ସହରାଞ୍ଚଳର ଆବର୍ଜନାରେ ହେଉଛି ୮୦% ପ୍ରଦୂଷଣ

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର : ଓଡ଼ିଶାରେ ପ୍ରଦୂଷଣର ମାତ୍ରା ବଢ଼ୁଛି। ବାୟୁ, ଜଳ, ଶବ୍ଦ ପ୍ରଦୂଷଣରେ ପ୍ରତିବର୍ଷ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଲକ୍ଷାଧିକ ଲୋକଙ୍କ ପ୍ରାଣହାନି ହେଉଛି। ନଦୀ ଜଳ ବିଷାକ୍ତ ହୋଇଥିବା ବେଳେ ସହରାଞ୍ଚଳରେ ଶବ୍ଦ ପ୍ରଦୂଷଣ ସୀମା ଟପିଲାଣି। ୫୦ ପ୍ରତିଶତ ଶବ୍ଦ ପ୍ରଦୂଷଣ ଗାଡ଼ିରୁ ହେଉଛି। ଏଥିସହ ସହରାଞ୍ଚଳରୁ ବାହାରୁଥିବା ଆବର୍ଜନା ଯୋଗୁଁ ୮୦% ପ୍ରଦୂଷଣ ହେଉଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୦ ପ୍ରତିଶତ ଦାୟୀ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀ କହିଛନ୍ତି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ଆଜି ହୋଟେଲ ନ୍ୟୁ ମାରିଅନ୍‌ଠାରେ ଅନୁଷ୍ଠିତ ‘ସ୍ୱଚ୍ଛ, ସବୁଜ ଓ ପ୍ରଦୂଷଣମୁକ୍ତ ଓଡ଼ିଶା ପାଇଁ ଯୁବପିଢ଼ିର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀ ପାଣିଗ୍ରାହୀ ଏହା କହିଛନ୍ତି। ପ୍ରେରଣା ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉଦ୍ୟାନକୃଷି ବିଭାଗର ଅବସରପ୍ରାପ୍ତ ନିର୍ଦେଶକ ସୂର୍ଯ୍ୟ ନାରାୟଣ ବେହେରା, ବିଏମ୍‌ସି କର୍ପୋରେଟର ନବ କିଶୋର ବେହେରା, ଯୁକ୍ତ୨ ଏନ୍‌ଏସ୍‌ଏସ୍‌ ସଂଯୋଜକ ଦୀପକ ବେହେରା, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ସଂଯୋଜକ ପ୍ରଦୀପ କୁମାର ଦଳାଇ, ବିଜେବିି କଲେଜର ରାଜେନ୍ଦ୍ର ପରିଛା, ପ୍ରଫେସର ଅଚ୍ୟୁତ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଦିଗରେ ଯୁବଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ପୁସ୍ତକ ‘ଆସ ବିଦ୍ୟାଳୟରୁ ବିଶ୍ୱତାପନ ରୋକିବା’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର