ପିଲାଙ୍କ ମାର୍କ କାଟି ଦିଆଯାଇଛି। ୯ମ ଓ ଦଶମ ଶ୍ରେଣୀରେ ପିଲାମାନେ ୯୦%ରୁ ଅଧିକ ନମ୍ବର ରଖିଥିଲେ ଦଶମ ବୋର୍ଡ ପରୀକ୍ଷାରେ ସେମାନଙ୍କୁ ୬୦%ରୁ ବି କମ୍‌ ମାର୍କ ମିଳିଛି। ଗତକାଲି ପରୀକ୍ଷା ଫଳ ପ୍ରକାଶ ପରେ ମାର୍କ ପ୍ରଦାନରେ ଏଭଳି ପାତରଅନ୍ତର ହୋଇଥିବା ନେଇ ସ୍କୁଲ ଅଭିଭାବକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଆଜି ଏହି ଅସନ୍ତୁଷ୍ଟ ଅଭିଭାବକମାନେ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ଘେରାଉ କରି ପିଲାଙ୍କୁ ନ୍ୟାୟ ଦେବା ଲାଗି ଦାବି କରିଛନ୍ତି। ଏଥିସହ ଏକାଦଶ ‌ଶ୍ରେଣୀରେ ନାମଲେଖା ଲାଗି ସ୍କୁଲ କର୍ତୃପକ୍ଷ କେମିତି ଚାପ ପକାଉଥିଲେ, ତାହାର ଏକ ଅଡିଓ ମଧ୍ୟ ଜାରି କରିଛନ୍ତି।

ଜଣେ ଛାତ୍ରଙ୍କ ଅଭିଭାବକ ପ୍ରୀତି ନାୟକ କହିଛନ୍ତି ଯେ ତାଙ୍କ ସାନ ଭାଇ ଏହି ସ୍କୁଲରେ ପଢ଼ୁଥିଲା। ସବୁ ପରୀକ୍ଷାରେ ତାହାର ୯୮%ରୁ ଅଧିକ ନମ୍ବର ରହୁଥିବା ବେଳେ ବୋର୍ଡ ପରୀକ୍ଷାରେ ସେ ମାତ୍ର ୬୦.୪% ମାର୍କ ପାଇଛି। ଯଦି ନବମ ଶ୍ରେଣୀ ପରୀକ୍ଷା ଏବଂ ପ୍ରି-ବୋର୍ଡ ପରୀକ୍ଷା ମାର୍କ ଅନୁସାରେ ମୂଲ୍ୟାୟନ ହେବାର ଥିଲା, ତେବେ ଏତେ ମାର୍କ କମିଲା କେମିତି? ଏହାକୁ ଦେଖି ଆମେ ସହଜରେ ଗ୍ରହଣ କରିପାରୁ ନାହୁଁ। ଏପରି ଏହି ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ପଢ଼ିବା ପାଇଁ ସ୍କୁଲ କର୍ତୃପକ୍ଷ ବାରମ୍ବାର ପ୍ରବର୍ତ୍ତାଉଥିଲେ। ଏଥିସହ ରେଜଲ୍ଟ ବାହାରିବା ପୂର୍ବରୁ ଆଡମିସନ୍ ଫି’ ଦାଖଲ କରିବାକୁ ମଧ୍ୟ ଚାପ ପକାଉଥିଲେ। ଆମେ ନାମ ନ ଲେଖାଇବାରୁ ସ୍କୁଲ କର୍ତୃପକ୍ଷ ଜାଣିଶୁଣି ମାର୍କ କାଟି ଦେଇଛନ୍ତି। ଅନ୍ୟ ଜଣେ ଅଭିଭାବକ ପଦ୍ମିନୀ ସାହୁ କହିଛନ୍ତି; ମୋ ପିଲାକୁ ଏତେ କମ୍‌ ମାର୍କ ଦିଆଯାଇଛି ଯେ କହିପାରିବି ନାହିଁ। ୯ମରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ସ୍କୁଲ କର୍ତୃପକ୍ଷ କୌଣସି ଆସେସ୍‌ମେଣ୍ଟ ରିପୋର୍ଟ ଆମକୁ ଦେଇ ନାହାନ୍ତି। ପଇସା ନ ଦେଲେ ମାର୍କ କମାଇ ଦେବୁ ବୋଲି ସ୍କୁଲ କର୍ତୃପକ୍ଷ ବାରମ୍ବାର କହିଥିଲେ। ମୋ ପୁଅର ଗୋଟିଏ ବି ଟଙ୍କା ଫି’ ବାକି ନାହିଁ। ତା’ପରେ ବି ମାର୍କ କମାଇ ଦିଆଯାଇଛି।

ଏମିତି ଅନେକ ପିଲାଙ୍କ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି ଏବଂ ସେମାନଙ୍କ ପିଲାଙ୍କ ଜୀବନ ସହ ଖେଳି ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ କ୍ୟାରିଅରକୁ ବରବାଦ କରି ଦେଇଥିବା କହିଛନ୍ତି। ତେଣୁ ସେମାନେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ପିଲାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି। ଏ ନେଇ ନିଜ ପ୍ରତିକ୍ରିୟାରେ ସ୍କୁଲ ଚେୟାରମ୍ୟାନ୍‌ ବଦ୍ରି ନାରାୟଣ ପଟ୍ଟନାୟକ କହିଛନ୍ତି ଯେ ଅଭିଭାବକମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ। ସିବିଏସ୍‌ଇକୁ ପିଲାଙ୍କ ସମସ୍ତ ମାର୍କ ପଠାଇ ଦିଆଯାଇଥିଲା। ସ୍କୁଲର ସମସ୍ତ ପିଲାଙ୍କ ମାର୍କ ୭୨%ରୁ ଅଧିକ ମାର୍କ ରହିଥିଲା। ତେବେ ପରବର୍ତୀ ସମୟରେ ମାର୍କରେ ସଂଶୋଧନ କରିବାକୁ ସିବିଏସ୍‌ଇ ପକ୍ଷରୁ ଆମକୁ କୁହାଯିବା ପରେ ଏକାଧିକ କମିଟି ଗଠନ କରାଯାଇ ମାର୍କରେ ପରିବର୍ତନ କରି ପୁନର୍ବାର ଦାଖଲ କଲୁ।

ସ୍କୁଲର ସମସ୍ତ ୨୪୮ ପିଲାଙ୍କୁ ୫୪%ରୁ ଅଧିକ ନମ୍ବର ଦିଆଯାଇଥିଲା। ଏହାଦ୍ବାରା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବ ବୋଲି ଆମେ ସିବିଏସ୍‌ଇ ଅଧ୍ୟକ୍ଷଙ୍କୁ ଜଣାଇଥିଲୁ। ତା’ପରେ ବି ସିବିଏସ୍‌ଇ ଚାପ ଆଗ‌ରେ ଆମର କୌଣସି ଉପାୟ ନ ଥିଲା। ଯେଉଁମାନଙ୍କର ମାର୍କ କମିଛି ସେମାନଙ୍କ ପିଲା ପୁଣିଥରେ ପରୀକ୍ଷା ଦେଇପାରିବେ। ଅଭିଭାବକଙ୍କର ଯେଉଁ ଅଭିଯୋଗ ରହିଛି ସେମାନଙ୍କ କଥା ଶୁଣିବାକୁ ମୁଁ ପ୍ରସ୍ତୁତ ରହିଛି। ସିବିଏସ୍‌ଇ ନିୟମ ଅନୁଯାୟୀ ୨୦୨୦-୨୧ ଶିକ୍ଷାବର୍ଷର କୌଣସି ପିଲାଙ୍କୁ ପ୍ରାକ୍ଟିସ୍‌ ଟେଷ୍ଟ ମାର୍କ ଦିଆଯାଇପାରିବ ନାହିଁ। ପିଲାଙ୍କ ମାର୍କ କମିବା ନେଇ ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକଙ୍କ ସହ କଥା ହୋଇଛି। ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କୁ ଜଣାଇଛି। ଆଜି ଗୋଟିଏ ଦିନରେ ୩୬ ଜଣ ଅଭିଭାବକଙ୍କ ଲିଖିତ ଅଭିଯୋଗ ଆସିବା ପରେ ତାହାକୁ ସିବିଏସ୍‌ଇ କର୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଛୁ। ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ାଇବା ଚାପ ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର