ପର୍ଯ୍ୟଟନ, ସଂସ୍କୃତି ଓ ଖାଦ୍ୟ ବିଶାରଦ ଶାହବୁଦ୍ଦିନ ମହମ୍ମଦ ଗନିଙ୍କ ପରଲୋକ

ଭୁବନେଶ୍ବର : ପର୍ଯ୍ୟଟନ, ସଂସ୍କୃତି ଓ ଖାଦ୍ୟ ବିଶାରଦ ଶାହବୁଦ୍ଦିନ ମହମ୍ମଦ ଗନିଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲ। ଡେଲ୍‌ଟାସ୍ଥିତ ବାସଭବନରେ ସେ ଦୀର୍ଘ ଦିନ ହେବ ରହି ଆସୁଥିଲେ। ବିଶେଷକରି ଓଡ଼ିଶା ରସଗୋଲା କାହିଁକି ବଙ୍ଗଳା ରସଗୋଲାଠାରୁ ସ୍ବତନ୍ତ୍ର, ତାହାର ଭୈଗୋଳିକ ଓ ବୈଜ୍ଞାନିକ କାରଣ ଦର୍ଶାଇ ପ୍ରଶଂସାଭାଜନ ହୋଇଥିଲେ। ରସଗୋଲା ପାଇଁ ସ୍ବର ଉତ୍ତୋଳନ କରିଥିବା ଗବେଷକ ଅସିତ ମହାନ୍ତି ତାଙ୍କ ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ବହିରେ ଶାହବୁଦ୍ଦିନଙ୍କ ସମ୍ପର୍କରେ ଉଲ୍ଲେଖ କରିଥିବା ବେଳେ ତାଙ୍କ ମତକୁ ଉଦ୍ଧାର କରି ଓଡ଼ିଶାର ରସଗୋଲା ଦାବିକୁ ବଳିଷ୍ଠ କରିଛନ୍ତି।

ଓଡ଼ିଶାର ଖାଦ୍ୟ ସଂସ୍କୃତିର ଜଣେ ପ୍ରଶଂସକ ଓ ପ୍ରଚାରକ ଭାବେ ସେ ଜଣାଶୁଣା ଥିଲେ। ଶାହବୁଦ୍ଦିନ୍‌ ୧୯୩୭ ମସିହା ଜୁଲାଇ ୯ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ। ୧୯୫୨ରେ କଟକର ସୟିଦ ସେମିନାରି ହାଇସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ରେଭେନ୍ସା କଲେଜରେ ପଢ଼ିଥିଲେ। ପରେ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପର୍ଯ୍ୟଟନ ବିଭାଗରୁ କାର୍ଯ୍ୟ ଆରମ୍ଭ କରିଥିଲେ। ବମ୍ବେ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍‌ରୁ ବି ସେ ବିଶେଷ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିଲେ। ଓଡ଼ିଶାରେ ହୋଟେଲ୍ ମ୍ୟାନେଜମେଣ୍ଟ ଓ କ୍ୟାଟରିଂ ପାଠ୍ୟକ୍ରମର ପ୍ରବର୍ତ୍ତନ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ଥିଲା। ବିଭିନ୍ନ ସମୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ଅନ୍ୟ ରାଜ୍ୟର ପର୍ଯ୍ୟଟନ ଉନ୍ନୟନ ନିଗମ ସହ ମଧ୍ୟ ସେ ବୃତ୍ତିଗତ ଭାବେ ଏବଂ ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟ ଭାବେ ଜଡ଼ିତ ଥିଲେ।

ସମ୍ବନ୍ଧିତ ଖବର