ଫ୍ଲାଏଓଭର୍‌ରୁ ପଡ଼ି ଲୁଟେରା ମୃତ, ‌ପେଲିଦେଲେ ନା ଡେଇଁ ପଡ଼ିଲେ

ଭୁବନେଶ୍ବର: ଜାତୀୟ ରାଜପଥ ଉପରେ ଗାଡ଼ିଗୁଡ଼ିକୁ ଅଟକାଇ ଲୁଟ୍‌ପାଟ କରୁଥିଲେ। ସେହି ସମୟରେ ପିସିଆର୍‌ ପହଞ୍ଚିଗଲା। ପୁଲିସ୍‌କୁ ଆଖି ଆଗରେ ଦେଖି ପ୍ରାଣ ବିକଳ‌ରେ ଦୌଡ଼ିଲେ। ଜଣେ ଧରା ପଡ଼ିଗଲା। ଆଉ ଜଣେ ଆଗପଛ ବିଚାର ନକରି ଫ୍ଲାଏଓଭର୍‌ ତଳକୁ ଡେଇଁ ପଡ଼ିଲା। କିନ୍ତୁ ଜାଣି ନଥିଲା, ତରତରିଆ ଭାବେ ନେଇଥିବା ଏହି ନିଷ୍ପତ୍ତି ତା’ ପ୍ରାଣ ନେଇଯିବ। ଫଳରେ ପ୍ରାୟ ୪୦ ଫୁଟ୍‌ ଉପରୁ ପଡ଼ି ଯୁବକଜଣଙ୍କ ପ୍ରାଣ ହରାଇଲା। ଗତ ରାତିରେ ଫାୟାର୍‌ ଷ୍ଟେସନ୍‌ ଫ୍ଲାଏଓଭର୍‌ ଉପରେ ଘଟିଥିବା ଏହି ଘଟଣା ଆଜି ରାଜଧାନୀ‌ରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।

ଆଜି ସକାଳୁ ଖଣ୍ଡଗିରି ଥାନା ପୁଲିସ୍‌ ଫାୟାର ଷ୍ଟେସନ୍‌ ଫ୍ଲାଏଓଭର୍‌ ତଳୁ ଯୁବକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଥାନା‌‌ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ଯୁବକ ହେଲେ, ଭୁବନେଶ୍ବର ସତ୍ୟନଗର ଆଦିତ୍ୟ ଲେନ୍‌ର ରାକେଶ ପଣ୍ଡା। ତାଙ୍କଠାରୁ ନଗଦ ୪ ହଜାର ୫ଶହ ଟଙ୍କା ସହ ଏଟିଏମ୍‌ କାର୍ଡ ଓ ଆଧାରକାର୍ଡ ଜବତ ହୋଇଛି। ପୁଲିସ୍‌ ସୂଚନା ଅନୁଯାୟୀ, ରାକେଶ ଓ ତା’ ସହଯୋଗୀ କଟକ ସଦର ବ୍ରାହ୍ମଣ ଝରିଲୋ ଗ୍ରାମର ଅସୀମ ଆନନ୍ଦ ଜେନା ଗତ ରାତିରେ ସିଆରପିଏଫ୍‌ ଫ୍ଲାଏଓଭର୍‌ ଉପରେ ଜଣେ ଅଟୋ ଚାଳକଙ୍କଠାରୁ ଲୁଟ୍‌ ଉଦ୍ୟମ କରୁଥିଲେ। ଏ ସଂପର୍କରେ କଣ୍ଟ୍ରୋଲ ରୁମ୍‌ରୁ ଖବର ପାଇ ଖଣ୍ଡଗିରି ଥାନାର ଏକ ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପୁଲିସକୁ ଦେଖି ଅସୀମ ନିଜ ବୁଲେଟ୍‌ ନେଇ ରସୁଲଗଡ଼ ପଳାଇଥିଲା। ତାକୁ ପିସିଆର ଭ୍ୟାନ୍‌ ପିଛା କରି ଧରି ପକାଇଥିଲା। ଅପରପକ୍ଷେ ରାକେଶ ଫାୟାର ଷ୍ଟେସନ ଛକ ଆଡ଼େ ଦଉଡ଼ିଥିଲା। ତାକୁ ଦୁଇଜଣ ପୁଲିସ୍‌ କର୍ମୀ ପିଛା କରିଥିଲେ ମଧ୍ୟ କିଛି ବାଟ ପରେ ସେ ହଠାତ୍‌ ଉଭାନ୍‌ ହୋଇଯାଇଥିଲା। ଆଜି ସକାଳେ ଫ୍ଲାଏଓଭର୍‌ ତଳୁ ତା’ ମୃତଦେହ ମିଳିବା ପରେ ତା’ ପରିଚୟ ଜଣାପଡ଼ିଥିଲା। ରାକେଶ ଓ ଅସୀମ ଏକାଠି ଲୁଟ୍‌ କରିବା ପାଇଁ ଆସିଥିଲେ। ଅଟୋ ଲୁଟିବାର କିଛି ସମୟ ପୂର୍ବରୁ ଏକ ଟ୍ରକ୍‌ (ଓଡି-୦୨-ଏଏଫ୍‌-୩୦୬୯) କାଚ ଭାଙ୍ଗି ଲୁଟିଥିଲେ। ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି।

‌‌ଅପରପକ୍ଷେ ରାକେଶର ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଫ୍ଲାଏଓଭର୍‌ରେ ୨ ପୁଲିସ୍‌ କର୍ମୀ ତାଙ୍କୁ ପିଛା କରିଥିଲେ ହେଁ ହଠାତ୍‌ କେମିତି ସେ ଅନ୍ତର୍ଧ୍ୟାନ ହୋଇଗଲେ। ସେ ଗିରଫ ଭୟରେ ଡେଇଁ ପଡ଼ିଛନ୍ତି, ନା ତାଙ୍କୁ କେହି ଫ୍ଲାଏଓଭର୍‌ ଉପରୁ ପେଲି ଦେଇଛି। କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଏହି ଘଟଣାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର