ମୁଣ୍ତିଆ ଲୁଟିଥିଲେ, ଶ୍ରୀଜଗନ୍ନାଥଙ୍କ ରାଜାଭୋଗ ବି ଲୁଟିନେଲେ

ଖୋର୍ଦ୍ଧା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ନେଇ ସୁପ୍ରିମକୋର୍ଟ ତନାଘନା କଲେ। ତଥାପି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନାହିଁ। ମାସେ ନୁହେଁ କି ଦୁଇ ମାସ ନୁହେଁ, ଗତ ୪ ବର୍ଷ ଧରି ରାଜସ୍ବ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ଓ ରାଜାଭୋଗ ଜମିର ଭୋଗ ଦଖଲକାରୀ ମିଳିମିଶି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଲୁଟି ଚାଲିଛନ୍ତି। ଶ୍ରୀମନ୍ଦିର ପରିଚାଳନା ନିମନ୍ତେ ରାଜସ୍ବ ଆଦାୟର ଏକ ପ୍ରମୁଖ ଭାଗ ସ୍ଥାବର ଭୂ ସମ୍ପତ୍ତିରୁ ମିଳିଥାଏ। ସ୍ଥାବର ଭୂସମ୍ପତ୍ତି ମଧ୍ୟରେ ପଥର ମୁଣ୍ତିଆର ନିଲାମ ଅର୍ଥ, ରାଜା ଭୋଗ ଜମି ଭୋଗଦଖଲକାରୀଙ୍କଠାରୁ ଆଦାୟ ଅର୍ଥ ଏବଂ କାଜୁ, ନଡ଼ିଆ ଆଦି ବଗିଚା ସାମିଲ ଅଛି। ପୁରୀ ଜିଲ୍ଲା ପରେ ମହାପ୍ରଭୁଙ୍କ ସର୍ବାଧିକ ଜମି ଖୋର୍ଦ୍ଧା ଜିଲ୍ଲାରେ ରହିଛି। ଜିଲ୍ଲାର ୪୫୬ଟି ଗାଁରେ ମୋଟ ୨୬,୮୧୬.୪୭୩ ଏକର ଜମି ରହିଛି। ଏହା ମଧ୍ୟରୁ ଭୁବନେଶ୍ବର, ଖୋର୍ଦ୍ଧା ଓ ଜଟଣୀରେ ୧୯୦୦ ଏକର ରାଜଭୋଗ ଜମି, ତାପଙ୍ଗ, ରାମେଶ୍ବର, ଟାଙ୍ଗୀ ଆଦି ସ୍ଥାନରେ ଆଉ ବଳକା ୪୦୦୦ ଏକର ଜମି ରହିଛି। ନିୟମ ମୁତାବକ, ରାଜଭୋଗ ଜମି ଭୋଗଦଖଲକାରୀଙ୍କ ଅଧୀନରେ ରହିଥାଏ। ସେମାନେ ବାର୍ଷିକ ଏହି ଭୋଗଦଖଲ ବାବଦକୁ ନିର୍ଦ୍ଧାରିତ ପରିମାଣରେ ଧାନ କିମ୍ବା ତତୁଲ୍ୟ ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ପଇଠ କରିଥାନ୍ତି।

ମିଳିଥିବା ସୂଚନା ଅନୁଯାୟୀ ୨୦୧୩–୧୪, ୨୦୧୪–୧୫ ଆର୍ଥିକ ବର୍ଷରେ ରାଜାଭୋଗ ଜମି ବାବଦକୁ ଯେତିକି ଆୟ ନିର୍ଦ୍ଧାରିତ ହୋଇଥିଲା ତାହାଠାରୁ ୨କୋଟି ୫୩ ଲକ୍ଷ ୪୧ ହଜାର ୩୭୦ ଟଙ୍କା କମ୍ ଆଦାୟ ହୋଇଥିଲା। ଅନାଦେୟ ରାଜାଭୋଗ ଦଖଲ କର ଆଦାୟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ୩ଜଣ ଅଧିକାରୀଙ୍କୁ ନିଯୁକ୍ତ କରିଥିଲେ। ତେବେ ନିର୍ଦ୍ଧାରିତ ସମୟରେ କର ଅନାଦେୟ ରହିବା ଓ ପରବର୍ତୀ ସମୟରେ କର ସହ ସୁଧର ଆଦାୟର ବ୍ୟବସ୍ଥା ଥିଲେ ମଧ୍ୟ ଏହା କରାଯାଇ ନଥିଲା। ୨୦୧୫-୧୬ ଅଡିଟ୍ ସମୟରେ ଅଡିଟର୍‌ ଏହି କଥାକୁ ସୂଚାଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ ସହାୟତାରେ ଏହା ଆଦାୟ କରିବାକୁ କହିଥିଲେ। କେବଳ ଏହା ନୁହେଁ, କେତେ ପରିମାଣରେ ରାଜାଭୋଗ ଜମି ଜବରଦଖଲରେ ରହିଛି ଓ କେତେ ପରିମାଣରେ କର ଆଦାୟ ହେଉଛି ସେନେଇ ସ୍ପଷ୍ଟ ତଥ୍ୟ ସମ୍ବଳିତ ପଂଜିକା ପରବର୍ତୀ ଅଡିଟ୍ ବେଳକୁ ପ୍ରସ୍ତୁତ କରିବାକୁ ମଧ୍ୟ କହିଥିଲେ। ଏହା ସତ୍ତ୍ବେ, ୨୦୧୭–୧୮ ଆର୍ଥିକ ବର୍ଷର ଅଡିଟ୍ ବେଳକୁ ପୂର୍ବ ବକେୟା ବ୍ୟତୀତ ରାଜାଭୋଗ ଜମିରୁ ୩୯ଲକ୍ଷ ୮୦ ହଜାର ୯୯୩ ଟଙ୍କା ଅନାଦେୟ ହୋଇ ରହିଥିଲା।

ଏନେଇ ଖୋର୍ଦ୍ଧା ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରେ ଜଣାଯାଇଛି ଯେ ରାଜାଭୋଗ ଦଖଲକାରୀଙ୍କ ବିରୋଧରେ ୧୨୦ଟି ସାଟିର୍ଫିକେଟ୍ କେସ୍‌ କରାଯାଇଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ୨୦୧୮ଠାରୁ ବର୍ତମାନ ସୁଦ୍ଧା ୨ବର୍ଷ ମଧ୍ୟରେ କେତେ ପରିମାଣରେ ରାଜାଭୋଗ କର ଆଦାୟ କରାଯାଇଛି, କେତେ ଜବରଦଖଲ ଉଚ୍ଛେଦ କରାଯାଇଛି ସେ ନେଇ କୌଣସି ସଠିକ୍ ସୂଚନା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନାହିଁ। ତେବେ ଏନେଇ ଜିଲ୍ଲା ରାଜସ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନ ଉପରେ ଦୋଷ ଲଦିଛି। କର ଆଦାୟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ କରୁଥିବା ନେଇ ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର