ପ୍ରତ୍ୟେକ ସ୍କୁଲକୁ ତମାଖୁମୁକ୍ତ ଅଞ୍ଚଳ ଘୋଷଣା କର

ଶିଶୁ ମଙ୍ଗଳ କମିଟିଙ୍କ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ସମେତ ଭୁବନେଶ୍ୱରରେ ଥିବା ସ୍କୁଲଗୁଡ଼ିକୁ ତମାଖୁମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଖୋର୍ଧା ଜିଲ୍ଲା ଶିଶୁ ମଙ୍ଗଳ କମିଟି। ଏ ନେଇ କ’ଣ ପଦକ୍ଷେପ ନିଆଯାଇଛି, ଆସନ୍ତା ୧ ମାସ ପରେ ଜଣାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ, ନିଶାମୁକ୍ତି ଯୁବ ସଂକଳ୍ପର କର୍ମକର୍ତା ଏମ୍‌ଡି. ଇମ୍ରାନ୍‌ଅଲ୍ଲୀ ଖୋର୍ଧା ଜିଲ୍ଲାରେ ଥିବା ସ୍କୁଲଗୁଡ଼ିକ ତମାଖୁମୁକ୍ତ ଅଞ୍ଚଳରେ ନ ଥିବା ଦର୍ଶାଇ ଶିଶୁ ମଙ୍ଗଳ କମିଟିଙ୍କ ନିକଟରେ ଏକ ପିଟିସନ୍‌ ଦାୟର କରିଥିଲେ। ଏହି ପିଟିସନ୍‌ରେ ଅଲ୍ଲୀ ଦର୍ଶାଇଥିଲେ ଯେ ବିଶ୍ୱ ବୟସ୍କ ତମାଖୁ ସର୍ବେକ୍ଷଣ ଅନୁଯାୟୀ, ଦେଶର ୧୦-୧୪ ବର୍ଷର ୬ଲକ୍ଷ ଶିଶୁ ତମାଖୁ ସେବନ କରୁଛନ୍ତି। ରାଜ୍ୟରେ ପ୍ରତିବର୍ଷ ୫୦ ହଜାର କର୍କଟ ରୋଗୀ ଚିହ୍ନଟ ହେଉଥିବା ବେଳେ ତହିଁରେ ୫୦ ପ୍ରତିଶତ ତମାଖୁ ସେବନ ଯୋଗୁଁ ଏହାର ଶିକାର ହେଉଛନ୍ତି। ପିଟିସନ୍‌ ଆଧାରରେ କମିଟି ଏହାର ଶୁଣାଣି କରିବା ସହ ଭୁବନେଶ୍ୱର ସମେତ ଖୋର୍ଧା ଜିଲ୍ଲାରେ ଥିବା ସ୍କୁଲଗୁଡ଼ିକୁ ତମାଖୁମୁକ୍ତ ଘୋଷଣା କରିବା ପାଇଁ ଚିଠି ଲେଖିଛନ୍ତି। କୋଟପା ଆଇନରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ୧୦୦ ୟାର୍ଡ ମଧ୍ୟରେ କୌଣସି ତମାଖୁ କିମ୍ବା ତମାଖୁ ଜାତୀୟ ପଦାର୍ଥର ବିକ୍ରି ନିଷେଧ ରହିଛି। ମାତ୍ର ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନାହିଁ। ତେଣୁ ସରକାରୀ ଓ ବେସରକାରୀ ସ୍କୁଲର କାନ୍ଥରେ ‘ତମାଖୁମୁକ୍ତ ଅଞ୍ଚଳ’ ବୋଲି ଉଲ୍ଲେଖ କରିବା ସହ ସ୍କୁଲର ୧୦୦ ୟାର୍ଡ ମଧ୍ୟରେ ଯେପରି କୌଣସି ତମାଖୁ ବିକ୍ରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସ୍କୁଲ ଅଧ୍ୟକ୍ଷଙ୍କୁ କମିଟି ନିର୍ଦେଶ ଦେଇଛି। ଏପରିକି ଆବଶ୍ୟକ ପଡ଼ିଲେ ପୁଲିସରେ ଅଭିଯୋଗ କରିବାକୁ ମଧ୍ୟ କୁହାଯାଇଛି। ସେହିପରି ସ୍କୁଲ-ଅଭିଭାବକ ବୈଠକରେ ପିଲାମାନଙ୍କୁ ତମାଖୁ ସଂପର୍କରେ ସଚେତନ କରିବାକୁ କମିଟି ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର