ରବୀନ୍ଦ୍ର ମଣ୍ଡପରେ ନାଟକ ‘ଅର୍ଜୁନୀ’ ମଞ୍ଚସ୍ଥ

ଭୁବନେଶ୍ବର: ଗଙ୍ଗା ଓ ଅର୍ଜୁନି ଦୁହେଁ ପୁରୁଷ କି ନାରୀ ନୁହନ୍ତି। ହେଲେ ଉଭୟଙ୍କ ଭିତରେ ଗାଢ଼ ପ୍ରେମସମ୍ପର୍କ ରହିଥିଲା। ସମୟାନ୍ତରରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଅର୍ଜୁନି ଯେ ଜଣେ କିନ୍ନର ଏକଥା ତାଙ୍କ ମା’ ପାର୍ବତୀ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ସେ ନିଜ ପୁଅର ବାହାଘର ପାଇଁ ଭଲ ଝିଅଟିଏ ଖୋଜିବାରେ ଲାଗି ପଡ଼ିଥିଲେ। ଏପାଖେ ମଦ୍ୟପ ସନ୍ତୁ ଦାସ ନିଜ ବୟସ୍କା ଝିଅକୁ ଦଶହଜାର ଟଙ୍କା ବଦଳରେ ପାର୍ବତୀଙ୍କ ବୋହୂ କରିବାକୁ ଚାହୁଥିଲେ। ହେଲେ ଅର୍ଜୁନିକୁ ବିବାହ କରିବା ପରେ ପିଲାଛୁଆ ନ ହେବାରୁ ଅସନ୍ତୋଷ ପ୍ରକାଶ କରୁଥିଲା ସନ୍ତୁର ଝିଅ ରେବା। ଏଥିପାଇଁ ଶାଶୂ ପାର୍ବତୀଙ୍କୁ ମଧ୍ୟ ସେ ଖରାପ ବ୍ୟବହାର କରୁଥିଲା। ହେଲେ କିଛି ଦିନ ପରେ ରେବା ମାତୃତ୍ବ ଲାଭ କଲା। ଏଇଠି ପ୍ରଶ୍ନ ଉଠେ ଜଣେ କିନ୍ନର କ’ଣ ବାପା ହେଇପାରେ! ଏଭଳି ଏକ ବିଷୟବସ୍ତୁକୁ ନେଇ ରବୀନ୍ଦ୍ରମଣ୍ଡପରେ ମଞ୍ଚସ୍ଥ ହୋଇଯାଇଛି ବୈଜୟନ୍ତୀ ମିଶ୍ରଙ୍କ ରଚିତ ନାଟକ ‘ଅର୍ଜୁନି’ର କାହାଣୀ।

କଟକର ଶ୍ରଦ୍ଧାଞ୍ଜଳି କ୍ଲବ୍ ତରଫରୁ ମଞ୍ଚସ୍ଥ ଏହି ନାଟକରେ ବିଭିନ୍ନ ଭୂମିକାରେ ସ୍ବର୍ଣ୍ଣପ୍ରଭା ପାଢ଼ୀ, ଦେବମିତ୍ରା ପ୍ରିୟଦର୍ଶିନୀ, ସ୍ବପ୍ନାରାଣୀ ପାତ୍ର ଏବଂ ଶ୍ବେତାଶ୍ରୀ ପାଢ଼ୀ ପ୍ରମୁଖ ଅଭିନୟ କରିଥିଲେ। ନିର୍ଦ୍ଦେଶନା ଦେଇଥିଲେ ପ୍ରମୋଦ ରଞ୍ଜନ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବିଜୟ କୁମାର ଦାସ ଏବଂ ମଞ୍ଚ ପରିଚାଳନା କରିଥିଲେ ସତ୍ୟଜିତ ବଳ। ଅନୁଷ୍ଠିତ ସଭାରେ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ, ସାହିତ୍ୟ ଏକାଡେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହ, ବିଶିଷ୍ଟ କଥାକାର ଗୌରହରି ଦାସ ଏବଂ ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ରାଉତ ଯୋଗ ଦେଇଥିଲେ। ଶ୍ରଦ୍ଧାଞ୍ଜଳି କ୍ଲବ୍‌ର ସଭାପତି ସୁଜାତା ପ୍ରିୟଦର୍ଶିନୀ ଏବଂ ସାଧାରଣ ସଂପାଦକ ବିନ୍ଦୁସାଗର ମହାନ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର