ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ବର : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କୁ ବହିଷ୍କାର ଓ କଂଗ୍ରେସ କର୍ମୀଙ୍କ ବିରୋଧରେ ଲାଗିଥିବା ୩୦୭ ଦଫା ହଟାଇବା ବିରୋଧରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ। ଅପରାହ୍‌ଣରେ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଧସେଇ ପଶିବା ସହ କଳା ପତାକା ପ୍ରଦର୍ଶନ କରିବା ଲାଗି ଉଦ୍ୟମ କରିଛନ୍ତି। ମାତ୍ର ପୁଲିସ ବିକ୍ଷୋଭକାରୀଙ୍କୁ ପୂର୍ବରୁ ଗିରଫ କରିନେଇଥିଲା।

ଅପରାହଣ ପ୍ରାୟ ସାଢ଼େ ୫ଟା ସମୟରେ କିଛି କଂଗ୍ରେସ କର୍ମୀ କେଶରୀ ଟକିଜ୍ ନିକଟରେ ଏକାଠି ହୋଇଥିଲେ। ମୁଖ୍ୟମନ୍ତ୍ରୀ ସଚିବାଳୟ ମାର୍ଗ ଦେଇ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଆସିବା ପୂର୍ବରୁ କିଛି କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କରି ନେଇଥିଲା। ମାତ୍ର କିଛି କଂଗ୍ରେସ କର୍ମୀ ସେଠାରୁ ଖସି ଯାଇ କ୍ୟାପିଟାଲ ହସ୍ପିଟାଲରେ ଛକିଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ କ୍ୟାପିଟାଲ ହସ୍ପିଟାଲରେ ଲୁଚିଥିବା ଏହି କଂଗ୍ରେସ କର୍ମୀ ତାଙ୍କ କାରକେଡ୍ ସମ୍ମୁଖକୁ ଯିବା ପାଇଁ ଉଦ୍ୟମ କରିଥିଲେ। ହେଲେ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା। ଅଣ୍ଡାମାଡ଼ ଓ କଳା ପତାକା ପ୍ରଦର୍ଶନ କରିବା ଲାଗି କଂଗ୍ରେସ କର୍ମୀଙ୍କ ଯୋଜନାକୁ ବିଫଳ କରିଦିଆଯାଇଥିଲା।

ଛାତ୍ର କଂଗ୍ରେସ ସଭାପତି ୟାସର ନୱାଜ କହିଛନ୍ତି, ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସଂପୃକ୍ତିର ଅଭିଯୋଗ ଆସିଛି। କିନ୍ତୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ। ରାଜ୍ୟର ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ର କଂଗ୍ରେସ ଆନ୍ଦୋଳନ କରିଥିଲା। ମାତ୍ର ପୁଲିସ ଛାତ୍ର କଂଗ୍ରେସ କର୍ମୀଙ୍କ ନାଁରେ ଆକ୍ରୋଶମୂଳକ ଭାବେ ୩୦୭ ଦଫା ଲଗାଇଛି। ଏହାକୁ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଚୁପ୍ ବସିବ ନାହିଁ।

ମୁଖ୍ୟମନ୍ତ୍ରୀ ନୁହେଁ, ରାଜ୍ୟପାଳଙ୍କ କାରକେଡ୍‌
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳା ପତାକା ପ୍ରଦର୍ଶନ କରିବା ଲାଗି ଛାତ୍ର କଂଗ୍ରେସ କର୍ମୀ ସୋମବାର ଦିନ କେଶରୀ ଟକିଜ୍ ନିକଟରେ ଛକିଥିଲେ। ଏହି ସମୟରେ ରାଜ୍ୟପାଳଙ୍କ କାରକେଡ୍ ସେହି ବାଟ ଦେଇଥିଲା। ଛାତ୍ର କଂଗ୍ରେସ କର୍ମୀ ଭ୍ରମରେ ପଡ଼ି ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଭାବି ରାସ୍ତାକୁ ଆସିବା ଲାଗି ଉଦ୍ୟମ କରିଥିଲେ। ହେଲେ ପୁଲିସ ଆଗୁଆ ସୂଚନା ପାଇ ସେମାନଙ୍କ ନିକଟରେ ପହଞ୍ଚିବା ସହିତ ଗିରଫ କରି ନେଇଥିଲା।

ସମ୍ବନ୍ଧିତ ଖବର