୭ ବାଛୁରି ବୋଝେଇ ଟାଟା ଏସ୍‌ ଜବତ

ବାଲିପାଟଣା: ସ୍ଥାନୀୟ ଅଞ୍ଚଳରେ ଗୋ-ସମ୍ପଦ ଚୋରି ବଢ଼ି ଚାଲିଥିବା ବେଳେ ବାରମ୍ବାର ଗୋମାଂସ ଜବତ ହେଉଛି। ତେଣୁ ଗୋ-ସମ୍ପଦ ଚୋରିରେ ଗୋମାଂସ ଚାଲାଣକାରୀମାନଙ୍କ ସିଧାସଳଖ ସମ୍ପୃକ୍ତି ରହୁଛି। ଅଥଚ ପୁଲିସ ପ୍ରଶାସନ ଏହି ବେଆଇନ କାମକୁ ରୋକିବା ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନାହିଁ। ବରଂ ସ୍ଥାନୀୟ ବଜରଙ୍ଗ କର୍ମୀମାନେ ଏହି ବେଆଇନ କାରବାରକୁ ‌ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ତିନି ଦିନ ପୂର୍ବେ ୭ କ୍ବିଣ୍ଟାଲ୍‌ ଗୋମାଂସ ଜବତ କରିଥିବା ବେଳେ ଆଜି କୋଳଥପିଠା ଛକରେ ବଜରଙ୍ଗ ଦଳ କର୍ମୀମାନେ ୭ଟି ବାଛୁରି ‌ବୋଝେଇ ଗାଡ଼ିକୁ ଅଟକାଇ ପୁଲିସ ଜିମା ଦେଇଛନ୍ତି।

ସୂଚନାନୁସାରେ ଆଜି ଅପରାହ୍‌ଣରେ ଏକ ଟାଟା ଏସ୍‌ (ଓଡି ୦୩ -ଇ-୩୮୧୨)ରେ ବାଛୁରି ବୋଝେଇ ହୋଇ ଆସୁଥିବା ବେଳେ ସ୍ଥାନୀୟ ବଜରଙ୍ଗ ଦଳ କର୍ମୀମାନେ କୋଳଥପିଠା ଛକରେ ଅଟକାଇଥିଲେ। ବଜରଙ୍ଗ କର୍ମୀଙ୍କୁ ଦେଖି ଗାଡ଼ି ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ଫେରାର୍‌ ହୋଇଯାଇଥିଲା। ଖବର ପାଇ ବାଲିପାଟଣା ଥାନା ପୁଲିସ ପହଞ୍ଚି ବାଛୁରି ବୋଝେଇ ଗାଡ଼ିକୁ ଥାନାକୁ ନେଇଥିଲା। ବାଛୁରିଗୁଡ଼ିକୁ ସାହେବନଗର ଅଣାଯାଉଥିଲା ବୋଲି କୁହାଯାଉଛି। ବାଛୁରିଗୁଡ଼ିକ ଗୋମାଂସ ପାଇଁ ନିଆଯାଉଥିବା ସନ୍ଦେହ କରାଯାଉଛି। ତେବେ ଅଧିକ ତଦନ୍ତ ଜାରି ରହିଥିବାରୁ ଏହି ଚାଲାଣ ପଛର ରହସ୍ୟ ସ୍ପଷ୍ଟ ହୋଇନାହିଁ ବୋଲି ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର