କାହା ଚାପରେ ବନ୍ଦ ହେଲା ପଥର ଖାଦାନ ଲୁଟ୍ ତଦନ୍ତ? ଇନ୍ସପେକ୍ଟର ବିକ୍ରମ ଜେନାଙ୍କୁ ଏତେ ଅନୁକମ୍ପା କାହିଁକି?

ନିଲମ୍ବନକୁ ବିତିଲାଣି ୧୫ ମାସ, ତଥାପି ଚୁପ୍ ବିଭାଗ
ଏବେ ବି ଖୋର୍ଦ୍ଧାର ମାଫିଆ ସକ୍ରିୟ, ଚାଲିଛି ବେଧଡ଼କ ଲୁଟ୍‌
ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ଭୂମିକା

ଭୁବନେଶ୍ବର : ବର୍ଷବର୍ଷ ଧରି ଖୋର୍ଦ୍ଧାରେ ଚାଲିଥିବା ପଥର ଖାଦାନ ଚୋରା ଚାଲାଣ ଉପରେ ପ୍ରାୟ ଦେଢ଼ ବର୍ଷ ତଳେ ଅର୍ଥାତ୍ ୨୦୧୯ ମଧ୍ୟଭାଗରେ ହଠାତ୍ ଚଢ଼ଉ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ପଥର ମାଫିଆଙ୍କୁ ଗିରଫ କରିବା ସହ ଚୋରା ଚାଲାଣରେ ବ୍ୟବହୃତ ଗାଡ଼ି, ଜେସିବି ମେସିନକୁ ମଧ୍ୟ ଜବତ କଲା। ପଥର ମାଫିଆଙ୍କ ସହ ଲିଙ୍କ୍‌ରେ ଥିବା ଅଭିଯୋଗରେ ସ୍କାନରକୁ ଆସିଲେ ଖୋର୍ଦ୍ଧା ତହସିଲଦାର ଓ ସଦର ଥାନା ଆଇଆଇସି। ଏସଟିଏଫ୍ ଉଭୟଙ୍କୁ ନୋଟିସ୍ କରିବା ସହ ଜେରା ମଧ୍ୟ କଲା। ଖାଲି ସରକାରୀ ଅଧିକାରୀ ନୁହେଁ; ରାଜନେତାଙ୍କ ହାତ ରହିଥିବା ମଧ୍ୟ ଅଭିଯୋଗ ଆସିଥିଲା। ଏସ୍‌ଟିଏଫ୍‌ ଆରମ୍ଭରୁ ଯେଭଳି କଡ଼ା ଆଭିମୁଖ୍ୟ ନେଇଥିଲା ସେଥିରୁ ଜଣାପଡୁଥିଲା; ମାଫିଆ-ସରକାରୀ ଅଧିକାରୀ-ରାଜନେତାଙ୍କ ଭିତରେ ଯେଉଁ ମଧୁଚନ୍ଦ୍ରିକା ରହିଛି ତାହାର ପର୍ଦ୍ଦାଫାସ୍ ହେବ। ସାଧାରଣରେ ଏ ନେଇ ବିଶ୍ବାସ ମଧ୍ୟ ସୃଷ୍ଟି ହେଲା।

୨୦୧୯ ନଭେମ୍ବରରେ ଇନ୍ସପେକ୍ଟର ବିକ୍ରମ ଜେନାଙ୍କୁ ଚାକିରିରୁ ମଧ୍ୟ ନିଲମ୍ବନ କଲେ ତତ୍କାଳୀନ ପୁଲିସ ଡିଜି ବି. କେ ଶର୍ମା। କିନ୍ତୁ ଏସଟିଏଫ୍ ତଦନ୍ତ ଆଉ ଆଗେଇ ପାରି ନାହିଁ। ୧୫ ମାସ ହେଲା ନିଲମ୍ବନରେ ସୀମିତ ହୋଇ ରହିଛି କାର୍ଯ୍ୟାନୁଷ୍ଠାନ। ତେଣେ ପୁଣି ଦିନରାତି ଏକ କରି ବେଧଡ଼କ ଲୁଟ୍ ଆରମ୍ଭ କରି ଦେଇଛନ୍ତି ପଥର ମାଫିଆ। ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏହି ଚଢ଼ଉ କରା ଯାଇଥିଲା? କିଛିମାସ ବ୍ୟବଧାନ ପରେ କୌଣସି ନିଷ୍କର୍ସରେ ନ ପହଞ୍ଚି କାହିଁକି ତଦନ୍ତକୁ ଅଧା ବାଟରେ ବନ୍ଦ କରି ଦିଆଯାଇଥିଲା? ଖାଦାନରେ କାମ କରୁଥିବା କେତେକ ଗାଡ଼ିର ଡ୍ରାଇଭର, କର୍ମଚାରୀ ଓ ଛୋଟ ମାଫିଆଙ୍କ ଗିରଫ କରିବା ପରିବର୍ତ୍ତେ କାହିଁକି ଆଉ ଆଗକୁ ବଢ଼ି ପାରି ନ ଥିଲା ଏସ୍‌ଟିଏଫ୍‌? ଚଢ଼ଉର ନେତୃତ୍ବ ନେଉଥିବା ଇନ୍ସପେକ୍ଟର ଆଲୋକ ଜେନାଙ୍କୁ କାହିଁକି ବଦଳି କରି ଦିଆଗଲା? ଏଥିପାଇଁ କିଏ ଚାପ ପକାଇଥିଲା କି? ଏଭଳି ଏକାଧିକ ପ୍ରଶ୍ନ ଏବେ ଏସଟିଏଫ୍‌ର ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇନ୍ସପେକ୍ଟର ବିକ୍ରମ ଜେନା ଶାସକଦଳର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ସମ୍ପର୍କୀୟ। ଏହି ଘଟଣାରେ ସମ୍ପୃକ୍ତ ରାଜନେତାଙ୍କ ପକ୍ଷରୁ ଚାପ ପକାଯିବା ପରେ ତଦନ୍ତ ଅଧାବାଟରେ ଅଟକି ଯାଇଥିବା କୁହାଯାଉଛି। ଦୀର୍ଘ ୧୫ ମାସ ହେଲା ଇନ୍ସପେକ୍ଟର ବିକ୍ରମ ଜେନାଙ୍କୁ ନିଲମ୍ବନ କରାଯାଇ ପୁଲିସ ମୁଖ୍ୟାଳୟ ସହ ଆଟାଚ୍ କରାଯାଇଛି। ସେତିକିରେ ଅଟକି ଯାଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ଏ ସମ୍ପର୍କରେ ଏସଟିଏଫ୍ ଓ ପୁଲିସ ମୁଖ୍ୟାଳୟ ସହ ଯୋଗାଯୋଗ କରା ଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଅନ୍ୟପକ୍ଷରେ ମାଫିଆ ଏବେ ଆହୁରି ସକ୍ରିୟ ହୋଇ ଉଠିଛନ୍ତି। ଜଙ୍ଗଲ ଜମିରେ ନିଜର ପତିଆରା ଜାହିର କରି ଦିନରାତି ଲୁଟି ଚାଲିଛନ୍ତି। ମଝିରେ ମଝିରେ ପ୍ରଶାସନ କେତେକ ଗାଡ଼ି ଧରୁଥିଲେ ମଧ୍ୟ ବେଆଇନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇପାରୁ ନାହିଁ। ଚୋରା ଚାଲାଣ ନେଇ ଗଦା ଗଦା ଅଭିଯୋଗ ପହଞ୍ଚୁ ଥିଲେ ବି ପୁଲିସ ପ୍ରଶାସନ ଚୁପ୍ ହୋଇ ରହୁଛନ୍ତି। କେବେ ଏହି ବେଆଇନ ପଥର ଖାଦାନ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର