ରାଜ୍ୟସ୍ତରୀୟ ମେହେର ଜୟନ୍ତୀ: ମାନବ ଜୀବନର ସୁଦକ୍ଷ ଚିତ୍ରକର ଥିଲେ ସ୍ବଭାବ କବି

ଭୁବନେଶ୍ୱର: ସ୍ବଭାବ କବି ଗଙ୍ଗାଧର ମେହେର ଥିଲେ ମାନବ ଜୀବନର ସୁଦକ୍ଷ ଚିତ୍ରକର। ତାଙ୍କର ଅନବଦ୍ୟ ରଚନା ‘ତପସ୍ବିନୀ’, ‘ପ୍ରଣୟ ବଲ୍ଲରୀ’, ‘କିଚକ ବଧ’ ଏବଂ ‘ଇନ୍ଦୁମତି’ ପ୍ରଭୃତିରେ କବି ସୌନ୍ଦର୍ଯ୍ୟ ଚେତନା, ଆଶୀର୍ବାଦ ଓ ସମାଜ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି। ସମଗ୍ର ଓଡ଼ିଆ ସାହିତ୍ୟରେ ପ୍ରକୃତି ପାଇଁ ଗଙ୍ଗାଧର ମେହେର ସମସ୍ତଙ୍କର ଚିରବନ୍ଦନୀୟ ହୋଇ ରହିବେ ବୋଲି ସାପ୍ତାହିକ ସମ୍ବାଦପତ୍ର ‘ଚିର ସଂଧାନ’ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ମେହେରଙ୍କ ଜୟନ୍ତୀ ସଭାରେ ବକ୍ତାମାନେ ମତପୋଷଣ କରିଛନ୍ତି। ଚିରସଂଧାନର ସମ୍ପାଦକ ପାର୍ଥସାରଥି ଅଜୟ ବାରିକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ଶାସନସଚିବ ମଧୁସୂଦନ ପାଢ଼ୀ ଉଦ୍‌ଘାଟନ କରିଥିଲେ।

ସମ୍ମାନିତ ବକ୍ତା ଭାବେ ଶୁଚିସ୍ମିତା ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରାକ୍ତନ କୁଳପତି ନରେନ୍ଦ୍ର ମିଶ୍ର ଓ ପ୍ରଫେସର୍‌ କନକ ମଞ୍ଜରୀ ମିଶ୍ରଙ୍କୁ ମିଳିତ ଭାବେ ଚଳିତବର୍ଷର ମର୍ଯ୍ୟାଦାଜନକ ଗଙ୍ଗାଧର ମେହେର ସମ୍ମାନ ପ୍ରଦାନ କରାଯାଇଥିଲା। ଯୁବ ଶିଳ୍ପଦ୍ୟୋଗୀ ସତ୍ୟବ୍ରତ ମହାନ୍ତିଙ୍କୁ ଚିରସଂଧାନ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ଓ ଅନସୂୟା ନାଥ ଉପସ୍ଥିତ ଥିଲେ। ମଞ୍ଜରି ସ୍ୱାଇଁ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସମାଜସେବୀ ଦୁଃଶାସନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ସଭା ପରିଚାଳନା କରିଥିଲେ ସହ ସଂପାଦକ ପି. ଅଭୟ କୁମାର ଓ ରମାକାନ୍ତ ସ୍ୱାଇଁ।

ସମ୍ବନ୍ଧିତ ଖବର