ବିଶ୍ୱ ଓଡ଼ିଶା ସମାଜର ଆନ୍ତର୍ଜାତିକ ମୁଖ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ବର ନୂ‌ଆପଲ୍ଲୀଠାରେ ବିଶ୍ବ ଓଡ଼ିଶା ସମାଜ (ବିଓସ)ର ଆନ୍ତର୍ଜାତିକ ମୁଖ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଭର୍ଚୁଆଲରେ ଯୋଗଦେଇ କହିଥିଲେ ଯେ ଭବିଷ୍ୟତରେ ସାରା ବିଶ୍ବର ମାନବ ସମାଜକୁ ଜ୍ଞାନ, ଗୁଣ ଓ ଗରିମା ବାବଦରେ ଦିଗ୍‍ଦର୍ଶନ ଦେବାକୁ ଓଡ଼ିଶା ନିକଟରେ ଅପାର ଭୌତିକ ଓ ବୌଦ୍ଧିକ ଭଣ୍ଡାର ମହଜୁଦ୍‌ ଅଛି। ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ମହିମା ଓ ମହାନତାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ବିଓସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ଲାଲ ଦୃଢ଼ ଆଶାପୋଷଣ କରିଛନ୍ତି। ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ରାମାୟଣ ଓ ଦୀପଦାନର ମାହତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହା ଓଡ଼ିଆ ଓ ଭାରତୀୟମାନଙ୍କୁ ଯୁଗଯୁଗ ଧରି ଅନୁପ୍ରାଣିତ କରି ଆସୁଛି ବୋଲି କହିଥିଲେ। ସମାବେଶକୁ ସମ୍ବୋଧନ କରି ଅତିଥି ବକ୍ତା ପ୍ରଫେସର ହରେକୃଷ୍ଣ ଶତପଥୀ ବିଶ୍ୱ ଓଡ଼ିଶା ସମାଜ ଓଡ଼ିଶାର ଆଧ୍ୟାତ୍ମିକ, ସାରସ୍ୱତ, ସତ୍ୟ, ଶାନ୍ତି, ଆନନ୍ଦ, ମୈତ୍ରୀ ଓ ପ୍ରଗତିର ବାର୍ତ୍ତାରେ ସାରା ପୃଥିବୀକୁ ଉଦ୍‍ବୃଦ୍ଧ କରିବ ବୋଲି କହିଥିଲେ।

ବିଓସର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ସ୍ୱାଗତ ଭାଷଣ‌ ଓ ପ୍ରତିଷ୍ଠାତା ଅରୁନ୍ଧତୀ ଦେବୀ ଅତିଥି ପରିଚୟ ଦେଇଥିଲେ। ଉପଦେଷ୍ଟା ଧୀରେନ୍ଦ୍ର କର ଓଡ଼ିଶାର ବୈଶିଷ୍ଟ୍ୟ, ସୁନ୍ଦରତମ, ମଧୁରତମ ଓ ଦୀର୍ଘତମ ବୋଲି ଉଲ୍ଲେଖ କରିଥିଲେ। ଆମେରିକା, ଅଷ୍ଟ୍ରେଲିଆ, ଦୁବାଇ ଓ ଜାପାନ ସମେତ ବିଶ୍ବର ବିଭିନ୍ନ ଦେଶଗୁଡ଼ିକ ବିଶ୍ୱ ଓଡ଼ିଶା ସମାଜ ସହିତ ସାମିଲ ହୋଇଥିବାରୁ ଉପାଧ୍ୟକ୍ଷ ନଳିନୀ ପତି ସନ୍ତୋଷ ପ୍ରକାଶ କରିଥିଲେ। ବିଓସ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାରପ୍ରସାର ପାଇଁ ପ୍ରତିଜ୍ଞାବଦ୍ଧ ବୋଲି ବିଓସର ମାତୃଭାଷା ପ୍ରୋତ୍ସାହନର ସାଧାରଣ ସମ୍ପାଦକ ପବିତ୍ର ମହାରଥା କହିଥିଲେ। ସାଧାରଣ ସଂପାଦକ ଶିବରଞ୍ଜନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। ଉଭୟ ଭର୍ଚୁଆଲ ଓ ଫିଜିକାଲ ଶୈଳୀରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ପ୍ରବାସୀ ଓଡ଼ିଆ, ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା ଓ ବିଓସର ସଦସ୍ୟମାନେ ଶତାଧିକ ସଂଖ୍ୟାରେ ସାମିଲ ହେଇଥିଲେ। ସାମାଜିକ ଗଣମାଧ୍ୟମଗୁଡ଼ିକ ଦ୍ୱାରା ଏହାର ଲାଇଭଷ୍ଟ୍ରିମିଂ କରାଯାଇଥିଲା।

ପରେ ଅନୁଷ୍ଠିତ ଆଲୋକ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନିନ୍ଦିତା ଦାସ ଏବଂ ଟ୍ରୁପ୍‍, ସନ୍ଦୀପ ମିଶ୍ର, ମାନସ କୁମାର, ଶିଳ୍ପୀ ପତି, ପ୍ରୀତିମୋହନ ମହାପାତ୍ର, ସୁଧାଂଶୁ ଜେନା ଏବଂ ନବଜ୍ୟୋତି ଦାସ ପ୍ରମୁଖ ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ। ଏହି ଅବସରରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମକୁ ସାହିତ୍ୟିକ ପୀତାମ୍ବର ବାରିକ ଏବଂ କବୟିତ୍ରୀ ରୀତା ପାତ୍ର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର