ସ୍ୱୟଂସିଦ୍ଧା ମୋନାଲିସା

ଭୁକ୍ତଭୋଗୀ ହିଁ ଜାଣେ ଭୋଗିବାର ବ୍ୟଥା। ମୋନାଲିସା ପରିଜା ହେଉଛନ୍ତି ସେଇଭଳି ଜଣେ ଭୁକ୍ତଭୋଗୀ, ଯିଏ ନିଜେ ଗର୍ଭାଶୟ କର୍କଟ ଭଳି ଜଟିଳ ରୋଗକୁ ଦୃଢ଼ତାର ସହ ଲଢ଼ି ଚାଲିଛନ୍ତି। ହେଲେ ମନ ମାରି ଘରେ ବସିନାହାନ୍ତି, ବରଂ ଗରିବ କର୍କଟ ପୀଡ଼ିତ ପିଲାମାନଙ୍କ ପାଇଁ ପାଲଟିଛନ୍ତି ସାହାରା। ଆଜି ନୁହେଁ, ବରଂ ଲମ୍ବା ସମୟ ଧରି ଏଭଳି ଦୂରାରୋଗରେ ପୀଡ଼ିତ ହୋଇ କର୍କଟର କଷ୍ଟ କ’ଣ ବୁଝିଛନ୍ତି। ଜୀବନ ଯୁଦ୍ଧରେ ଭାଙ୍ଗି ନପଡ଼ି ରାଜସ୍ଥାନ ହସ୍ତକଳା ସାମଗ୍ରୀକୁ ନେଇ ଅନ୍‌ଲାଇନ୍‌ ‌େଷ୍ଟାର ‘ରେନାସାଁ’ ଖୋଲିଛନ୍ତି। ଏଥିରୁ ଯାହା ଆୟ କରୁଛନ୍ତି ୨୦% ଗରିବ କର୍କଟ ପୀଡ଼ିତ ପିଲାଙ୍କ ପାଇଁ ଖର୍ଚ କରୁଛନ୍ତି। ସେ କୁହନ୍ତି, ‘ରେନାସାଁ’ ମୋ ମୋ ଜୀବନରେ ରେନାସାଁ ଆଣିଛି। ଏବେ ବି ସେ ବୋନ୍‌ ମେଟାଷ୍ଟାସିସ୍‌ ଭଳି କର୍କଟର ଶେଷ ପର୍ଯ୍ୟାୟରେ ରହି ଚିକିତ୍ସିତ ହେଉଛନ୍ତି। ମାତ୍ର ସେବା ଛାଡ଼ିପାରିନାହାନ୍ତି।

୪୧ ବର୍ଷିୟା ମୋନାଲିସାଙ୍କ ଘର ଭୁବନେଶ୍ବର ନୀଳାଦ୍ରିବିହାରରେ। ହେ‌େଲ ବର୍ତ୍ତମାନ ରହୁଛନ୍ତି ରାଜସ୍ଥାନର ଜୟପୁରରେ। ୨୦୧୫ ମସିହାରେ ହଠାତ୍‌ ବିରଳ ଗର୍ଭାଶୟ କର୍କଟରେ ପୀଡ଼ିତ ଥିବା ଜଣା ପଡ଼ିଲା। ସେତେବେଳେ ସେ ଯୁନିସେଫ୍‌ରେ କାର୍ଯ୍ୟରତ ଥିଲେ। କର୍କଟ ଯୋଗୁଁ ତାଙ୍କୁ ଚାକିରି ଛାଡ଼ି ଚିକିତ୍ସା କରିବାକୁ ପଡ଼ିଲା। ପ୍ର‌ାୟ ଦେଢ଼ ବର୍ଷ କାଳ ଚିକିତ୍ସା ଚାଲିଲା। ଏହି ଭିତରେ ଯେବେ ସେ ଚିକିତ୍ସା ପାଇଁ ବାରମ୍ବାର ରାଜୀବ ଗାନ୍ଧୀ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଯାଆନ୍ତି କୁନିକୁନି ଛୁଆଙ୍କ ଯନ୍ତ୍ରଣା ଜର୍ଜରିତ ଚେହେରା ଦେଖି ନିଜେ ଯନ୍ତ୍ରଣା ପାଆନ୍ତି। କାହା ମୁଣ୍ଡରେ ଚୁଟି ନାହିଁ ତ’ କାହାର ହାତ ଓ ଗୋଡ଼। କେମୋ କିମ୍ବା ରେଡିଓ ଥେରାପି ଏତେ କଷ୍ଟ ଥିଲା ଯେ, କୁନି ଛୁଆମାନେ ଏହି ଥେରାପି ନେବାବେଳେ ଯେ କଷ୍ଟ ହେଉଥିବ ସେ ସେଇକଥା ଭାବି ଘାରି ହେଉଥିଲେ। ସେବେଠୁ ସେମାନଙ୍କ ପାଇଁ କିଛି କରିବାର ପ୍ରତିଜ୍ଞା ନେଲେ। ଦେଢ଼ ବର୍ଷ ବିତିଗଲା। ଡାକ୍ତର ତାଙ୍କୁ କର୍କଟମୁକ୍ତ ବୋଲି ଘୋଷଣା କରିଥିଲେ। ଏହାପରେ ସେ ଫେରି ଆରମ୍ଭ କରିଥିଲେ ଅନ୍‌ଲାଇନ୍ ୱେବ୍‌ସାଇଟ୍‌ ‘ରେନାସାଁ’। ଏଥିରେ ହସ୍ତକଳା ପୋଷାକ, ବେଡ୍‌ କଭର୍‌ ଓ ଘରସଜ୍ଜା ସାମଗ୍ରୀ ସବୁ ବିକ୍ରି କରିଥିଲେ। ଏକ ଫେସ୍‌ବୁକ୍‌ ପେଜ୍‌ ଖୋଲି ବ୍ୟବସାୟକୁ ବଢ଼ାଇଥିଲେ। ବ୍ୟବସାୟ ବି ଭଲ ଚାଲିବ‌ା ସହ ଦେଶ ବାହାରୁ ଅର୍ଡର ଆସିଲା। କିନ୍ତୁ କପାଳ ଲିଖନ କିଛି ଅଲଗା ଥିଲା। ଚଳିତ ବର୍ଷ ଆରମ୍ଭରୁ ଗାଧୁଆ ଘରେ ଗୋଡ଼ ଖସି ସେ ପଡ଼ିଯିବାରୁ ତାଙ୍କ ମେରୁହାଡ଼ ଭାଙ୍ଗି ଯାଇଥିଲା। ଏହା ଠିକ୍‌ ହେବାର ନାଁ ଧରୁନଥାଏ ଡାକ୍ତର କହିଲେ, ତାଙ୍କୁ କର୍କଟ ରୋଗ ପୁଣି ଫେରିଛି। ଏହି ସମୟ ମୋନାଲିସାଙ୍କ ପାଇଁ ବହୁ କଷ୍ଟକର ଥିଲା। ୪ ମାସର ବିଶ୍ରାମ ଯୋଗୁଁ ତାଙ୍କୁ ତାଙ୍କ ସପିଂ ୱେବ୍‌ସାଇଟ୍‌ ବନ୍ଦ କରିବାକୁ ପଡ଼ିଲା। ପରେ ଦିଲ୍ଲୀ ଏମ୍‌ସ୍‌ରେ ଚିକିତ୍ସିତ ହେଉଥିବା ସମୟରେ ଜଣେ ଗରିବ ପିଲା ଟଙ୍କା ଅଭାବରୁ ରକ୍ତ କର୍କଟ ଭଳି ରୋଗ ସହ ସଂଗ୍ରାମ କରି ପ୍ରାଣ ହରାଇବା ଘଟଣା ତାଙ୍କୁ ମର୍ମାହତ କରିଥିଲା। ତେଣୁ ବେଡ୍‌ରେ ୱେବସାଇଟ୍‌ ଦ୍ବାରା ମାର୍କେଟିଂ ସମ୍ଭବ ନଥିବାରୁ ଫେସ୍‌ବୁକ୍‌ ପୃଷ୍ଠାକୁ ମାଧ୍ୟମ କରି ପୁଣି ବ୍ୟବସାୟ ଜାରି ରଖିଲେ। ମୋନାଲିସା କୁହନ୍ତି, ‘ରେନାସାଁ ଷ୍ଟୋର’ର ଆରମ୍ଭ ଗରିବ ପିଲାଙ୍କୁ ସାହାଯ୍ୟ କରିବା ପାଇଁ। ଏଣୁ ଏହା ନିହାତି ଆଗକୁ ଭଲ ବ୍ୟବସାୟ କରିବା ସହ ମୁଁ ଯୁଝୁଥିବା ଶେଷ ପର୍ଯ୍ୟାୟ କର୍କଟ ରୋଗରୁ ମଧ୍ୟ ମୁଁ ମୁକ୍ତି ପାଇବି। କାରଣ ଆଗକୁ ମତେ ଗରିବ ପିଲା ଓ ସମାଜ ପାଇଁ କିଛି କରିବାର ଅଛି। ଏବେ ବି ପ୍ରତି ୩ ମାସକୁ ଥରେ ସେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସ୍‌ ଯାଆନ୍ତି। ପୁଣି ରାଜସ୍ଥାନର ଜୟପୁରସ୍ଥିତ ‘ଭଗବାନ ମହାବୀର କ୍ୟାନ୍‌ସର୍‌ ହସ୍‌ପିଟାଲ୍‌’କୁ ଯାଇ କର୍କଟ ପୀଡ଼ିତଙ୍କ ପାଇଁ ଆୟର ୨୦% ଅନୁଦାନ ଦେଇ ଆସନ୍ତି।
ରିପୋର୍ଟ: ସସ୍ମିତା ସାହୁ

ସମ୍ବନ୍ଧିତ ଖବର