ରେଳଷ୍ଟେସନ ହେବ ‘ସଠିକ୍‌ ଭୋଜନ ଷ୍ଟେସନ’

ଖାଦ୍ୟ ବ୍ୟବସାୟ ଅପରେଟର ଓ ବିକ୍ରେତାଙ୍କୁ ଖାଦ୍ୟ ନିରାପତ୍ତା ତାଲିମ

ଚନ୍ଦ୍ରଶେଖରପୁର: ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଓ ଜୀବନ ଶୈଳୀରେ ବାଧା ଦେଉଥିବା ଅପପୁଷ୍ଟିକର ଖାଦ୍ୟରୁ ଉତ୍ପନ୍ନ ରୋଗ ସହ ଲଢିବା ପାଇଁ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ(ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ‘ସଠିକ୍ ଭୋଜନ-ସଠିକ ଜୀବନ’ ଲକ୍ଷ୍ୟ ନେଇ ‘ସଠିକ ଭୋଜନ ଭାରତ’ ଦିଗରେ ପଦକ୍ଷେପ ନିଆଯାଇଛି। ଏହାର ଏକ ଅଂଶ ଭାବେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ‘ସଠିକ ଭୋଜନ ଷ୍ଟେସନ’ ଆରମ୍ଭ ହୋଇଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପ୍ରମୁଖ ରେଳ ଷ୍ଟେସନରେ ଅବସ୍ଥାପିତ କ୍ୟାଟରିଂ ୟୁନିଟ୍‌ଗୁଡିକରେ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା। ଫଳରେ ଯାତ୍ରୀଙ୍କୁ ସଠିକ ଖାଦ୍ୟ ଯୋଗାଇ ଦିଆଯାଇ ପାରିବ।

ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା କମିସନଙ୍କ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନକୁ ‘ସଠିକ ଭୋଜନ ଷ୍ଟେସନ’ ଘୋଷଣା କରିବାକୁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁଯାୟୀ ରେଳଷ୍ଟେସନରେ ଥିବା ସମସ୍ତ ଖାଦ୍ୟ ବିକ୍ରୟ ପ୍ରତିଷ୍ଠାନକୁ ଖାଦ୍ୟ ଲାଇସେନ୍ସ ଓ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ସମସ୍ତ ଖାଦ୍ୟ ବ୍ୟବସାୟ ଅପରେଟର/ବିକ୍ରେତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶେଷ ହେବା ସହ ଆବଶ୍ୟକ ପ୍ରମାଣପତ୍ର ଦିଆଯାଇଛି। ଏନେଇ ବୁଧବାର ୩୧ଟି ଖାଦ୍ୟ ଅପରେଟର ଓ ଭୁବନେଶ୍ୱର ରେଳ ଷ୍ଟେସନ ଖାଦ୍ୟ ସୁରକ୍ଷା ୱିଙ୍ଗ୍‌ ଦ୍ୱାରା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା। ପୂର୍ବତଟ ରେଳ ଚିକିତ୍ସା ବିଭାଗ, ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ବିଭାଗ ଓ ଏଫ୍‌ଏସ୍‌ଏସ୍‌ଏଆଇ ଅନୁମୋଦିତ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ ସହଯୋଗରେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ସହାୟକ ବାଣିଜ୍ୟ ପ୍ରବନ୍ଧକ(କ୍ୟାଟରି°) ଓ କ୍ୟାଟରି° ନିରୀକ୍ଷକଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା।

ତାଲିମ ଓ ଅନ୍ୟାନ୍ୟ ଔପଚାରିକ କାର୍ଯ୍ୟ ଶେଷ ହେବା ପରେ ଭୁବନେଶ୍ୱର ରେଳ ଷ୍ଟେସନର ଅଡିଟ୍ କରାଯିବ। ଏଫ୍‌ଏସ୍‌ଏସ୍‌ଏଆଇ ଅନୁମୋଦିତ ଏଜେନ୍ସି ଦ୍ବାରା ଏହି ଅଡିଟ୍ ହେବା ପରେ ‘ସଠିକ ଭୋଜନ ଷ୍ଟେସନ’ ଘୋଷଣା କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ଅତିରିକ୍ତ ମୁଖ୍ୟ ମେଡିକାଲ୍ ନିର୍ଦ୍ଦେଶକ ଏଚ୍ ଏସ୍ ବାରିକ୍, ଏଫ୍‌ଏସ୍‌ଏସ୍‌ଏଆଇ ମନୋନୀତ ଅଧିକାରୀ ଓ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ବେତକମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର