ନଦୀ ପାଲଟିଛି ଆଇଗିଣିଆ ସର୍ଭିସ୍‌ ରୋଡ୍‌

ଭୁବନେଶ୍ବର: ଗତ କିଛିଦିନର ଲଗାଣ ବର୍ଷାରେ ଆଇଗିଣିଆ ଓଭରବ୍ରିଜ୍‌ ବାମ ପାର୍ଶ୍ବ ରାସ୍ତା ନଦୀର ଭ୍ରମ ସୃଷ୍ଟି କରିଛି। ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ସର୍ଭିସ୍‌ ରୋଡ୍‌ ସମ୍ପୂର୍ଣ୍ଣ ବ୍ଲକ୍‌ ହୋଇଯାଇଛି। ଏକ ନିର୍ଦିଷ୍ଟ ସ୍ଥାନ ନୁହେଁ ବରଂ ଦୁଇଶହ ମିଟର ରାସ୍ତା ସମ୍ପୂର୍ଣ୍ଣ ବୁଡ଼ି ରହିଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ ଏକପ୍ରକାର ଅସମ୍ଭବ ହୋଇପଡ଼ୁଛି। ଯେଉଁମାନେ ପ୍ରତିଦିନ ଯା’ ଆସ କରୁଛନ୍ତି ସେମାନେ ବିପରୀତ ପାର୍ଶ୍ବରେ ଯାଉଛନ୍ତି, ଯେଉଁମାନେ ନଜାଣି ଏହି ବାଟରେ ଯାଉଛନ୍ତି ଫସି କଲବଲ ହେଉଛନ୍ତି।

ଡୁମୁଡୁମାରୁ ଏମ୍‌ସ ଯାଇଥିବା ଓଭରବ୍ରିଜ୍‌ ତଳ ସର୍ଭିସ୍‌ ରୋଡ୍‌ରେ ପୂର୍ବରୁ ଏପରି ସମସ୍ୟା ନଥିଲା। ମାତ୍ର ଏବେ ସେଠାରେ କିଛି ନିର୍ମାଣାଧୀନ କାମ ହେବା ପରଠୁ ସେଠାରେ ପାଣି ନିଷ୍କାସନ ବାଟ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଏହି ବିସ୍ତୀର୍ଣ୍ଣ ସର୍ଭିସ୍‌ ରୋଡ୍‌ ଖାଲୁଆ ହୋଇଥିବାରୁ ପାଣି ଜମି ରହୁଛି। ନିଷ୍କାସନ ହୋଇପାରୁନଥିବାରୁ ଥରେ ବର୍ଷା ହେଲେ ୧୦ ଦିନ ପର୍ଯ୍ୟନ୍ତ ଏହି ରୋଡ୍‌ ଯନ୍ତ୍ରଣା ଦେଉଛି। ଏମ୍‌ସକୁ ଯାଇଥିବା ରାସ୍ତା ଏହିଠାରୁ ଆରମ୍ଭ ହେଉଛି। ତେଣୁ ଖୋର୍ଧା ଦିଗରୁ ଆସୁଥିବା କିଛି ବ୍ୟକ୍ତି ଏହି ସର୍ଭିସ୍‌ ରୋଡ୍‌ ଦେଇ ଯାତାୟାତ କରନ୍ତି। ମାତ୍ର ଏବେ ପାଣି ଜମି ରହିଥିବାରୁ କିଛି ବ୍ୟକ୍ତି ଜାଣି ନପାରି ବାଇକ୍‌ ନେଇ ଯିବା ବେଳେ ଗାଡ଼ିର ଇଂଜିନ୍‌ରେ ପାଣି ପଶି ବନ୍ଦ ହୋଇଯାଉଛି। କାର୍‌ରେ ଯାତାୟାତ ଲୋକେ ସିନା ପାର୍‌ ହୋଇଯାଉଛନ୍ତି, କିନ୍ତୁ ବେଳେବେଳେ ଗାଡ଼ି ଅଟକି ଯାଇ ଯନ୍ତ୍ରଣା ଭୋଗୁଛନ୍ତି।

ପାଣି ଜମି ରହୁଥିବାରୁ ସ୍ଥାନୀୟ ଲୋକ ବାଧ୍ୟ ହୋଇ ଓଭରବ୍ରିଜ୍‌ର ବିପରୀତ ଦିଗରେ ଯାତ୍ରା କରୁଛନ୍ତି। ଫଳରେ ଆଳୁ ଗଦି ସଂଲଗ୍ନ ରାସ୍ତା ପୂର୍ବାହ୍ନ ଓ ସନ୍ଧ୍ୟା ସମୟରେ ଜାମ୍‌ ହୋଇଯାଉଛି। ପାତ୍ରପଡ଼ା ବାସିନ୍ଦା ରବୀନ୍ଦ୍ରନାଥ ସାହୁ କହିଛନ୍ତି, ଯେତେବେଳେ ବି ଅସରାଏ ବ‌ର୍ଷା ହେଉଛି ଏ ସ୍ଥାନ ନଦୀର ଭ୍ରମ ସୃଷ୍ଟି କରୁଛି। ତେଣୁ ବାଧ୍ୟ ହୋଇ ବିପରୀତ ସର୍ଭିସ ରୋଡ୍‌କୁ ବ୍ୟବହାର କରୁଛୁ। ଜାମ୍‌ ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଛି। ଆଗକୁ ପୁଣି ବର୍ଷା ‌ହେବାକୁ ଥିବାରୁ ଆହୁରି ସମସ୍ୟା ସୃଷ୍ଟି ହେବ। ତେଣୁ ଅନ୍ତତଃ ପ୍ରଶାସନ ଓ ଏନ୍‌ଏଚ୍‌ଏଆଇ ଏସବୁକୁ ଦେଖି ଅଣଦେଖା ନକରି ତୁରନ୍ତ ପଦକ୍ଷେପ ନେଉ। ନଚେତ୍‌ ଆସନ୍ତାବର୍ଷକୁ ବି ପୁଣି କଲବଲ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର