ଭୁବ‌ନେଶ୍ବର ଆଇଆଇଟିମୁହାଁ ଦକ୍ଷିଣ ଭାରତୀୟ ପିଲା

ନାମ ଲେଖାଇଲେ ରେକର୍ଡ ସଂଖ୍ୟକ ଛାତ୍ରୀ ୨୦୧୯-୨୦ ଶିକ୍ଷାବର୍ଷରେ ବଢ଼ିଲା ୬୦ ବି.ଟେକ୍‌ ସିଟ୍‌ ଏମ୍‌.ଟେକ୍‌ରେ ୧୯୭ ଓ ଏମ୍‌ଏସ୍‌ସିରେ ୮୮ ଛାତ୍ରଛାତ୍ରୀ

ଭୁବନେଶ୍ବର: ପ୍ରାକୃତିକ ପରିବେଶ ସାଙ୍ଗକୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଭୁବନେଶ୍ବର ଆଇଆଇଟି ଏବେ ଦେଶରେ ପ୍ରତିଷ୍ଠା ଲାଭ କରିଛି। ନୂତନ ତଥା ଜଟଣୀସ୍ଥିତ ସ୍ଥାୟୀ କ୍ୟାମ୍ପସକୁ ଯିବାର ମାତ୍ର ୩ ବର୍ଷ ମଧ୍ୟରେ ଏହା ଦେଶର ଅନ୍ୟତମ ପ୍ରମୁଖ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଛି। ଓଡ଼ିଶା ବ୍ୟତୀତ ଦେଶର କୋଣ ଅନୁକୋଣର ଛାତ୍ରଛାତ୍ରୀ ଏବେ ଭୁବନେଶ୍ବର ଆଇଆଇଟିରେ ନାମ ଲେଖାଇଛନ୍ତି। ବିଶେଷକରି ଦକ୍ଷିଣ ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଭୁବନେଶ୍ବର ଆଇଆଇଟି। ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଶେଷ ହେବା ପରେ ଦେଖିବାକୁ ମିଳିଛି ଯେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଭୁବନେଶ୍ବର ଆଇଆଇଟିରେ ନାମ ଲେଖାଇଛନ୍ତି। ଏହା ତଳକୁ ଓଡ଼ିଶା ଓ ତାମିଲନାଡ଼ୁର ଛାତ୍ରଛାତ୍ରୀ ରହିଥିବା ଆଇଆଇଟି ପକ୍ଷରୁ ସୂଚନା ଦିଆଯାଇଛି।

ବଡ଼ କଥା ହେଲା, ଏବର୍ଷ ଦେଶର ପ୍ରାୟ ସମସ୍ତ ରାଜ୍ୟର ଛାତ୍ରଛାତ୍ରୀ ଭୁବନେଶ୍ବର ଆଇଆଇଟିରେ ନାମ ଲେଖାଇଛନ୍ତି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାଲିମନାଡ଼ୁ ବ୍ୟତୀତ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶର ଅଧିକାଂଶ ପିଲା ରହିଛନ୍ତି। ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଦିଲ୍ଲୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ରହିଛି। ଉତ୍ତର-ପୂର୍ବ ଭାରତର ବି କିଛି ଛାତ୍ରଛାତ୍ରୀ ଏଥର ନାମ ଲେଖାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଛାତ୍ରୀମାନଙ୍କ ଅନାଗ୍ରହ ଦେଖି ୨୦୧୮/୧୯ ଶିକ୍ଷାବର୍ଷଠାରୁ ଦେଶର ସମସ୍ତ ଆଇଆଇଟିରେ ଛାତ୍ରୀଙ୍କ ଲାଗି ସିଟ୍‌ ସଂରକ୍ଷିତ କରିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଭୁବନେଶ୍ବର ଆଇଆଇଟିରେ ୭୬ଟି ସିଟ୍‌ କେବଳ ଛାତ୍ରୀଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ଗତବର୍ଷ ୭୬ଟି ସିଟ୍‌ ମଧ୍ୟରୁ ୫୫ଟି ପୂରଣ ହୋଇଥିଲା। ଏଥର କିନ୍ତୁ ଛାତ୍ରୀଙ୍କ ସଂଖ୍ୟା ବଢ଼ିଛି। ଗୋଟିଏ ପଟେ ୨୦୧୯/୨୦ ଶିକ୍ଷାବର୍ଷରେ ଆଇଆଇଟିରେ ୬୦ଟି ସିଟ୍‌ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟପଟେ ଏଥର ରେକର୍ଡ ସଂଖ୍ୟକ ୭୨ଜଣ ଛାତ୍ରୀ ନାମ ଲେଖାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଭାରତର ଛାତ୍ରୀ ରହିଥିବା ଆଇଆଇଟି ପକ୍ଷରୁ କୁହାଯାଇଛି।

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୮-୧୯ ଶିକ୍ଷାବର୍ଷରେ ମୋଟ ୩୬୦ ସିଟ୍‌ ମଧ୍ୟରୁ ୩୫୪ଟିରେ ନାମଲେଖା ହୋଇଥିଲା। ସେଥିରେ ୨୯୯ଜଣ ଛାତ୍ର ଓ ୫୫ ଜଣ ‌ଛାତ୍ରୀ ରହିଥିଲେ। ଏଥର ୪୨୦ଟି ବି.ଟେକ୍‌ ସିଟ୍‌ରେ ନାମଲେଖା ହେଉଛି। ସିଟ୍‌ ଆଲଟ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ସୁଦ୍ଧା ୪୦୬ଜଣ ନାମ ଲେଖାଇ ସାରିଛନ୍ତି। ଏଥର ବି ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆଇଆଇଟିରେ ୧୦ପ୍ରତିଶତ ସିଟ୍‌ ସଂରକ୍ଷିତ ରଖାଯିବା ସହ ନାମଲେଖା ହୋଇଛି। ସେହିପରି ଏମ୍‌.ଟେକ୍‌ ଓ ଏମ୍‌ଏସ୍‌ସିରେ ବି ପିଲାଙ୍କ ସଂଖ୍ୟା ବଢ଼ିଛି। ଗତ ୨୦ତାରିଖ ସୁଦ୍ଧା ଏମ୍‌.ଟେକ୍‌ରେ ୧୯୭ ଓ ଏମ୍‌ଏସ୍‌ସିରେ ୮୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

ଆଇଆଇଟି ନିର୍ଦେଶକ ଆର୍‌. ଭି ରାଜାକୁମାରଙ୍କ କହିବାନୁଯାୟୀ, ପ୍ରତିବର୍ଷ ବି.ଟେକ୍‌ ସିଟ୍‌ ସଂଖ୍ୟା ବୃଦ୍ଧି ପାଉଛି। ତାହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମିର ବିକାଶ କରାଯାଉଛି। ଗତ ୧୫ ତାରିଖରେ ୮୦୦ ଶଯ୍ୟା ବିଶିଷ୍ଟ ବ୍ରହ୍ମପୁତ୍ର ଛାତ୍ରାବାସ ଓ ଛାତ୍ରୀଙ୍କ ପାଇଁ ୪୦୦ ଶଯ୍ୟା ବିଶିଷ୍ଟ ଗଙ୍ଗା ହଲ୍‌ ଉଦ୍‌ଘାଟିତ ହୋଇଛି। ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ରହିବା ପାଇଁ ସେଠାରେ ବ୍ୟବସ୍ଥା କରାଯାଇଛି। ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପ୍ରଫେସନାଲ କ୍ୟାରିଅର୍‌ ଏବେଠାରୁ ଆରମ୍ଭ ‌ହେଉଛି। ସେମାନଙ୍କ ଲାଗି ଆଗକୁ ବଡ଼ ଚ୍ୟାଲେଞ୍ଜ ରହିଛି। ତାହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ଶିକ୍ଷା, ବରିଷ୍ଠ ତଥା ଦକ୍ଷ ପ୍ରଫେସର୍‌ଙ୍କୁ ନିଯୁକ୍ତି ଦିଆଯାଉଛି। ସମସ୍ତ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ନାମଲେଖା ପରେ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ କରାଯାଉଛି। ଯେଉଁଥିରେ ସେମାନଙ୍କୁ ଶିକ୍ଷାନୁଷ୍ଠାନର ବିଭିନ୍ନ ବିଷୟରେ ତାଲିମ୍‌ ଦିଆଯାଉଛି।

ସମ୍ବନ୍ଧିତ ଖବର