ଶ୍ରୀଲିଙ୍ଗରାଜଙ୍କ ବିବାହ: କେଦାରଗୌରୀରେ ପଡ଼ିଲା ହାତଗଣ୍ଠି, ଆଜି ଶୀତଳଷଷ୍ଠୀରେ ଫେରିବେ ଦେବଦମ୍ପତି

ପୁରୁଣା ଭୁବନେଶ୍ୱର: କରୋନା କଟକଣା କୋଳାହଳ ଓ ଜନ ସମାବେଶକୁ କମାଇ ଦେଇଥିଲା। କିନ୍ତୁ ବିବାହ ବିଧି‌ରେ ଟିକିଏ ବି ଊଣା ହୋଇନଥିଲା। ବରଯାତ୍ରୀ ପଟୁଆର ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ ଓ ସେଠାରେ ଯଥାରୀତି ମା’ ପ‌ାର୍ବତୀଙ୍କ ସହ ତାଙ୍କ ଶୁଭପରିଣୟ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ପାଣିଗ୍ରହଣ ଉତ୍ସବ ପରେ ଜ୍ବାଇଁ ଓ ବରଯାତ୍ରୀଙ୍କୁ ପାରମ୍ପରିକ ରୀତିରେ ଶ୍ବଶୁର ଘର ପକ୍ଷରୁ ଅଭ୍ୟର୍ଥନା ଦିଆଯାଇଥିଲା। ଆସନ୍ତାକାଲି ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତି ଶ୍ବଶୁର ଘରୁ ମେଲାଣି ନେଇ ସ୍ବଗୃହ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆଜି ପ୍ରଭୁଙ୍କ ବରଯାତ୍ରୀରେ କେବଳ ସେବାୟତମାନେ ସାମିଲ୍ ହୋଇଥିଲେ। ଲିଙ୍ଗରାଜ ମନ୍ଦିରରେ ପ୍ରଥମେ ବରାନୁଗମନର ପୂର୍ବ ସମସ୍ତ ବିଧି ସମ୍ପନ୍ନ ହୋଇଥିଲା।

ପରେ ରାତି ୧୦ଟା ୫୫ ରେ ପାଳିଆ ସେବାୟତଙ୍କ ଗହଣରେ ଜ୍ବାଇଁ ବେଶରେ ସଜେଇ ହୋଇ ସୁସଜ୍ଜିତ ବିମାନରେ ବସି ପ୍ରଭୁ ଲିଙ୍ଗରାଜ ବାହାରିଥିଲେ। କେବଳ ଘଣ୍ଟ, ଘଣ୍ଟି, ତୂରୀ ଓ କାହାଳୀ ବାଜା ବଜେଇ ବରଯାତ୍ରୀ ଦଳ କେଦାରଗୌରୀ ମନ୍ଦିରରେ ପହଞ୍ଚିଥିଲେ। ପୂର୍ବଭଳି ବାଜା, ବାଣ ଓ ରୋଷଣି ନଥିଲେ ବି ପ୍ରଭୁଙ୍କ ବରଯାତ୍ରା ଦୃଶ୍ୟ ଓ ପରିବେଶ ବେଶ୍ ଭକ୍ତିମୟ ଓ ଆବେଗପୂର୍ଣ୍ଣ ଥିଲା। ବଢ଼େଇବାଙ୍କ ଛକ, ତିନିମୁଣ୍ଡିଆ ଛକ ଓ ଏକାମ୍ର ବନ ଦେଇ ବରଯାତ୍ରୀ ଦଳ ଯାଉଥିବା ‌ବେଳେ ଘର ବାରଣ୍ଡାରେ ଓ ଛାତରେ ଠିଆ ହୋଇ ସ୍ଥାନୀୟ ଲୋକେ ଏହି ଦିବ୍ୟ ଦୃଶ୍ୟ ଦେଖିବା ମଉକା ଛାଡ଼ିନଥିଲେ। କେଦାରଗୌରୀ ମନ୍ଦିରଠାରେ ଉପସ୍ଥିତ ସେବାୟତମାନେ ବର ଓ ବରଯାତ୍ରୀଙ୍କୁ ଭବ୍ୟ ସ୍ବାଗତ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପରେ ବିଧି ମୁତାବକ ବେଦୀରେ ବରକନ୍ୟାଙ୍କ ହାତଗଣ୍ଠି ପଡ଼ିଥିଲା ଓ ବନ୍ଦାପନା କାର୍ଯ୍ୟ ବି ସମାହିତ ହୋଇଥିଲା।

ନିରାଡ଼ମ୍ବର ହେବ ଶୀତଳଷଷ୍ଠୀ
ମା’ ପାର୍ବତୀଙ୍କୁ ସାଙ୍ଗରେ ଧରି ଶ୍ରୀଲିଙ୍ଗରାଜ ଆସନ୍ତାକାଲି aନବଦମ୍ପତି କେଦାରଗୌରୀ ମନ୍ଦିରରୁ ବିଦାୟ ନେଇ ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀ ରାସ୍ତା, ତିନିମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖଳା ଛକ ଦେଇ ନଗର ପରିକ୍ରମା କରିବା ସହ ଲିଙ୍ଗରାଜ ମନ୍ଦିରକୁ ଫେରିବେ। ବର ଶୋଭାଯାତ୍ରା ଭଳି ଏହି ଶୀତଳଷଷ୍ଠୀ ଯାତ୍ରା ମଧ୍ୟ ନିରାଡ଼ମ୍ବର ସହକାରେ ସମ୍ପନ୍ନ ହେବ। ତେବେ ଏହା ଦିନ ବେଳା ହେବାକୁ ଥିବାରୁ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି। ତେଣୁ ଦୁଇ ପ୍ଲାଟୁନ୍‌ ପୁଲିସ ବଳ ନିୟୋଜିତ ହୋଇଛନ୍ତି। ସେମାନେ ସେବାୟତଙ୍କୁ ବାଦ୍‌ ଦେଇ ଅନ୍ୟ କାହାକୁ ଏହି ଯାତ୍ରାରେ ସାମିଲ୍ ହେବାକୁ ଦେବେ ନାହିଁ।

ତ୍ରିଶୁଳିଆ: ରାଜଧାନୀ ଉପକଣ୍ଠ ବରିମୁଣ୍ତ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷେଶ୍ବର ମହାଦେବଙ୍କ ମନ୍ଦିର ପରିସରରେ ଶୀତଳ ଷଷ୍ଠୀ ଯାତ୍ରା, ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁଁ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ସାମାଜିକ ଦୂରତା ବଜାୟ ରଖି ଶିବ-ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏଥିରେ କନ୍ୟା ଘର ପକ୍ଷରୁ ପ୍ରମୋଦ ସ୍ବାଇଁ ଓ ବର ଘର ପକ୍ଷରୁ ଗଙ୍ଗାଧର ବାରିକ ଦେବ ଦମ୍ପତିଙ୍କ ବିବାହ କରାଇଥିଲେ। ବହ୍ମା ଭାବେ ଜ୍ୟୋତିର୍ବିଦ ପଣ୍ତିତ ଲଳିତ ପତି, ପୁରୋହିତ ସୀତାକାନ୍ତ ହୋତା ମନ୍ଦିର ମଣ୍ତପରେ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ କରାଇଥିଲେ। ମନ୍ଦିର ପରିଚାଳନା କମିଟିର ବିଚିତ୍ରା ବେହେରା, ଲକ୍ଷ୍ମୀଧର ବାରିକ, ଗଜେନ୍ଦ୍ର ବାରିକ, ନବ ବାରିକ, ଭାଗ୍ୟଧର ପରିଡ଼ା, ଶ୍ରୀଧର ବରାଳ, ବନମାଳୀ ମଲ୍ଲିକ, ପରମାନନ୍ଦ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ପୁରୁଣା ଭୁବନେଶ୍ୱର: ଆଜି ଭୀମେଶ୍ବର ମନ୍ଦିରରେ ନିରାଡ଼ମ୍ବର ସହକାରେ ଶିବବିବାହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗିରିଜା ଶଙ୍କର ଷଡ଼ଙ୍ଗୀ ଓ ସୁଚରିତା ଷଡ଼ଙ୍ଗୀ ବର ପିତାମାତା ହୋଇଥିଲେ। ଅଶ୍ବିନୀ ପାଢ଼ୀ ଓ ରାଜଲକ୍ଷ୍ମୀ ପାଢ଼ୀ କନ୍ୟାଙ୍କ ବାପା ମା’ ହୋଇଥିଲେ। ମନ୍ଦିର ପରିଚାଳନା ସମିତିର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସଂପାଦକ ପଦ୍ମନାଭ ଷଡ଼ଙ୍ଗୀ, କେଳୁଚରଣ ପାହାଡ଼ସିଂ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର