ଗହୀର ପରେ ଗାଁ ଉପରେ ନଜର, ଘରୁ ଧାନ ବସ୍ତା ଉଠାଇନେଲା ଦନ୍ତା ରାମୁ

ମେଣ୍ଢାଶାଳ: ଗହୀରରୁ ଧାନ କଟା ସରିବା ପରେ ଏବେ ଦନ୍ତା ହାତୀ ରାମୁର ନଜର ପଡ଼ିଛି ଗାଁ ଉପରେ। ଗାଁ ଭିତରେ ପଶି ସେ ଲୋକଙ୍କ ଘରୁ ଧାନ ବସ୍ତା ଉଠାଇ ନେଉଛି। ଜୋର୍‌ କରି କବାଟ ଭାଙ୍ଗି ଘରେ ପଶୁଛି ଓ ପେଟ ଭରି ଧାନ ଖାଇବା ପରେ ପୁଣି ଶୁଣ୍ଢରେ କିଛି ବସ୍ତା ଧରି ଜଙ୍ଗଲକୁ ଫେରି ଯାଉଛି। ଗତ ଚାରି ଦିନ ହେଲା ରାଜଧାନୀ ଉପକଣ୍ଠରେ ଦନ୍ତା ହାତୀ ରାମୁର ଏଭଳି କାଣ୍ଡ ଲୋକଙ୍କୁ ଭୟଭୀତ କରି ରଖିଛି। ଗତକାଲି ମଳିପଡ଼ା ଗାଁରେ ତ୍ରିନାଥ ସାମନ୍ତରାୟଙ୍କ ଘରର କବାଟ ଭାଙ୍ଗି ଧାନ ଖାଇବା ସହ ବସ୍ତା ଟେକି ନେଇ ରାମୁ ଜଙ୍ଗଲକୁ ପଳାଇଛି।

ଚନ୍ଦକା ଥାନା ମଳିପଡ଼ା ଗ୍ରାମବାସୀଙ୍କ କହିବା ଅନୁସାରେ, ଦୁଇ ଦିନ ହେଲା ରାମୁ ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଗତ ରାତିରେ ସେ ଗ‌ାଁ ଭିତରକୁ ପଶିଥିଲା। ଲୋକେ ଲାଇଟ୍‌ ପକାଇ ତାକୁ ଘଉଡ଼ାଇଥିଲେ ମଧ୍ୟ ସେ କିଛି ଶୁଣିନଥିଲା। ତ୍ରିନାଥଙ୍କ ଘରର କବାଟ ଭାଙ୍ଗି ଧାନ ରଖା ଯାଇଥିବା ଘରେ ପଶିଥିଲା। ହାତୀ ପଶିବା ଦେଖି ତ୍ରିନାଥଙ୍କ ପରିବାର ଲୋକେ ଘର ଛାଡ଼ି ପଡ଼ୋଶୀଙ୍କ ଘରକୁ ପଳାଇଥିଲେ। ଲୋକେ ପାଟି କରୁଥିବା ସତ୍ତ୍ବେ ରାମୁ ମାତ୍ର କେଇ ମିନିଟ୍‌ରେ ପ୍ରାୟ ଅଧ ବସ୍ତା ଧାନ ଖାଇ ଦେଇଥିଲା। ଏହା ପରେ ସେ ଅନ୍ୟ ଏକ ଧାନବସ୍ତାକୁ ଶୁଣ୍ଢରେ ଧରି ଗାଁ ଦାଣ୍ଡ ଦେଇ ଜଙ୍ଗଲ ଆଡ଼କୁ ଚାଲିଥିଲା। ଏହା ପୂର୍ବରୁ ରାମୁ ଗାଁର କିଛି ଲୋକଙ୍କ ବାଡ଼ିରେ ପଶି ବ୍ୟାପକ ପନିପରିବା ଦଳିଚକଟି ପକାଇଥିଲା।

ସୂଚନାଯୋଗ୍ୟ, ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ସ୍ଥା‌ୟୀଭାବେ ରହୁଥିବା ଦନ୍ତା ହାତୀ ରାମୁ ଗତ ୨ ମାସ ପୂର୍ବେ ଚନ୍ଦକା ବନଖଣ୍ଡ ଛାଡ଼ି ଖୋର୍ଦ୍ଧା ଡିଭିଜନ ରତନପୁର ଜଙ୍ଗଲକୁ ଚାଲି ଯାଇଥିଲା। ଧାନ କଟା ସମୟରେ ରାମୁ ଏହି ଅଞ୍ଚଳ ଛାଡ଼ି ଦେଇଥିବାରୁ ଚାଷୀମାନେ ନିରାପଦରେ ଧାନ ଅମଳ କରି ସାରିଥିଲେ। ଏମିତିକି ଆଜିକାଲି ମେସିନ୍‌ରେ ଧାନ ଝଡ଼ା ହେଉଥିବାରୁ ଆଉ କାଁ ଭାଁ କିଛି ଲୋକଙ୍କ ବାଡ଼ି‌ରେ ଧାନ ଗଦା ରହିଛି। ନଚେତ ପ୍ରାୟ ଚାଷୀ ଧାନ ଅମଳ କରି ଘରେ ସାଇତି ସାରିଛନ୍ତି। ତେଣୁ ଏବେ ରାମୁ ଗହୀରରେ ଧାନ ନ ପାଇ ଗାଁ ମୁହାଁ ହୋଇଛି। ଗାଁରେ ଚାଷୀଙ୍କ ବାଡ଼ିରେ ଧାନ ନ ପାଇଲେ ଘରୁ ଲୁଟିବା ଯୋଜନା କରିଛି। ତେବେ ବଡ଼ କତା ହେଉଛି, ବିଶାଳ ଦନ୍ତା ରାମୁ ଦୁର୍ଦ୍ଦାନ୍ତ ହୋଇଥିଲେ ବି ମଣିଷର ଜୀବନହାନି କରିବା ଭଳି ଉଦାହରଣ ସୃଷ୍ଟି କରିନାହିଁ। ତେଣୁ ରାମୁକୁ ନେଇ ସ୍ଥାନୀୟ ଲୋକେ ଅଧିକ ଭୟଭୀତ ନୁହଁନ୍ତି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର