ଆସ ବୁଲିଯିବା, ପାହାଡ଼ ଉପରୁ ସହର ଦର୍ଶନ

ଚନ୍ଦ୍ରଶେଖରପୁର: ଆରମ୍ଭ ‌ହେଲାଣି ପର୍ଯ୍ୟଟନ ଋତୁ। ପର୍ଯ୍ୟଟକଙ୍କୁ ସ୍ବାଗତ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି। କେଉଁଠି ପର୍ଯ୍ୟଟନ ସ୍ଥଳୀର ନବକଳେବର ହେଉଛି ତ ଆଉ କେଉଁଠି ଭୋଜି ପାଇଁ ପିଣ୍ଡି ପ୍ରସ୍ତୁତ ଚାଲିଛି। ଭୁବନେଶ୍ବର ସହର ଓ ଉପକଣ୍ଠରେ ଥିବା ପର୍ଯ୍ୟଟନ ସ୍ଥଳୀରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ। ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହେଉଥିବା ବେଳେ ଶିଖରଚଣ୍ଡୀ ମନ୍ଦିର ପାଦ ଦେଶ ଏବେ ପର୍ଯ୍ୟଟକଙ୍କୁ ଅପେକ୍ଷା କରି ରହିଛି। ପ୍ରାକୃତିକ ପରିବେଶ ସାଙ୍ଗକୁ ମା’ଙ୍କ ମନ୍ଦିରର ଅପରୂପ ଶୋଭା, ହନୁମାନ ପାହାଡ଼ ଏଠାକାର ପ୍ରମୁଖ ଆକର୍ଷଣ ପାଲଟିଛି। ଜଣେ ପର୍ଯ୍ୟଟକ ବିନା ଫି’ରେ ଏହି ଅଞ୍ଚଳରେ ବୁଲିପାରିବେ। ସବୁ ସମୟରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଥିବା ଶିଖରଚଣ୍ଡୀ ମନ୍ଦିର ପାଦଦେଶରେ ଭୋଜି ପାଇଁ ଉପଯୁକ୍ତ ସ୍ଥାନ ରହିଛି। ପାହାଡ଼ ଉପର ଭାଗ ଓ ପାଦଦେଶରେ ୩୦ରୁ ଅଧିକ ପିଣ୍ଡି କରାଯାଇଛି। ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏଠାରେ ଭୋଜି ଲାଗି ଭିଡ଼ ଜମୁଥିବାରୁ ଏଥର ନୂଆ ପଦକ୍ଷେପ ନିଆଯାଇଛି। ଗତବର୍ଷ ତୁଳନାରେ ପିଣ୍ଡି ସଂଖ୍ୟାକୁ ବଢ଼ାଇ ଦିଆଯାଇଛି। ଆଗରୁ ୧୦ରୁ ୧୫ଟି ପିଣ୍ଡି ଥିବା ବେଳେ ଏବେ ଏହି ସଂଖ୍ୟା ୩୦ରେ ପହଞ୍ଚିଛି। ପିଣ୍ଡି ପାଇଁ ୫୧ ଟଙ୍କା ଫି’ ଦେବାକୁ ପଡ଼ିବ। ଏହି ଅର୍ଥରେ ଶିଖରଚଣ୍ଡୀ ପାହାଡ଼ର ବିକାଶ ଓ ସ୍ବଚ୍ଛତା‌ ଉପରେ ଗୁରୁତ୍ବ ଦିଆଯାଉଛି। ପିକ୍‌ନିକ୍‌ ଲାଗି ଏହି ସ୍ଥଳରେ ପିଇବା ପାଣିର ସୁବିଧା ହୋଇଛି। ପାହାଡ଼ ଉପର ଓ ତଳେ ହୋଇଥିବା ପିଣ୍ଡି ନିକଟରେ ୬ଟି ପାଣି ଟାଙ୍କି କରାଯାଇଛି। ସେଠାରେ ୨୪ ଘଣ୍ଟିଆ ପାଣି ସୁବିଧା ରହିଛି। ଆଉ ଏକ ସୁବିଧା ମଧ୍ୟ ଏଠାରେ ରହିଛି। ଯଦି କୌଣସି ପିକ୍‌ନିକ୍‌ ଦଳ ସାଙ୍ଗରେ ରୋଷେଇ ସାମଗ୍ରୀ ଆଣି ନଥିବେ ସେମାନଙ୍କୁ ସୁବିଧା ଦିଆଯିବ। ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇ ଦିଆଯିବ। ଏଥିପାଇଁ ଖୁବ୍‌ କମ୍‌ ମୂଲ୍ୟ ଦେବାକୁ ପଡ଼ିବ। କାର, ବାଇକ୍‌, ସାଇକେଲ୍‌ ପାର୍କିଂ ପାଇଁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ନିଜ ସୁରକ୍ଷାରେ ରଖିପାରିବେ। ଭିଡ଼କୁ ଦୃଷ୍ଟିରେ ରଖି ପାର୍କିଂ ସ୍ଥାନରେ କିଛିଟା ପରିବର୍ତନ ହୋଇପାରେ। ଆଲୋକୀକରଣ ପାଇଁ ଏଠାରେ ମନ୍ଦିର କମିଟି ପକ୍ଷରୁ ଲାଇଟ୍‌ ଲଗାଯାଇଛି।

ପ୍ରଦୂଷଣ ଉପରେ ରୋକ
ଶିଖରଚଣ୍ଡୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନିଆଯାଇଛି। ଏଠାରେ ଭୋଜି କରିବା ସମୟରେ ଡିଜେ କିମ୍ବା ଉଚ୍ଚ ଶବ୍ଦ କରୁଥିବା ସାଉଣ୍ଡ ବକ୍ସ ଲାଗିବା ଉପରେ କଟକଣା ଜାରି ହୋଇଛି। ଏଥିସହ ଚଳିତବର୍ଷ ପଲିଥିନ୍‌ ବ୍ୟବହାର ବନ୍ଦ ହୋଇଛି। କୌଣସି ବ୍ୟକ୍ତି ଏଠାରେ ପଲିଥିନ୍‌ ବ୍ୟବହାର କରିପାରିବେ ନାହିଁ। ସନ୍ଧ୍ୟା ୬ଟା ପରେ ଆଉ କାହାରିବାକୁ ଅନୁମତି ମିଳିବ ନାହିଁ। ମାଦକ ଦ୍ରବ୍ୟ ସେବନ ଉପରେ ବି ରୋକ ଲାଗିଛି। ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଳିଆ, ଆବର୍ଜନା ପକାଇବାକୁ ପିକ୍‌ନିକ୍‌ ସ୍ଥଳର ବିଭିନ୍ନ ସ୍ଥାନରେ ଡଷ୍ଟବିନ୍‌ ରହିଛି। ସେଥିରୁ କିଛି ଭାଙ୍ଗିଯାଇଛି। ସେଗୁଡ଼ିକର ମରାମତି କିମ୍ବା ନୂଆ ଲଗାଇବା ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର