ରାଜଧାନୀରେ ବି ହତ୍ୟା କରିଛି ଷ୍ଟୋନମ୍ୟାନ!

ମେଘେଶ୍ବର ମନ୍ଦିର ପରିସରରେ ଭିକାରି ହତ୍ୟାକାଣ୍ଡର ଫିଟିବ ଗୁମର

ଭୁବନେଶ୍ବର : ଷ୍ଟୋନମ୍ୟାନକୁ ନେଇ ଆତଙ୍କ। କେବଳ କଟକରେ ଷ୍ଟୋନମ୍ୟାନ ୩ଟି ହତ୍ୟାକାଣ୍ଡ ଘଟାଇଛି ନା ଆଉ କେଉଁଠି କେଉଁଠି ହତ୍ୟାକାଣ୍ଡ ଘଟାଇଛି ସେ ନେଇ ତଥ୍ୟ ସଂଗ୍ରହ କରୁଛି କମିସନରେଟ ପୁଲିସ। ଭୁବନେଶ୍ବର ସ୍ପେସାଲ ସ୍କ୍ବାଡ୍‌ର ଏକ ଟିମ୍‌ କଟକ ଯାଇ ତାକୁ ଜେରା ଆରମ୍ଭ କରିଛି। ଦୁଇ ବର୍ଷ ତଳେ ବଡ଼ଗଡ଼ ଥାନା ଅଧୀନ ମେଘଶ୍ବର ମନ୍ଦିର ପରିସରରେ ଏଭଳି ସମାନ ଢ଼ଙ୍ଗରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଯେଉଁ ହତ୍ୟାକାଣ୍ଡର ଖିଅ ଏଯାଏଁ ପୁଲିସ ପାଇ ପାରିନାହିଁ। ତେଣୁ ପୁଲିସ ସନ୍ଦେହ କରୁଛି, ସେହି ଷ୍ଟୋନମ୍ୟାନ୍‌ ମେଘେଶ୍ବର ପରିସର‌ରେ ଘଟିଥିବା ହତ୍ୟାକାଣ୍ଡରେ ସଂପୃକ୍ତ ଅଛି। କଟକ‌ରେ ଷ୍ଟୋନ୍‌ମ୍ୟାନ୍‌ ଧରାପଡ଼ିବା ପରେ ବଡ଼ଗଡ଼ ଥାନା ପୁଲିସ ତାର ପୁରୁଣା ଫାଇଲ ଖେଳାଇ ଘଟଣା ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଆବଶ୍ୟକ ହେଲେ ବଡ଼ଗଡ଼ ଥାନା ପୁଲିସର ଏକ ଟିମ୍‌ କଟକ ଯାଇ ଷ୍ଟୋନମ୍ୟାନ୍‌କୁ ଜେରା କରିବାର ସମ୍ଭାବନା ରହିଛି।

ମିଳିଥିବା ସୂଚନା ମୁତାବକ, ୨୦୧୭ ଫେବ୍ରୁଆରି ୧୦ ତାରିଖ ସକାଳ। ମେଘେଶ୍ବର ମନ୍ଦିର ପରିସରରେ ଭାସୁଥିଲା ରକ୍ତ। ଜଣେ ଭିକା‌ରିଙ୍କୁ କେହି କୁରାଢ଼ିରେ ହାଣି ହତ୍ୟା କରିବା ପରେ ମୁଣ୍ଡକୁ ପଥରରେ ଛେଚି ଦେଇଥିଲା। ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମନ୍ଦିର ପରିସରରେ ହତ୍ୟା ଘଟଣାକୁ ସହରବାସୀ ସହଜରେ ହଜମ କରି ପାରିନଥିଲେ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ବିକ୍ଷୋଭ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଭିକାରିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପ୍ରଥମେ ପ୍ରଥମେ ପୁଲିସ ଭିକାରି ପରିଚୟ ପାଇ ନଥିଲା। ପରେ ଅଧିକ ଖୋଳତାଡ଼ କରିବା ପରେ ଭିକାରିର ଘର ପୁରୀ ବାସେଳି ସାହିରେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ବଡ଼ଗଡ଼ ଥାନା ପୁଲିସର ଏକ ଟିମ ପୁରୀ ଯାଇ ବାସେଳି ସାହିରେ ପଚରାଉଚରା କରିଥିଲା। କିନ୍ତୁ ସଂପୃକ୍ତ ଭିକାରିଙ୍କ ଫଟୋକୁ କେହି ଚିହ୍ନଟ କରି ପାରିନଥିଲେ। ଏ ନେଇ ବଡ଼ଗଡ଼ ଥାନା ପୁଲିସ କେସ ନମ୍ବର ୪୨/୧୭ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଭିକାରିଙ୍କୁ ଚିହ୍ନଟ କରିବାକୁ ପୁଲିସ ରାଜ୍ୟର ସମସ୍ତ ଥାନାକୁ ଚିଠି ଲେଖିଥିଲା। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ହତ୍ୟାକାରୀର କୌଣସି ସିସିଟିଭି ଫୁଟେଜ୍‌ ମଧ୍ୟ ନଥିଲା।

‌ତେବେ ପୁଲିସ ଏହି ଘଟଣା ଉପରୁ ଏଯାଏଁ ପରଦା ଉଠାଇ ପାରିନାହିଁ। ପୁଲିସ ଏକପ୍ରକାର ଫାଇଲ ବନ୍ଦ କରିଦେବାକୁ ବସିଥିଲା। ଗତକାଲି ଷ୍ଟୋନମ୍ୟାନ୍‌ ଗିରଫ ହେବା ପରେ ବଡ଼ଗଡ଼ ଥାନା ପୁଲିସ ଆଶା ବାନ୍ଧିଛି ଏହି ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିବ ବୋଲି। କିନ୍ତୁ ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଆମେ ଏବେ ସେହି ଷ୍ଟୋନମ୍ୟାନ୍‌କୁ ଜେରା କରୁଛୁ। ସେ କେବେଠାରୁ ଗାଁରୁ ଆସିଥିଲା, କେଉଁଠି କେଉଁଠି ରହିଥିଲା, ସେ ସମ୍ପର୍କରେ ପଚରାଉଚରା କରାଯାଉଛି। ମେଘେଶ୍ବର ମନ୍ଦିର ହତ୍ୟାକାଣ୍ଡ ବେଳକୁ ସେ କେଉଁଠି ଥିଲା, କ’ଣ କରୁଥିଲା, ସେନେଇ ମଧ୍ୟ ପଚରାଉଚରା କରାଯିବ। କିନ୍ତୁ ଯାହା ଜଣାପଡ଼ୁଛି, ମେଘେଶ୍ବର ମନ୍ଦିର ହତ୍ୟାକାଣ୍ଡରେ ସେ ସଂପୃକ୍ତ ନାହିଁ। କିନ୍ତୁ ଆମେ ଏ ଦିଗରେ ଅନୁସନ୍ଧାନ ଜାରି ରଖିଛୁ।

ସମ୍ବନ୍ଧିତ ଖବର