ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର : ସହିଦନଗର ଥାନା ପୁଲିସ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ, ଭୋଇନଗର ବସ୍ତିର ସୁନିଲ୍‌ ନାଏକ(୨୯)। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ମୁତାବକ, ଶୁକ୍ରବାର ସକାଳୁ ସୁନିଲ କୌଣସି କାମରେ ଘର ନିକଟ ତ୍ରିନାଥ ମଣ୍ଡପକୁ ଯାଇଥିଲେ। ସେଠାରୁ କାମ ସାରି ଦିନ ସାଢ଼େ ୧୧ଟାରେ ଫେରିବା ବେଳକୁ ଅଧାବାଟରେ ହଠାତ୍‌ ତଳେ ପଡ଼ିଥିଲେ। ଆଖପାଖ ଲୋକ ତାଙ୍କୁ ଯେତେ ଡାକିଲେ ବି ସେ ଜବାବ ଦେଇନଥିଲେ। ପରିବାରଲୋକ ତାଙ୍କୁ ସଂଜ୍ଞା‌ହୀନ ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସୁନିଲ୍‌ଙ୍କ ସାନ ଭାଇ ଅନିଲ୍‌ଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର