କାପୋକର ଉତ୍କଳ ଦିବସ ସମାରୋହ: ସଂଗୀତ ପରିବେଷଣ କରିବେ କୈଳାସ ଖେର

ଭୁବନେଶ୍ୱର: କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ଏପ୍ରିଲ୍‌ ୧ରେ ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ହେବ ଉତ୍କଳ ଦିବସ ସମାରୋହ। ଏହାର ଅବ୍ୟବହିତ ପୂର୍ବରୁ ମାର୍ଚ ୩୧ରେ ଓଡ଼ିଆ ସ୍ୱାଭିମାନ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏଥିରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ଲୋକକଳାର ଫଟୋଚିତ୍ର ପ୍ରଦର୍ଶନ କରାଯିବ। ଏପ୍ରିଲ୍‌ ୧ ଅପରାହ୍‌ଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ବଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ କୈଳାସ ଖେର୍‌ ସଂଗୀତ ପରିବେଷଣ କରିବେ। ଏହା ସହ ଓଡ଼ିଶାର ଜଣାଣୁଣା କଣ୍ଠଶିଳ୍ପୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ। ଉକ୍ତ ଦିନ ପଡ଼ିଆରେ ୧୨ଟି ଖାଦ୍ୟ ଷ୍ଟଲ୍‌ରେ ଓଡ଼ିଆ ଖାଦ୍ୟ ଉପଲବ୍ଧ ହେବ। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହକୁ ଉଦ୍‌ଘାଟନ କରିବେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଓଡ଼ିଆମାନଙ୍କୁ ସମ୍ମାନିତ କରାଯିବ। ଆଜି ସ୍ଥାନୀୟ କଳିଙ୍ଗ ଅଶୋକା ହୋଟେଲ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଏହାର ପ୍ରଚାର ପ୍ରସାର ପାଇଁ ୩ଟି ଗାଡ଼ିକୁ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି କାପୋକର ସଭାପତି ସଂଗ୍ରାମ କେଶରୀ ପାଇକରାୟ। ସାମ୍ବାଦିକ ସମ୍ମିଳନୀରେ କାପୋକର ଉପଦେଷ୍ଟା ହରେକୃଷ୍ଣ ଖୁଣ୍ଟିଆ, ସମ୍ପାଦକ ଚିତ୍ତରଂଜନ ମହାନ୍ତି ଏବଂ ପଞ୍ଚାନନ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର